Advertisment

ଲକ୍‌ଡାଉନ୍‌ ପରେ ଫେରିବେ କି ଦାଦନ ଶ୍ରମିକ?

Advertisment
ପ୍ରବାସୀ ଶ୍ରମିକଙ୍କ ବାସ୍ତବ ସଂଖ୍ୟା କେତେ: କଂଗ୍ରେସ

Ommcom News

ଭୁବନେଶ୍ୱର, (ବିମଳ ପ୍ରସାଦ): ୧୪ ଏପ୍ରିଲ୍‌ ୨୦୨୦ ପରେ ଆଉ ଲକ୍‌ଡାଉନ୍‌ ଅବଧି ବଢ଼ିବ ନାହିଁ ବୋଲି ସରକାରୀ ଭାବେ ସ୍ପଷ୍ଟ ହୋଇସାରିଛି। ତେବେ ବିମାନ, ରେଳଗାଡ଼ି ଓ ବସ୍‌ ଚଳାଚଳ ୧୫ ତାରିଖରୁ ସ୍ୱାଭାବିକ ହେବ କି ସେଥିରେ କଟକଣା ଲାଗୁ ହେବ, ତାହା ଉପରେ କୌଣସି ସ୍ପଷ୍ଟ ନିଷ୍ପତ୍ତି ଆଜି ସୁଦ୍ଧା ହୋଇନାହିଁ। ଏଥିରେ ଦ୍ୱିରୁକ୍ତି ନାହିଁ ଯେ ଲକ୍‌ଡାଉନ୍‌ ଘୋଷଣା ଏକ ଆକସ୍ମିକ ନିଷ୍ପତ୍ତି ଥିଲା। ଏଥିପାଇଁ ପ୍ରାକ୍‌ପ୍ରସ୍ତୁତି ନଥିଲା। ଗଯାନବାହନ ବନ୍ଦ ପାଇଁ ନୁହେଁ, ବରଂ କଳକାରଖାନା, ଶିଳ୍ପ ଓ ଉଦ୍ୟୋଗ ସବୁ ବନ୍ଦ ହୋଇଯିବା ଯୋଗୁ ସେଥିରେ କର୍ମରତ ଶ୍ରମିକମାନେ ନିଜ ଘରକୁ ଫେରିବାକୁ ବାଧ୍ୟ ହୋଇ ମଧ୍ୟ ଫେରିପାରିନାହାନ୍ତି। ଭିଟାମାଟିକୁ ବାହୁଡ଼ିବାର ମାତ୍ରାଧିକ ମୋହ ଯୋଗୁ ଯେତେ ଟଙ୍କା ଲାଗୁ ପଛେ କିଛି ସଂଖ୍ୟାରେ ଶ୍ରମିକମାନେ ଆମ୍ବୁଲାନ୍ସରେ ଫେରିଆସିଛନ୍ତି। ଅଥବା ସଡ଼କପଥରେ ଚାଲି ନପାରି ସମାନ୍ତରାଳ ଜଙ୍ଗଲୀ ପାଦଚଲା ରାସ୍ତା ସନ୍ଧାନ କରି ଆଉ କିଛି ନିଜ ଗାଆଁରେ ପହଞ୍ଚିଛନ୍ତି। ସେମାନଙ୍କୁ ସଙ୍ଗରୋଧ କେନ୍ଦ୍ରରେ ବା ଘର ଠାରୁ ଦୂରରେ ଏକାନ୍ତବାସରେ ରଖାଯାଇଥିଲେ ମଧ୍ୟ ନିଜ ଆତ୍ମୀୟ ସ୍ୱଜନ ପ୍ରିୟ ପରିଜନଙ୍କ ମୁହଁ ଦେଖି ସେମାନେ ଆଶ୍ୱସ୍ତ ଅଛନ୍ତି। ଏପରକି କେହି କେହି ମାଲଗାଡ଼ିରେ ବା ପରିବା ଗାଡ଼ିରେ ଆସିପାରିବାକୁ ଏକ ପାରିବାପଣିଆ ବିଚାରିଛନ୍ତି। ଏଭଳି ପ୍ରକ୍ରିୟା ଜାରି ରହିଛି ଏବଂ ଏପ୍ରିଲ୍‌ ୧୪ ତାରିଖ ପର୍ଯ୍ୟନ୍ତ ମଧ୍ୟ ଲାଗି ରହିବ। କାରଣ ଲକ୍‌ଡାଉନ୍‌ ହେଉଛି ଦେଶବାସୀଙ୍କ ଜୀବନରକ୍ଷାର ଏକ ଉପାୟ, ଜୀବିକା ରକ୍ଷାର ନୁହେଁ। ବରଂ ଯାହା ଯେତିକି ରୋଜଗାର କରିଥିଲେ, ସେତକ ସବୁ ଖର୍ଚ ହୋଇସାରିଛି ଅନେକ ଦାଦନ ଶ୍ରମିକଙ୍କର। ଏବେ କେବଳ ଅନ୍ତଛତ୍ର ଓ ମାଗଣା ଧର୍ମଶାଳା (ସଂପୃକ୍ତ ରାଜ୍ୟର ସ୍ଥାନୀୟ ସଙ୍ଗରୋଧ କେନ୍ଦ୍ର ବୁଝନ୍ତୁ) ଭରସା।

ଯେଉଁମାନେ ବିମାନରେ ଫେରିବାକୁ ଟିକଟ କାଟିଛନ୍ତି ଅବା ସେଥିପାଇଁ ରେଳଗାଡ଼ିର ଉଚ୍ଚଶ୍ରେଣୀରେ ଟିକଟ କରିଛନ୍ତି ଅବା ବର୍ଥ ଆରକ୍ଷିତ କରିଛନ୍ତି, ସେଇ ମଣିଷମାନଙ୍କ କଥା ଏଠାରେ ଚର୍ଚା କରୁନାହୁଁ। ଯେଉଁ ବର୍ଗର ଶ୍ରମିକମାନଙ୍କର ମାସିକ ଅନ୍ୟୂନ ୫ଟି ଶବ ଓଡ଼ିଶାକୁ ଫେରିବା ପାଇଁ ସରକାରୀ ଓ ବେସରକାରୀ ସଂଗଠନର ଠେଙ୍ଗି ଛିଡ଼ିଯାଉଥିଲା, ସେଇ ଅସହାୟ ଓ ନିରୀହ ଦାଦନଶ୍ରମିକଙ୍କ କଥା କହୁଛୁ। କାରଣ ସେମାନେ ଟିକଟ କାଟି ନାହାନ୍ତି କି କାଟିଥିଲେ ବି ଆସନଟିଏ ବସିବା ପାଇଁ ପାଇବେ ନାହିଁ। ତେବେ ସେମାନେ ଆସିବେ କେମିତି? କେବେ ଆସିବେ? ଏ ପ୍ରଶ୍ନର ଉତ୍ତର ସେମାନଙ୍କ ନିଜ ପାଖରେ ନାହିଁ କି, ସେମାନଙ୍କୁ ପ୍ରତିଶ୍ରୁତି ଦେଇଥିବା ଅଧିକାରୀଙ୍କ ପାଖରେ ନାହିଁ। ଏଥିପାଇଁ କୌଣସି ଯୋଜନା ମଧ୍ୟ ପ୍ରସ୍ତୁତ ହୋଇନାହିଁ। ସେମାନେ ଯେଉଁଠି ବି ଥାଆନ୍ତୁ ନା କାହିଁକି ଏପ୍ରିଲ ୧୪ ତାରିଖର ଯଥେଷ୍ଟ ପୂର୍ବରୁ ସେମାନଙ୍କର ସଙ୍ଗରୋଧ ଅବଧି ପୂରଣ ହୋଇସାରିଥିବ। କିନ୍ତୁ ତଥାପି ସେମାନଙ୍କୁ ଛତର ଖାଇବାକୁ ପଡ଼ିବ। କାରଣ ଉତ୍ତରପ୍ରଦେଶ ସରକାର ନିଜ ରାଜ୍ୟର ଏଭଳି ଶ୍ରମିକମାନଙ୍କୁ ଦିଲ୍ଲୀର ଆନନ୍ଦବିହାର ବସ୍‌ ଟର୍ମିନସ୍‌ରୁ ସହସ୍ରାଧିକ ବସ୍‌ରେ ନିଜନିଜ ଗାଆଁକୁ ନେଇଯିବା ଭଳି ଓଡ଼ିଶା ସରକାର ଇଜ୍ଜତର ସହ ଓଡ଼ିଆ ଦାଦନଶ୍ରମିକଙ୍କୁ ଫେରାଇଆଣିବାକୁ କୌଣସି ପରିକଳ୍ପନା କରି ନାହାନ୍ତି। ଅର୍ଥାତ୍‌ ଏପ୍ରିଲ୍‌ ୧୬ ତାରିଖରେ ମଧ୍ୟ ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ସେଭଳି ଶ୍ରମିକମାନେ ପହଞ୍ଚିପାରିବେନି। ଏହା ନିଶ୍ଚିତ ଯେ ସଂକ୍ରମଣ ରୋକିବାକୁ ରେଳଯାତ୍ରୀଙ୍କ ଖାଦ୍ୟପାନୀୟ ଓ ଏହାର ପରିବେଷଣ ଉପରେ କଟକଣା ଲାଗିବା ସହ ଜେନେରାଲ ଡବାର ଯାତ୍ରା ଉପରେ କଟକଣା ନିଶ୍ଚିତ। ତେଣୁ ଭୁବନେଶ୍ୱରରେ ପୂର୍ବତଟ ରେଳବାଇର ମୁଖ୍ୟାଳୟ ଥିବାରୁ ଓଡ଼ିଶା ସରକାର ବରିଷ୍ଠ ରେଳ ଅଧିକାରୀମାନଙ୍କ ସହ ଗମ୍ଭୀରତାର ସହ ଆଲୋଚନା କରି ଫସିରହିଥିବା ଶ୍ରମିକଙ୍କ ପରିବହନ ପାଇଁ ଯୋଜନା ପ୍ରସ୍ତୁତ କରିବା ଦରକାର। ଏହା ସହ ସେମାନେ କୋଭିଡ୍‌-୧୯ ସଂକ୍ରମିତ ନୁହନ୍ତି ବୋଲି ସେମାନେ ଅବସ୍ଥାନ କରୁଥିବା ସହରରେ ହିଁ ପ୍ରମାଣପତ୍ର ଦେବାର ବ୍ୟବସ୍ଥା କରାଯିବା ଦରକାର। କାରଣ ଓଡ଼ିଶାର ସବୁ ଗାଆଁରେ ଏବେ ବହିରାଗତ ଆଗନ୍ତୁକଙ୍କ ଧଡ଼ା ପଡ଼ିଛି, ଯାହାକି ଏଭଳି ରୋଗ ବିରୋଧରେ ଓଡ଼ିଶାର ଗ୍ରାମାଞ୍ଚଳର ଏକ ପାରମ୍ପରିକ ପ୍ରାଚୀର। ସେଇ ପ୍ରାଚୀରକୁ ଭେଦ କରିବାକୁ ରାଜ୍ୟ ସରକାର ଆଗୁଆ ବ୍ୟବସ୍ଥା କରନ୍ତୁ। ସଂକ୍ରମଣ ରୋକିବାକୁ ରେଳଗାଡ଼ିରେ ଯେତେପ୍ରକାର ପ୍ରତିକାରମୂଳକ ବ୍ୟବସ୍ଥା ଗ୍ରହଣ କରାଯାଇପାରିବ, ସେତେ ଭଲ। ତେବେ ନିୟମିତ ଗାଡ଼ିରେ ଭିଡ଼ ହେବାର ନିଶ୍ଚିତ ଆଶଙ୍କା ଥିବାରୁ ରାଜ୍ୟବାସୀଙ୍କ ଦାଦନ ଦୁଃଖ ଟାଳିବାକୁ କିଛି ଇଜ୍ଜତଦାର ପନ୍ଥା ଅବଲମ୍ବନ କରିବା ସର୍ବାଦୌ ଆବଶ୍ୟକ।

ଘରବାହୁଡ଼ା ବ୍ୟାକୁଳତାରେ ଦିନ ଗଣୁଥିବା ଓଡ଼ିଆ ଦାଦନଶ୍ରମିକମାନେ ବିଭିନ୍ନ ସଙ୍ଗରୋଧ କେନ୍ଦ୍ରରେ ଥଇଥାନ ହେବା ପୂର୍ବରୁ ପାଣି ଠାରୁ ପାଉଁରୁଟି ପର୍ଯ୍ୟନ୍ତ ସବୁ ଜିନିଷ ଦୁଇ ଗୁଣାରୁ ପାଞ୍ଚଗୁଣା ଦାମ୍‌ରେ କିଣି ନିଜ ସର୍ବସ୍ୱ ହରାଇସାରିଛନ୍ତି। ପୁଣି କଳକାରଖାନା, ଶିଳ୍ପ, ଉଦ୍ୟୋଗ ଆରମ୍ଭ ହେଲେ ସେମାନେ ପୁଣିଥରେ ସେଠାକୁ ଫେରିବା ପାଇଁ ଟଙ୍କା ଯୋଗାଡ଼ କରିପାରିବେ ନାହିଁ। ଓଡ଼ିଶାରେ କାମଧନ୍ଦାର ଗୁରୁତର ସଙ୍କଟ ରହିଥିବାରୁ, ଓଡ଼ିଶାର ଲକ୍ଷଲକ୍ଷ ଦାଦନଶ୍ରମିକଙ୍କୁ ସେମାନଙ୍କ ପସନ୍ଦର କର୍ମସଂସ୍ଥାନ ସ୍ଥଳକୁ, ମାନେ ରାଜ୍ୟ ବାହାରକୁ ପୁଣି ପଠାଇବା ପାଇଁ କରୋନା ମୁକାବିଲା ଟିମ୍‌ରେ ଥିବା ବିଶେଷଜ୍ଞମାନେ ବିସ୍ତୃତ ଯୋଜନା କରିବା ନିହାତି ଦରକାର।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe