ବାଲିକୁଦା : ମଦ ବ୍ୟବସାୟୀଙ୍କୁ ହତ୍ୟା!

Advertisment
ଘରୋଇ କଳିକୁ ନେଇ ହତ୍ୟାକାଣ୍ଡ: ସ୍ତ୍ରୀଙ୍କୁ ବାଡ଼ିରେ ପିଟିପିଟି ମାରିଦେଲା ସ୍ୱାମୀ

DNA India

ମାଛଗାଁ/ବାଲିକୁଦା : ଜଗତ୍‌ସିଂହପୁର ଜିଲ୍ଲା ଅନ୍ତର୍ଗତ ଅନନ୍ତପୁର ଫାଣ୍ତି ଅଧୀନ ବ୍ରାହ୍ମଣଡ଼ିହି (ମଠସାହି) ଗାଁରେ ଚୋରାମଦ ବେପାରୀ ରମେଶ ସାହୁଙ୍କୁ ଗତକାଲି ରାତିରେ ହତ୍ୟା କରି ଏକ ସଜନାଗଛରେ ଟାଙ୍ଗି ଦିଆଯିବା ଘଟଣା ସମଗ୍ର ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି। ରମେଶଙ୍କ ପରିବାରର ଏତଲା ଆଧାରରେ ବାଲିକୁଦା ଥାନା ପୁଲିସ୍‌ ଏକ ହତ୍ୟା ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି। ଏହି ଘଟଣାରେ ସେହି ଗ୍ରାମର ଜଣେ ବ୍ୟକ୍ତିଙ୍କୁ ପୁଲିସ୍‌ ଥାନାରେ ଅଟକ ରଖି ପଚରାଉଚରା ଚଳାଇଛି।

ରମେଶଙ୍କ ପରିବାର ପକ୍ଷରୁ ଅଭିଯୋଗ କରାଯାଇଛି, ଗତକାଲି ତାଙ୍କ ପୁଅ ସହିତ ବେହେରାସାହିର କେତେକ ଯୁବକଙ୍କର ଝଗଡ଼ା ହୋଇଥିଲା। ଏହିସମୟରେ ସେମାନେ ରମେଶଙ୍କୁ ଜୀବନରୁ ମାରି ଦେବାକୁ ଧମକ ଦେଇଥିଲେ। ରାତି ପ୍ରାୟ ୧୧ଟାରେ ରମେଶ ଖାଇସାରି ବାହାରକୁ ପରିସ୍ରା କରିବାକୁ ଯାଇଥିବାବେଳେ ସେମାନେ ତାଙ୍କୁ ମାରି ଟାଙ୍ଗି ଦେଇଛନ୍ତି। ତାଙ୍କ ଫେରିବାରେ ବିଳମ୍ବ ହେବା ଦେଖି ଘର ଲୋକ ବାହାରକୁ ଯାଇ ଖୋଜାଖୋଜି କରିବାରୁ ବଡ଼ବାପାଙ୍କ ଦାଣ୍ଡ ଆଗରେ ଥିବା ଏକ ସରୁ ସଜନାଗଛ ମୂଳରେ ଆଣ୍ଠେଇ ଥିବା ଅବସ୍ଥାରେ ରମେଶ ମିଳିଥିଲେ। ତାଙ୍କ ପିନ୍ଧା ଲୁଙ୍ଗି ବେକରେ ଗୁଡେଇ ହୋଇ ସଜନା ଗଛରେ ବନ୍ଧା ହୋଇଥିବା ଦେଖି ପରିବାର ଲୋକେ ତାଙ୍କୁ ତୁରନ୍ତ ଉଦ୍ଧାର କରି ବାଲିକୁଦା ମେଡିକାଲ ନେଇଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ହତ୍ୟାକାରୀମାନେ ଏହାକୁ ଆତ୍ମହତ୍ୟା ରୂପ ଦେବାପାଇଁ ସରୁ ସଜନା ଗଛରେ ଟାଙ୍ଗିଦେଇ ଚାଲି ଯାଇଥିଲେ ବୋଲି ପରିବାର ଲୋକ ଦର୍ଶାଇଛନ୍ତି। ତେବେ ପାରିପାର୍ଶ୍ବିକ ପରିସ୍ଥିତିକୁ ଅନୁଧ୍ୟାନ କଲେ ଆତ୍ମହତ୍ୟା ଅସମ୍ଭବ ମନେ ହେଉଛି।

ଘଟଣାସ୍ଥଳରେ ଏସ୍‌ଡିପିଓ ପ୍ରିୟରଂଜନ ଶତପଥୀ, ତଦନ୍ତକାରୀ ଅଧିକାରୀ ଆଇଆଇସି ସର୍ବେଶ୍ୱର ବେହେରା ଓ ଅନନ୍ତପୁର ଫାଣ୍ଡି ଅଧିକାରୀ ଯୋଗେନ୍ଦ୍ରନାଥ ଚୌଧୁରୀ ସାଇଣ୍ଟିଫିକ ଟିମ ସହ ପହଞ୍ଚି ଛାନଭିନ୍‌ ଚଳାଇଛନ୍ତି। ମଦ ବିରୋଧୀ ଆନ୍ଦୋଳନ କରୁଥିବା କେତେକ ବ୍ୟକ୍ତିଙ୍କ ନାମ ସହ ଅନ୍ୟମାନଙ୍କ ବିରୋଧରେ ରମେଶଙ୍କ ପୁଅ ସିଧାସଳଖ ହତ୍ୟା ଅଭିଯୋଗ ଆଣିବାରୁ ପୁଲିସ୍‌ ସେହି ଗ୍ରାମର ରା‌ଜେଶ ବେହେରାଙ୍କୁ ଥାନାରେ ଅଟକ ରଖିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe