ମୋବାଇଲ ଟାୱାର ଦାବିରେ ଭୋଟ୍‌ ବର୍ଜନ ପ୍ରସଙ୍ଗ; ଟାୱାର ନିର୍ମାଣ ପାଇଁ ପ୍ରଶାସନର ସ୍ଥାନ ନିରୂପଣ

Advertisment
ମୋବାଇଲ ଟାୱାର ଦାବିରେ ଭୋଟ୍‌ ବର୍ଜନ ପ୍ରସଙ୍ଗ; ଟାୱାର ନିର୍ମାଣ ପାଇଁ ପ୍ରଶାସନର ସ୍ଥାନ ନିରୂପଣ

ଦେବଗଡ଼ : ମୋବାଇଲ ଟାୱାର ନାହିଁ ତ ଭୋଟ୍ ନାହିଁ, ଏହି ଦାବିରେ ଦେବଗଡ଼ ଜିଲ୍ଲା ତିଲେଇବଣି ବ୍ଲକ୍ ଡିମିରିକୁଦା, ଗଣ୍ଡମ, ଝରାଗୋଗୁଆ, ପାରପୋଷି, ଝାରମୁଣ୍ଡା ପଞ୍ଚାୟତବାସୀ ଭୋଟ୍‌ ବର୍ଜନ ନିଷ୍ପତ୍ତ ନେଇଥିଲେ। ଫଳରେ ନାମାଙ୍କନପତ୍ର ଦାଖଲର ଶେଷ ଦିନରେ ବି କୌଣସି ପ୍ରାର୍ଥୀ ପ୍ରାର୍ଥିପତ୍ର ଦାଖଲ କରିପାରି ନଥିଲେ। ପ୍ରାର୍ଥୀ ନଥିବା ଆସନ ପାଇଁ ଗତକାଲିଠାରୁ ନାମାଙ୍କନ ଦାଖଲ ଆରମ୍ଭ ହୋଇଥିଲା। ମାତ୍ର ନାମାଙ୍କନପତ୍ର ଦାଖଲ ନ କରିବା ଜିଦରେ ପଞ୍ଚାୟତବାସୀ ଅଟଳ ଥିଲେ। ପରେ ଝରାଗୋଗୁଆ ଖେଳପଡ଼ିଆରେ ପୁଣିଥରେ ଏକ ସର୍ବଦଳୀୟ ବୈଠକ ଅନୁଷ୍ଠିତ ହୋଇଥିଲା। ଟାୱାର ନିର୍ମାଣ ଆରମ୍ଭ ନ ହେବା ପର୍ଯ୍ୟନ୍ତ କେହି ନାମାଙ୍କନ ଭରିବେ ନାହିଁ କି ମତଦାନ କରିବେ ନାହିଁ ବ‌ୋଲି ନିଷ୍ପତ୍ତି ନେଇଥିଲେ।

ଅନ୍ୟପଟେ ରାଜ୍ୟ ସରକାର ପଞ୍ଚାୟତବାସୀଙ୍କ ଦୁଃଖ ବୁଝିବା ସହିତ ଟାୱାର ନିର୍ମାଣ ପ୍ରସଙ୍ଗ କେନ୍ଦ୍ର ସରକାରଙ୍କ ଅଧୀନରେ ଆସୁଥିଲେ ମଧ୍ୟ ରାଜ୍ୟ ସରକାର ଟାୱାର ନିର୍ମାଣ ନେଇ ତତ୍ପରତା ପ୍ରକାଶ କରିଥିଲେ। ରାଜ୍ୟ ସରକାର ଏ ବାବଦରେ ଏକ ଘରୋଇ ଟେଲିକମ୍ ସଂସ୍ଥା ସହିତ ଆଲୋଚନା ମଧ୍ୟ କରିଥିଲେ। ରବିବାର ଝରାଗୋଗୁଆ ଗ୍ରାମରେ ମୋବାଇଲ ଟାୱାର ନିର୍ମାଣ ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ସ୍ଥାନ ନିରୂପଣ କରାଯାଇଛି। ଏହା ସହିତ ଅନ୍ୟ ପଞ୍ଚାୟତରେ ମଧ୍ୟ ସ୍ଥାନ ନିରୂପଣ କରାଯାଇ ଖୁବ ଶୀଘ୍ର ଟାୱାର ନିର୍ମାଣ କରାଯିବ ବୋଲି ଜଣାପଡିଛି। ଏଥିରେ ତିଲେଇବଣି ବିଡିଓ କୃଷ୍ଣଚନ୍ଦ୍ର ଦଳପତିଙ୍କ ସମେତ ବ୍ଲକ ଅଧିକାରୀ ଏବଂ ଏକ ଘରୋଇ କଂପାନିର କର୍ମଚାରୀମାନେ ଉପସ୍ଥିତ ଥିଲେ।

ଅନ୍ୟପଟେ ଝାରମୁଣ୍ଡା ପଂଚାୟତର କିଛି ପ୍ରାର୍ଥୀ ୱାର୍ଡମେମ୍ବର ପାଇଁ ନାମାଙ୍କନପତ୍ର ଦାଖଲ କରିଥିବା ଜଣାପଡ଼ିଛି। ଉକ୍ତ ଅଞ୍ଚଳରେ ମୋବାଇଲ ଟାୱାର ନିର୍ମାଣ ପ୍ରକ୍ରିୟା ରାଜ୍ୟ ସରକାର ଆରମ୍ଭ କରିଥିବାରୁ ଅଂଚଳବାସୀଙ୍କ ପକ୍ଷରୁ ରାଜ୍ୟସରକାରଙ୍କୁ ଧନ୍ୟବାଦ ଦିଆଯାଇଛି। ଅନ୍ୟପ‌ଟେ ଆସନ୍ତାକାଲି ସରପଞ୍ଚ ଏବଂ ସମିତିସଭ୍ୟ ପଦ ପାଇଁ ନାମାଙ୍କନପତ୍ର ଦାଖଲ କରାଯିବ ବୋଲି ଜଣାପଡିଛି। ସେମାନଙ୍କ ଅଭିଯୋଗ ଅନୁଯାୟୀ, ଏହି ଅଞ୍ଚଳରେ ମୋବାଇଲ ନେଟୱାର୍କ ଆସୁ ନଥିବାରୁ ଲୋକେ ଶିକ୍ଷା, ସ୍ବାସ୍ଥ୍ୟ ଭଳି ମୌଳିକ ସୁବିଧାରୁ ବଞ୍ଚିତ ହେଉଛନ୍ତି। କରୋନା କାଳରେ ଅନଲାଇନ ଶିକ୍ଷା ମଧ୍ୟ ବାଧାପ୍ରାପ୍ତ ହୋଇଛି। ନେଟୱାର୍କ ସମସ୍ୟା ଯୋଗୁଁ ଏହି ଅଞ୍ଚଳରେ ଛାତ୍ରଛାତ୍ରୀ ପାଠପଢ଼ାରୁ ବଞ୍ଚିତ ହେଉଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe