କୁଲାଡ଼ିରେ ଆନ୍ଧ୍ରର ଅନୁପ୍ରବେଶ: ଆଜି ପହଞ୍ଚିବ ପ୍ରଶାସନ ଓ ଶାସକ, ବିରୋଧୀ ନିରବ

ପ୍ରଶାସନ ଆଖିରେ ଅନ୍ଧପୁଟୁଳି, ବିଭିନ୍ନ ମହଲରେ ତୀବ୍ର ପ୍ରତିକ୍ରିୟା

କୁଲାଡ଼ିରେ ଆନ୍ଧ୍ରର ଅନୁପ୍ରବେଶ: ଆଜି ପହଞ୍ଚିବ ପ୍ରଶାସନ ଓ ଶାସକ, ବିରୋଧୀ ନିରବ

Representational image

ପାତ୍ରପୁର: ଗଞ୍ଜାମ ଜିଲ୍ଲା ପାତ୍ରପୁର ବ୍ଲକ୍ ଆଦିବାସୀଅଧ୍ୟୁଷିତ ତୁମ୍ବା ପଞ୍ଚାୟତ କୁଲାଡ଼ି ଗ୍ରାମରେ ଆନ୍ଧ୍ରପ୍ରଦେଶ ଧସେଇ ପଶିବା, ଆନ୍ଧ୍ର ପ୍ରଶାସନ ପକ୍ଷରୁ ବେଆଇନ ଭାବେ ଏହି ଗାଁରେ ଓଭର୍‌ହେଡ୍‌ ପାଣିଟାଙ୍କି ନିର୍ମାଣ ଘଟଣା ସାମ୍ନାକୁ ଆସିବା ପରେ ଚର୍ଚ୍ଚା ଜୋର୍ ଧରିଛି। ସ୍ଥାନୀୟ ପ୍ରଶାସନର ଜାଣତରେ କିଭଳି ଏଠାରେପ ଆନ୍ଧ୍ର ସରକାରଙ୍କ ଦ୍ବାରା ପାଇପ୍‌ ଜଳଯୋଗାଣ ପ୍ରକଳ୍ପ ଓ ପାଣିଟାଙ୍କି ନିର୍ମାଣ ଚାଲିଛି ଏହାକୁ ନେଇ ବର୍ତ୍ତମାନ ବୁଦ୍ଧିଜୀବୀ ମହଲରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ଏ ନେଇ ତୁମ୍ବା ସରପ‌ଞ୍ଚ ପ୍ରଶାନ୍ତ କୁମାର ସେଠୀଙ୍କ ସହ ଯୋଗାଯୋଗ କରିବାରୁ ସେ କହିଛନ୍ତି, ଆସନ୍ତା କାଲି ପ୍ରଶାସନର ଏକ ଟିମ୍ ସେଠାରେ ପହଞ୍ଚି ତଦନ୍ତ କରିବ ବୋଲି ତାଙ୍କୁ ସୂଚନା ଦିଆଯାଇଛି। ଏହି ଅବସରରେ ପାଣିଟାଙ୍କି ନିର୍ମାଣରେ ନିୟୋଜିତ ଆନ୍ଧ୍ରପ୍ରଦେଶର ନିର୍ମାଣକାରୀ ସଂସ୍ଥାକୁ ତାଗିଦ୍ କରାଯିବ।

ତେବେ କେବଳ ଏହି ଗୋଟିଏ ଘଟଣା ନୁହେଁ, ବିଭିନ୍ନ ମାଧ୍ୟମରେ ଆନ୍ଧ୍ରପ୍ରଦେଶ ପ୍ରଶାସନ ପାତ୍ରପୁର ବ୍ଲକ୍‌ର ବିଭିନ୍ନ ସୀମାନ୍ତ ଗ୍ରାମରେ ଅନୁପ୍ରବେଶ କରି ସ୍ଥିତି ଜାହିର୍ କରିବାକୁ ଚେଷ୍ଟା କରୁଛି। ବର୍ଷ ବର୍ଷ ଧରି ଆନ୍ଧ୍ରପ୍ରଦେଶ ସରକାର ସୀମାନ୍ତ ଗ୍ରାମବାସୀଙ୍କୁ ସମସ୍ତ ମୌଳିକ ସୁବିଧା ଯୋଗାଇ ଦେଉଥିବା ବେଳେ ଆମ ରାଜ୍ୟର ଶାସକ ଓ ବିରୋଧୀ ଦଳମାନେ ନିରବଦ୍ରଷ୍ଟା ସାଜିଛନ୍ତି। ଆଉ ପ୍ରଶାସନ ଆଖିରେ ଅନ୍ଧପୁଟୁଳି ବାନ୍ଧି ବସିଥିବା ମତପ୍ରକାଶ ପାଇଛି। କେବଳ ଭୋଟ୍ ଆସିଲେ ଆଦିବାସୀଙ୍କ କଥା ମନେପଡ଼ୁଛି।

କିଛିଦିନ ତଳେ ଆନ୍ଧ୍ର ସରକାର ଓଡ଼ିଶାର କିଛି ଆଦିବାସୀଅଧ୍ୟୁଷିତ ଗ୍ରାମରେ ପଟ୍ଟା ବାଣ୍ଟିବା ଖବର ସାମ୍ନାକୁ ଆସିଥିଲା। ସେହିପରି ସ୍ବାସ୍ଥ୍ୟକାର୍ଡ଼, ଶିକ୍ଷା, ରାସନ୍ ଓ ଭତ୍ତା ଆଦି ସୁବିଧା ଯୋଗାଇ ଦିଆଯାଉଥିବା ଜଣା ପଡ଼ିଥିଲା। ଏପରକି ଆନ୍ଧ୍ର ସରକାର ଆଦିବାସୀଙ୍କୁ ଭୋଟର୍ କାର୍ଡ଼ ଯୋଗାଇ ଦେଇଛନ୍ତି। ଏତେସବୁ ଘଟଣା ଜଣାପଡ଼ିବା ପରେ ବ୍ଲକ୍ ପ୍ରଶାସନ ପକ୍ଷରୁ ସମିତି ବୈଠକରେ ଏହି ପ୍ରସଙ୍ଗ ନଉଠିବା ଦୁଃଖର ବିଷୟ ବୋଲି ମତପ୍ରକାଶ ପାଇଛି। ଅଧିକାରୀମାନଙ୍କଠୁ ଆରମ୍ଭ କରି ଅଧ୍ୟକ୍ଷ ଏବଂ ସମସ୍ତ ପଞ୍ଚାୟତର ଜନପ୍ରତିନିଧି କେବଳ ନିରବଦ୍ରଷ୍ଟା ସାଜିଛନ୍ତି। ଦିବାସୀଅଧ୍ୟୁଷିତ ଇଲାକାରେ ବିକାଶର ରୂପରେଖ ପ୍ରସ୍ତୁତ କରିବାକୁ କାହିଁକି ତତ୍ପରତା ପ୍ରକାଶ ପାଉନି ବୋଲି ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe