ବ୍ରହ୍ମପୁର: କୋରାପୁଟ ଜିଲ୍ଲା ଜୟପୁର ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ବୋରିଗୁମ୍ମାସ୍ଥିତ ଏକ ଲାଇସେନ୍ସପ୍ରାପ୍ତ ଦେଶୀ ମଦଭାଟି ଭଙ୍ଗାରୁଜା ମାମଲାରେ ଜୟପୁର ବିଧାୟକ ତାରାପ୍ରସାଦ ବାହିନୀପତିଙ୍କ ନାମରେ ବ୍ରହ୍ମପୁରସ୍ଥିତ ଏଡିଜେ-୩( ବିଧାୟକ ଓ ସାଂସଦଙ୍କ ପାଇଁ ଥିବା ସ୍ବତନ୍ତ୍ର କୋର୍ଟ)ରେ ଚାର୍ଜଫ୍ରେମ୍ ହୋଇଛି। ଆଜି ପୂର୍ବାହ୍ଣରେ ଶ୍ରୀ ବାହିନୀପତି କୋର୍ଟରେ ହାଜର ହୋଇଥିଲେ। ଆସନ୍ତା ଜୁଲାଇ ୧ରୁ ଏହି ମାମଲାର ଶୁଣାଣି ଆରମ୍ଭ ହେବ ବୋଲି ବିଧାୟକଙ୍କ ମାମଲା ପରିଚାଳନା କରୁଥିବା ବରିଷ୍ଠ ଆଇନଜୀବୀ ଦୀପକ କୁମାର ପଟ୍ଟନାୟକ କହିଛନ୍ତି।
୨୦୧୬ ମସିହାରେ ବିଧାୟକ ଶ୍ରୀ ବାହିନୀପତି ବୋରିଗୁମ୍ମାସ୍ଥିତ ବସ୍ଷ୍ଟାଣ୍ଡଠାରେ ଏକ ସାଧାରଣ ସଭାର ଆୟୋଜନ କରିବା ସହ ସେଠାରେ ଥିବା ଲାଇସେନ୍ସପ୍ରାପ୍ତ ଦେଶୀ ମଦଭାଟିକୁ ସମର୍ଥକଙ୍କ ସହ ଯାଇ ଭଂଗାରୁଜା କରିବା ସହ ପୋଡ଼ାପୋଡ଼ି କରିଥିବା ନେଇ ଉକ୍ତ ଦେଶୀ ମଦଭାଟିର ମ୍ୟାନେଜର ବୋରିଗୁମ୍ମା ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଏହି ମାମଲାରେ ଜୟପୁର ବିଧାୟକଙ୍କ ସହ ୨୪ଜଣଙ୍କ ନାମରେ ମାମଲା ରୁଜୁ ହୋଇଥିଲା। ମାମଲା ରୁଜୁ ପରେ ସେ ଜାମିନରେ ଥିଲେ। ଆଜି ଏଡିଜେ-୩ରେ ବିଭିନ୍ନ ଦଫାରେ ବିଧାୟକଙ୍କ ବିରୋଧରେ ଚାର୍ଜଫ୍ରେମ୍ ହୋଇଥିବା ଜଣାଯାଇଛି। ଜୟପୁର ବିଧାୟକଙ୍କ ନାମରେ ଏଠାରେ ଚାର୍ଜଫ୍ରେମ୍ ହୋଇଥିବା ବେଳେ ଅନ୍ୟ ୨୩ ଜଣଙ୍କ ନାମରେ କୋରାପୁଟ ଜିଲ୍ଲା କୋର୍ଟରେ ଚାର୍ଜଫ୍ରେମ୍ ହେବ ବୋଲି ମାମଲା ପରିଚାଳନା କରୁଥିବା ଆଇନଜୀବୀ ଶ୍ରୀ ପଟ୍ଟନାୟକ କହିଛନ୍ତି।
Follow Us