ସୁଧାକର ପାଣ୍ଡେ
ଲେଫ୍ରିପଡ଼ା: ‘ଇବ୍’ର ଉପନଦୀ ‘ଇଚ୍ଛା’ ଏବେ ମୃତପ୍ରାୟ। ଏକଦା ଲେଫ୍ରିପଡ଼ା ଓ ଟାଙ୍ଗରପାଲି ବ୍ଲକ୍ର ୧୦ଟି ପଞ୍ଚାୟତର ପ୍ରାୟ ୫୦ ଗାଁ ପାଇଁ ଜୀବନରେଖା ସାଜିଥିବା ଇଚ୍ଛାନଦୀ ଏବେ ଶୁଷ୍କ। ୭୦ କିମିରୁ ଊର୍ଦ୍ଧ୍ବ ପଥ ଦେଇ ପୂର୍ବଦିଗକୁ ପ୍ରବାହିତ ନଈଟି ବିଲେଇଗଡ଼-ଯମୁନାଢିପା ନିକଟରେ ଇବ୍ ସହିତ ମିଶିଛି। ହେଲେ ଏବେ ଏହାର ଭୌଗୋଳିକ ରୂପରେ ବିରାଟ ପରିବର୍ତ୍ତନ ହୋଇସାରିଛି। କାହିଁ କେମିତି ଛୋଟିଆନାଳ ଦୃଶ୍ୟମାନ ହେଉଥିବାବେଳେ ନଦୀଶଯ୍ୟା ପଥର, ଘାସବୁଦାରେ ଭରିଗଲାଣି। ଫଳରେ ନଦୀକୂଳବାସୀଙ୍କ ଜୀବନଜୀବିକା ଉପରେ ଏହାର ଘୋର ପ୍ରଭାବ ଦେଖିବାକୁ ମିଳିଛି। ‘ଇଚ୍ଛା’ର ସୁରକ୍ଷା ଦିଗରେ ରାଜନୈତିକ ଓ ପ୍ରଶାସନିକ ଇଚ୍ଛା ଦେଖା ନଦେବା ପରିତାପର ବିଷୟ। ସୁନ୍ଦରଗଡ଼ ଜିଲ୍ଲା ଲେଫ୍ରିପଡ଼ା ବ୍ଲକ୍ ଡୁମାବାହାଲ ପଞ୍ଚାୟତ ଅନ୍ତର୍ଗତ ସିପୋକଚ୍ଛାର ଗ୍ରାମର ଏକ ପାହାଡ଼ିଘାଟୀରୁ ଜନ୍ମନେଇଛି ଇଚ୍ଛାନଦୀ। ଜନ୍ମସ୍ଥଳୀରୁ ମାତ୍ର ୧୦୦ ମିଟର ପରେ ନଦୀର ସ୍ରୋତ ୩ କିମି ପର୍ଯ୍ୟନ୍ତ ଶୁଖିଲା ପଡ଼ିଛି। ତେବେ ପ୍ରାୟ ୧୦ କିମି ପରେ ତେଲେନଡିହିଠାରେ ଏକ ନାଳ ଓ ଉତ୍ତରପଟୁ ଛେଦଲଗନ ନାଳ ମିଶିବାରୁ ପାଣିଧାର ଟିକିଏ ବୃଦ୍ଧି ପାଇଛି।
ଏହି ନଦୀ ଲେଫ୍ରିପଡ଼ା ବ୍ଲକ୍ର ସରଫଗଡ଼, ଡୁମାବାହାଲ, ଲେଫ୍ରିପଡ଼ା, ଛଟେନପାଲି, ଝୁରିମାଲ, ସର୍ଗିପାଲି ଓ ବଡ଼ବଙ୍ଗା ପଞ୍ଚାୟତ ଏବଂ ଟାଙ୍ଗରପାଲି ବ୍ଲକ୍ର ଉଜ୍ଜ୍ବଲପୁର, ନିଆଲିପାଲି, କିରିପସିରା ଓ ଯୋଗୀମାଲ ପଞ୍ଚାୟତର ଅନେକ ଗ୍ରାମ ଇଚ୍ଛାର ପାଣି ଉପରେ ନିର୍ଭର କରିଆସୁଥିଲେ। ଗାଧୋଇବାଠାରୁ ଆରମ୍ଭ କରି ଚାଷବାସ, ପାନୀୟଜଳ, ମାଛଧରା ଓ ଗାଈଗୋରୁଙ୍କ ପାଇଁ ଏହି ପାଣି ବ୍ୟବହାର ହେଉଥିଲା। ତେଲେନଡିହି, ଗିରିଙ୍ଗକେଲା, ସୁର୍ଗୁଡ଼ା, ସର୍ଗିପାଲି, ସୁର୍ଡା ଅଞ୍ଚଳରେ କୈବର୍ତ୍ତ ସଂପ୍ରଦାୟର ଅନେକ ପରିବାର ନଦୀରୁ ମାଛଧରି ପେଟ ପୋଷୁଥିଲେ। ସେହିଭଳି ତେଲେନଡିହି, ଗିରିଙ୍ଗକେଲା ଅଞ୍ଚଳରେ ‘ଝରା’ ନାମକ ଏକ ସଂପ୍ରଦାୟ ଇଚ୍ଛାନଦୀର ବାଲିରୁ ସୁନା ସଂଗ୍ରହ କରୁଥିଲେ। ହେଲେ ଏବେ ନଦୀସ୍ରୋତ ଶୁଖିଯିବା ଫଳରେ କୈବର୍ତ୍ତ ଓ ଝରା ସମ୍ପ୍ରଦାୟର ଜୀବିକା ବାଧାପ୍ରାପ୍ତ ହୋଇଛି।
‘ଇଚ୍ଛା’ର ଅକାଳମୃତ୍ୟୁ ପାଇଁ ଅନେକ କାରଣ ଭିତରୁ ଉପରମୁଣ୍ଡରେ ଖଣିଖନନ, ଜଙ୍ଗଲକ୍ଷୟ ସାଙ୍ଗକୁ ବିଭିନ୍ନ ନାଳ ଉପରେ ସଂଖ୍ୟାଧିକ ଚେକ୍ଡ୍ୟାମ୍ ନିର୍ମାଣ ଦାୟୀ। ଛେଦଲଗନ ନାଳ ଉପରେ ସରଫଗଡ଼ ନିକଟରେ ଏକ ମଧ୍ୟମ ଜଳସେଚନ ପ୍ରକଳ୍ପ ନିର୍ମାଣ କରାଗଲା ପରେ ୧୯୮୫ ମସିହାରୁ ଏହାର ଜଳସ୍ରୋତ ହ୍ରାସପାଇ ଚାଲିଲା। ଏହି ପ୍ରକଳ୍ପ ଦ୍ବାରା ୫ଟି ଗ୍ରାମ ଲାଭାନ୍ବିତ ହୋଇଥିବାବେଳେ ନଦୀତଳ ୫୦ ଗ୍ରାମ ପ୍ରଭାବିତ।
Follow Us