କଟକ: ଐତିହାସିକ କଟକ ବାଲିଯାତ୍ରାରେ ‘ଆମ ଭାଷା ଆମ ସାହିତ୍ୟ’ ଶୀର୍ଷକ ଯୋଜନାକୁ ନେଇ ଉତ୍ସାହ ସୃଷ୍ଟି ହୋଇଥିଲା। ତେବେ ଯୋଜନା ପଛର ରହସ୍ୟ ସଂପୂର୍ଣ୍ଣ ପ୍ରକ୍ରିୟାକୁ ବିବାଦୀୟ କରିଦେଇଛି। କେବଳ ଟଙ୍କା ହଡ଼ପ ପାଇଁ ଓଡ଼ିଆ ଅସ୍ମିତାର ଦ୍ବାହି ଦେଇ ଏଭଳି ଏକ ଯୋଜନା କାର୍ଯ୍ୟକାରୀ କରାଯାଇଥିବା ଅଭିଯୋଗ ହେଉଛି। ତରବରିଆ ତଥା ତ୍ରୁଟିପୂର୍ଣ୍ଣ ନିଷ୍ପତ୍ତି ପଛରେ କେଉଁମାନେ ଅଛନ୍ତି ବୋଲି ଓଡ଼ିଆ ଭାଷା ସାହିତ୍ୟ ସହ ସଂପୃକ୍ତ ବ୍ୟକ୍ତି ପ୍ରଶ୍ନ କରୁଛନ୍ତି।
ବାଲିଯାତ୍ରାରେ ମାଗଣା ବହି ବଣ୍ଟନ ପାଇଁ ପ୍ରଥମ ଟେଣ୍ଡର କଟକ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପକ୍ଷରୁ ଅକ୍ଟୋବର ୨୨ରେ ପ୍ରକାଶ ପାଇଥିଲା। ସେଥିରେ ବିଭିନ୍ନ ଲେଖକଙ୍କର ୨୫ ଖଣ୍ଡ ବହି ଯୋଗାଣ ପାଇଁ କୁହାଯାଇଥିଲା। ୮୩ ହଜାରରୁ ଅଧିକ ଖଣ୍ଡ ବହି ନଭେମ୍ବର ୧ ସୁଦ୍ଧା ଯୋଗାଇ ଦେବାକୁ କୁହାଯାଇଥିଲା। ହେଲେ ଟେଣ୍ଡର ଆହ୍ବାନର ୯ ଦିନ ଭିତରେ ଗୋଟିଏ ଗୋଟିଏ ବହିର ୩ ହଜାରରୁ ୫ ହଜାର କପି କେମିତି ଯୋଗାଇଦେବା ସମ୍ଭବ ହେଲା? ଏଥିରେ ପ୍ରକାଶକମାନେ କିଭଳି ସଫଳ ହେଲେ? ତାହାକୁ ନେଇ ସନ୍ଦେହ ବଢ଼ିବାରେ ଲାଗିଛି।
୪ ପୃଷ୍ଠାର ବହି ମୂଲ୍ୟ ୨୫ ଟଙ୍କା
ମନବୋଧ ଚଉତିଶା, କାଳ ପୁରୁଷ ଭଳି କବିତାକୁ ବହିର ମାନ୍ୟତା
ମନୋଜ ଦାସଙ୍କ ‘ଓଡ଼ିଆ କ୍ଷୁଦ୍ରଗଳ୍ପ’କୁ ନେଇ ପ୍ରଶ୍ନ
ଟେଣ୍ଡର ଆହ୍ବାନର ୬ରୁ ୯ ଦିନ ଭିତରେ ବହି ଯୋଗାଣ
ପୁଣି ବହି ଯୋଗାଣ ପାଇଁ ଦ୍ବିତୀୟ ଟେଣ୍ଡର ବାହାରିଲା ବାଲିଯାତ୍ରାର ଠିକ୍ ଦୁଇ ଦିନ ପୂର୍ବରୁ। ନଭେମ୍ବର ୩ରେ ୧୧ ଜଣ ଲେଖକଙ୍କର ୮ ହଜାର ୫୦୦ ବହି ଯୋଗାଇ ଦେବାକୁ କୁହାଗଲା। ନଭେମ୍ବର ୯ ତାରିଖ ଭିତରେ ବହି ଯୋଗାଇବାକୁ ନିର୍ଦ୍ଦେଶ ଥିଲା। ଏହା ପୂର୍ବ ଟେଣ୍ଡରକୁ ଟପିଗଲା। ୬ ଦିନ ଭିତରେ ଆବେଦନ, ନିଷ୍ପତ୍ତି ଓ ଯୋଗାଣ ଶେଷ ହେଇଗଲା। ଏହି ଟେଣ୍ଡର ସଂପର୍କରେ ଯୋଗାଯୋଗ ପାଇଁ ଜିଲ୍ଲା ସଂସ୍କୃତି ଅଧିକାରୀ ନଳିନୀକାନ୍ତ ସାହୁ ଓ ସୂଚନା ଲୋକ ସଂପର୍କ ଅଧିକାରୀ ଅଭିରାମ ଦାସଙ୍କ ନାମ,ଫୋନ୍ ନମ୍ବର ଜାରି ହୋଇଗଲା। କୌଣସି ପ୍ରକାର ଟେଣ୍ଡର ପ୍ରକ୍ରିୟାରେ ଏହା ହେଉଛି ଏକ ବଡ଼ ବ୍ୟତିକ୍ରମ।
ଯେଉଁ ବିଶେଷଜ୍ଞମାନେ ଏହି ପ୍ରକ୍ରିୟାରେ ସଂପୃକ୍ତ ଥାଇ ପୁସ୍ତକ ଚୟନ କରିଛନ୍ତି, ଦର ନିର୍ଦ୍ଧାରଣ କରିଛନ୍ତି, ତାହା ବି ସମସ୍ତଙ୍କୁ ଅଧିକ ଆଶ୍ଚର୍ଯ୍ୟଚକିତ କରିଛି। ଭକ୍ତଚରଣ ଦାସଙ୍କ ମନବୋଧ ଚଉତିଶାକୁ ଏକ ପୁସ୍ତକ ଭାବେ ଉଲ୍ଲେଖ କରାଯାଇ ଏଥିରୁ ୫ ହଜାର କପି କିଣିବାକୁ ଟେଣ୍ଡର ହୋଇଛି। ବାସ୍ତବରେ ଏହା ଏକ କବିତା। କଭର ପୃଷ୍ଠାକୁ ଛାଡ଼ି ୪ ପୃଷ୍ଠାର ଏହି ପୁସ୍ତିକାର ମୂଲ୍ୟ ୨୫ ଟଙ୍କା ରଖାଯାଇଛି। କିନ୍ତୁ ସରକାରୀ ଧାର୍ଯ୍ୟଦର ଅନୁସାରେ ପୁସ୍ତିକାର ମୂଲ୍ୟ ଅତିବେଶିରେ ୪ଟଙ୍କା ହେବ। ଗୁରୁପ୍ରସାଦ ମହାନ୍ତିଙ୍କର କାଳ ପୁରୁଷ ବି ଏକ କବିତା। ମନୋଜ ଦାସଙ୍କ ଓଡ଼ିଆ କ୍ଷୁଦ୍ର ଗଳ୍ପ ସଂକଳନ ଭଳି ନିର୍ଦ୍ଦିଷ୍ଟ ବହିକୁ ନେଇ ବି ପ୍ରଶ୍ନ ଉଠୁଛି। ଏଭଳି ଆଖିବୁଜା ଦୁର୍ନୀତିର ଉଚ୍ଚସ୍ତରୀୟ ତଦନ୍ତ ପାଇଁ ସ୍ବର ତୀବ୍ର ହେବାରେ ଲାଗିଛି। ବାଲିଯାତ୍ରା ଆୟୋଜନରେ ବ୍ୟସ୍ତ ଥିବା ଜିଲ୍ଲାପାଳ ଏ ସଂପର୍କରେ କେବେ ତର୍ଜମା କରି ନିଷ୍ପତ୍ତି ନେବେ ବୋଲି ପ୍ରଶ୍ନ ଉଠୁଛି।
Follow Us