ଲକ୍‌ଡାଉନ୍ ଉଲ୍ଲଂଘନ : କମୁଥିଲା, ପୁଣି ବଢ଼ିଲାଣି; ୨୪ଘଣ୍ଟାରେ ୨୪୫, ପୁଲିସ ପାଇଁ ବଢ଼ୁଛି ଚାଲେଞ୍ଜ

Advertisment
ଅନ୍‌ଲକ୍-୩ ନିର୍ଦ୍ଦେଶାବଳି : ରାତି କଟକଣା ଉଠିଲା

ଭୁବନେଶ୍ବର : କରୋନା ଭୂତାଣୁକୁ ହରାଇବାକୁ ହେଲେ ସାମାଜିକ ଦୂରତ୍ବ ଓ ସଙ୍ଗରୋଧ ଏକମାତ୍ର ବାଟ ବୋଲି ସରକାର, ପୁଲିସ ସଚେତନ କରିକରି ଥକି ଗଲେଣି। କିନ୍ତୁ ମତେ ଯେତେ ମାଠିବୁ ମାଠ ନ୍ୟାୟରେ ଲୋକେ ଅମାନିଆ। ପୁଲିସର କୋହଳ କାର୍ଯ୍ୟାନୁଷ୍ଠାନ ଯୋଗୁଁ ଲୋକେ ଆହୁରି ଅମାନିଆ ହେବାରେ ଲାଗିଛନ୍ତି। ମାମଲା ସଂଖ୍ୟା କମି ଆସୁଥିବା ବେଳେ ଏବେ ପୁଣି ହଠାତ୍‌ ବଢ଼ି ଯାଇଛି। ଆଇନ ଉଲ୍ଲଂଘନ ଅଭିଯୋଗରେ ଗତ ୨୪ଘଣ୍ଟା ଭିତରେ ୨୪୫ଟି ମାମଲା ରୁଜୁ ହୋଇଛି। ୧ତାରିଖ ସକାଳୁ ୨ ତାରିଖ ସକାଳ ଭିତରେ ଲକ୍‌ଡାଉନ୍ ଉଲ୍ଲଂଘନ ଅଭିଯୋଗରେ ୨୨୯ଟି ମାମଲା ରୁଜୁ ହୋଇଛି। ଗୃହ ସଂଗରୋଧ ଆଇନ ଭାଙ୍ଗିବା ଅଭିଯୋଗରେ ରାଜ୍ୟର ବିଭିନ୍ନ ସ୍ଥାନରେ ୬ଟି ମାମଲା ରୁଜୁ ହୋଇଛି। ପୂର୍ବ ୬ଦିନର ମାମଲାକୁ ଯଦି ଅନୁଧ୍ୟାନ କରିବା, ତା’ ହେଲେ ଲକ୍‌ଡାଉନ୍‌ ମାମଲା କମୁଥିବା ବେଳେ ଗତ ୨ ଦିନ ମଧ୍ୟରେ ଏହା ହଠାତ୍ ବଢ଼ି ଯାଇଥିବା ଜଣାଯାଇଛି।

ସୂଚନା ଅନୁସାରେ, ୨୬ତାରିଖ ସକାଳୁ ୨୭ ତାରିଖ ସକାଳ ଭିତରେ ୩୯୩ଟି ମାମଲା ରୁଜୁ ହୋଇଥିଲା। ସେହିପରି ୨୭ ତାରିଖ ସକାଳୁ ୨୮ ତାରିଖ ସକାଳ ଭିତରେ ମାମଲା ସଂଖ୍ୟା କମି ୩୨୪ରେ ପହଞ୍ଚିଥିଲା। ୨୮ତାରିଖରୁ ୨୯ ତାରିଖ ସକାଳ ପର୍ଯ୍ୟନ୍ତ ୫୭ ମାମଲା କମି ୨୬୭ରେ ପହଞ୍ଚିଥିଲା। ୨୯ରୁ ୩୦ ତାରିଖ ସକାଳ ଭିତରେ ପ୍ରାୟ ୪୦ଟି ମାମଲା କମି ୨୨୪ରେ ପହଞ୍ଚିଥିଲା। ୩୦ରୁ ୩୧ ତାରିଖ ଭିତରେ ଏହି ମାମଲା ସଂଖ୍ୟା କମି ୨୦୯ରେ ପହଞ୍ଚିଥିଲା। କିନ୍ତୁ ଗତ ଦୁଇ ଦିନ ହେଲା ମାମଲା ସଂଖ୍ୟା ପୁଣି ବଢ଼ିବାରେ ଲାଗିଛି। ୩୧ରୁ ୧ ତାରିଖ ଭିତରେ ମାମଲା ସଂଖ୍ୟା ବଢ଼ି ୨୧୯ରେ ପହଞ୍ଚିଥିଲା। ଆଉ ୧ ତାରିଖ ସକାଳୁ ୨ ତାରିଖ ସକାଳ ଭିତରେ ଆହୁରି ମାମଲା ବଢ଼ି ୨୪୫ରେ ପହଞ୍ଚିଥିଲା।

ଲକ୍‌ଡାଉନ୍ ଆଇନ ଉଲ୍ଲଂଘନ ବଢ଼ିବା ନେଇ ଦୁଇ ତିନୋଟି ଦିଗ ସାମ୍ନାକୁ ଆସିଛି। ଆମିଷ ବାରରେ ଲୋକ ଦୂର ଜାଗାକୁ ଯାଇ ଆମିଷ ଆଣୁଥିବା ଦେଖିବାକୁ ମିଳୁଛି। କେତେକ ସ୍ଥାନରେ ଆମିଷ ବଜାର ଦୂରରେ ଥିବାରୁ ଲୋକେ ଯିବାକୁ ବାଧ୍ୟ ହେଉଛନ୍ତି। ସେହିପରି ପାଖ ବଜାରରୁ ପରିବା, ସଉଦା ନ କିଣି ଦୂରକୁ ଯାଇ ଆଣୁଛନ୍ତି। ଏହାବାଦ୍ ବିନା କାମରେ କିଛି ଯୁବକ ଗାଡ଼ି ଧରି ବୁଲୁଥିବା ବେଳେ ପୁଲିସ ହାବୁଡ଼ରେ ପଡୁଛନ୍ତି। ଆଗକୁ ପୁଲିସ କାର୍ଯ୍ୟାନୁଷ୍ଠାନ ବଢ଼ିବ ବୋଲି ଜଣାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe