କରୋନା କଟକଣାର ପ୍ରଭାବ : ବାରିପଦା ରକ୍ତ ଭଣ୍ଡାରରେ ରକ୍ତ ସଙ୍କଟକୁ ନେଇ ଦେଖାଦେଲାଣି ଉଦ୍‌ବେଗଜନକ ପରିସ୍ଥିତି

Advertisment
କରୋନା କଟକଣାର ପ୍ରଭାବ : ବାରିପଦା ରକ୍ତ ଭଣ୍ଡାରରେ ରକ୍ତ ସଙ୍କଟକୁ ନେଇ ଦେଖାଦେଲାଣି ଉଦ୍‌ବେଗଜନକ ପରିସ୍ଥିତି

ବାରିପଦା : କରୋନା କାରଣରୁ ହୋଇଥିବା ୨୧ଦିନିଆ ଲକ୍‌ଡାଉନର ପ୍ରଭାବ ସିଧାସଳଖ ବାରିପଦା ରକ୍ତ ଭଣ୍ଡାର ଉପରେ ପଡ଼ିଛି। ଆଜିକା ଦିନରେ ଏଠାରେ ରକ୍ତ ସଙ୍କଟ ଦେଖାଦେଲାଣି। ଗଚ୍ଛିତ ରକ୍ତ ନାହିଁ କହିଲେ ଚଳେ। ଲକ୍‌ଡାଉନ କାରଣରୁ ଆଉ ସ୍ବେଚ୍ଛାକୃତ ରକ୍ତଦାନ ଶିବିର ହେଉନାହିଁ। ରକ୍ତ ଭଣ୍ଡାରରେ ମଧ୍ୟ ରକ୍ତଦାନ ନାହିଁ। ତେଣୁ ଭଣ୍ଡାରରେ ଆଉ ରକ୍ତ ନାହିଁ। ଯାହାକି ଉଦ୍‌ବେଗଜନକ ପରିସ୍ଥିତି ସୃଷ୍ଟି କରୁଛି। ପ୍ରାୟ ଏକ ମାସ ହେବ ରକ୍ତଦାନ ଶିବିର ହୋଇନାହିଁ। ତେଣୁ ଏବେଠାରୁ ଏଥିପ୍ରତି ବିଭିନ୍ନ ସାମାଜିକ ସଂଗଠନ ଦୃଷ୍ଟି ନଦେଲେ ଆଗକୁ ପରିସ୍ଥିତି ଆହୁରି ଜଟିଳ ହୋଇପଡ଼ିବ ବୋଲି ରକ୍ତ ଭଣ୍ଡାର ମୁଖ୍ୟ ଡ. ପି କେ ଦାସ ପ୍ରକାଶ କରିଛନ୍ତି।

ଉଲ୍ଲେଖଯୋଗ୍ୟ ଯେ, ବାରିପଦା ରକ୍ତ ଭଣ୍ଡାରରେ ଦିନକୁ ପ୍ରାୟ ୩୦ ୟୁନିଟ୍‌ରୁ ଊର୍ଦ୍ଧ୍ୱ ୟୁନିଟ୍ ରକ୍ତ ଦରକାର ପଡ଼ିଥାଏ। ଦିନେ ଦିନେ ଏହା ୪୦ ୟୁନିଟ୍ ମଧ୍ୟ ଛୁଇଁଥାଏ। ରକ୍ତ ନଥିଲେ ମଧ୍ୟ ନିହାତି ଜରୁରୀକାଳୀନ ସ୍ଥିତିରେ ପ୍ରସୂତୀ କିମ୍ବା ଅନ୍ୟ କୌଣସି ରୋଗୀଙ୍କୁ ଭଣ୍ଡାରରେ ଗଚ୍ଛିତ ରକ୍ତ ଦିଆଯାଉଛି। ଜିଲ୍ଲାରେ ପ୍ରାୟ ୨୦୦-୨୫୦ ଥାଲାସେମିଆ ରୋଗୀ ଅଛନ୍ତି। ସେମାନଙ୍କ ପାଇଁ ପ୍ରତିମାସକୁ ୨୦୦ ୟୁନିଟ୍‌ରୁ ଊର୍ଦ୍ଧ୍ୱ ରକ୍ତ ଆବଶ୍ୟକ ହୋଇଥାଏ। ପୂର୍ବରୁ ମୟୂରଭଞ୍ଜ ଜିଲ୍ଲା ସମେତ ବାଲେଶ୍ବରରୁ ମଧ୍ୟ କିଛି ରକ୍ତ ସଂଗ୍ରହ ହୋଇଥାଏ। ମାତ୍ର ବର୍ତ୍ତମାନ ସେପରି ସ୍ଥିତି ନାହିଁ। ଅଳ୍ପ କିଛି କିଛି ରକ୍ତଦାତାଙ୍କୁ ନେଇ ସ୍ବେଚ୍ଛାକୃତ ରକ୍ତଦାନ ଶିବିର ରକ୍ତଭଣ୍ଡାର ପରିସରରେ ଆୟୋଜନ ହୋଇପାରିବ। ଯଦି ପ୍ରତିଦିନ କିଛି କିଛି ରକ୍ତ ସଂଗ୍ରହ ହୁଏ ତେବେ ସ୍ଥିତିକୁ ନିୟନ୍ତ୍ରଣ କରିହେବ ବୋଲି ଡ. ଦାସ କହିଛନ୍ତି। ରକ୍ତ ପାଇଁ ଦୈନିକ ଏଠାରେ ପାଟିଗୋଳ ଭଳି ପରିସ୍ଥିତି ଦେଖାଗଲାଣି। ଜଣେ ରକ୍ତ ଦେଲେ ଜଣଙ୍କୁ ରକ୍ତ ମିଳିପାରିବା ଭଳି ସ୍ଥିତି ରହିଛି। ତେଣୁ ଏହାକୁ ଦୃଷ୍ଟିରେ ରଖି ସାମାଜିକ ସଂଗଠନ ଆଗେଇ ଆସିବାକୁ ଆହ୍ୱାନ ଦେଇଛନ୍ତି ଡ. ଦାସ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe