ଅକ୍ଷୟ ତୃତୀୟା ସୁନା ବେପାର : ଗତବର୍ଷ ବୁଡ଼ାଇଥିଲା ଫନି, ଏବର୍ଷ କରୋନା

Advertisment
ଅକ୍ଷୟ ତୃତୀୟା ସୁନା ବେପାର : ଗତବର୍ଷ ବୁଡ଼ାଇଥିଲା ଫନି, ଏବର୍ଷ କରୋନା

justdial.com

ଭୁବନେଶ୍ବର : ଅକ୍ଷୟ ତୃତୀୟ ଭଳି ପବିତ୍ର ଦିନରେ ସୁନା କିଣିଲେ ଘରକୁ ଲକ୍ଷ୍ମୀ ଆସନ୍ତି ବୋଲି ଲୋକମାନଙ୍କ ମନରେ ଧାରଣା ରହିଛି। ତାହାକୁ ପାଥେୟ କରି ପ୍ରତିବର୍ଷ ଗହଣା ଦୋକାନୀମାନେ ବିପୁଳ ପରିମାଣର ସୁନା ଓ ଗହଣା ବିକ୍ରି କରିଥାନ୍ତି। କିନ୍ତୁ ଗତବର୍ଷ ଠାରୁ ଅକ୍ଷୟ ତୃତୀୟା ସୁନା ବେପାରକୁ କଳଙ୍କ ଲାଗିଯାଇଛି। ୨୦୧୯ ମେ’ ୭ରେ ଅକ୍ଷୟ ତୃତୀୟା ପଡ଼ିଥିଲା। ସେହି ମାସର ପ୍ରଥମ ସପ୍ତାହରେ ସାମୁଦ୍ରିକ ଝଡ଼ ଫନି ରାଜ୍ୟର ଉପକୂଳ ଅଞ୍ଚଳରେ ବ୍ୟାପକ କ୍ଷୟକ୍ଷତି କରିବାରୁ ଅକ୍ଷୟ ତୃତୀୟ ଦିନ ସୁନା ବେପାର ସମ୍ପୂର୍ଣ୍ଣ ଠପ୍ ହୋଇଯାଇଥିଲା। ଆସନ୍ତାକାଲି ଅକ୍ଷୟ ତୃତୀୟ ପାଳନ କରାଯାଉଥିବା ବେଳେ କରୋନା ମୁକାବିଲା ଲାଗି ଘୋଷଣା କରାଯାଇଥିବା ଲକ୍‌ଡାଉନ୍ ପ୍ରଭାବରେ ସୁନା ଦୋକାନଗୁଡ଼ିକ ବନ୍ଦ ରହିବ ବୋଲି କୁହାଯାଉଛି। ଯଦିଓ କିଛି ଦୋକାନ ଖୋଲିବା ଲାଗି କେନ୍ଦ୍ର ସରକାର ଅନୁମତି ଦେଇଛନ୍ତି, ସେହି ଦୋକାନ ତାଲିକାରେ ଛୋଟ କିମ୍ବା ବଡ଼ ସୁନା ଦୋକାନଗୁଡ଼ିକୁ ଅନୁମତି ମିଳିବ ନା ନାହିଁ ତାହାକୁ ନେଇ ବ୍ୟବସାୟୀମାନେ ସନ୍ଦେହରେ ରହିଛନ୍ତି।

ଆସନ୍ତାକାଲିର ବ୍ୟବସାୟ ସମ୍ପର୍କରେ ଓଡ଼ିଶା ଜୁଏଲର୍ସ ସଂଘ (ଓଜେଏ)ର ସମ୍ପାଦକ ମହେଶ ବର୍ମା କହିଛନ୍ତି ଯେ, ବିଭିନ୍ନ ପ୍ରକାର ଦୋକାନ ଖୋଲିବା ଲାଗି ସରକାର ସର୍ତ୍ତମୂଳକ ଅନୁମତି ଦେଉଥିବା ଖବର ଆମେ ପାଇଛୁ। କିନ୍ତୁ ସୁନା ଦୋକାନ ଖୋଲିବା ନେଇ ଆମେ କୌଣସି ନିର୍ଦେଶ କିମ୍ବା ସର୍କୁଲାର ପାଇନାହୁଁ। ଯଦି ଆସନ୍ତାକାଲି ସୁନା ଦୋକାନ ଖୋଲିବ ତେବେ ମଧ୍ୟ ବିକ୍ରି ଆଶାନୁରୂପ ହେବ ନାହିଁ। କାରଣ ସୁନାର ୧୦ ଗ୍ରାମ ପିଛା ଦାମ୍ ୪୦ ହଜାର ଟଙ୍କାରୁ ଅଧିକ ସ୍ତରରେ ରହିଛି। ଲକ୍‌ଡାଉନ୍ ସମୟରୋ ଏତେ ଟଙ୍କା ଦେଇ କୌଣସି ଗ୍ରାହକ ସୁନା କିଣିବାକୁ ଚାହିବେ ନାହିଁ। ଗ୍ରାହକମାନେ ନାମକୁ ମାତ୍ର ସୁନା କିଣିବେ ଯାହା ‌ବ୍ୟବସାୟ ପାଇଁ ବିଶେଷ ସହାୟକ ହେବନି ବୋଲି ସେ କହିଛନ୍ତି। ବର୍ତ୍ତମାନର ସମୟ ଜୀବନ ରକ୍ଷା କରିବା ଉପରେ ଧ୍ୟାନ ଦେବା ପାଇଁ ବେପାର ଲାଗି ନୁହେଁ ବୋଲି ସେ କହିଛନ୍ତି।

ଗତବର୍ଷ ଅକ୍ଷୟ ତୃତୀୟା ଦିନ ଭୁବନେଶ୍ବରରେ ସୁନାର ୧୦ ଗ୍ରାମ ପିଛା ଦାମ୍ ୩୨,୦୩୦ ଟଙ୍କକା ଥିଲା। ରୁପା କିଲୋ ଦାମ୍ ୩୮,୨୦୦ ଟଙ୍କା ଥିଲା। ଚଳିତ ବର୍ଷ କୌଣସି ଦୋକାନ ଖୋଲାନଥିବାରୁ ଦାମ୍ କେତେ ଅଛି ତାହା ଜଣାପଡ଼ିନାହିଁ। ଆସନ୍ତାକାଲିର ବ୍ୟବସାୟ ସମ୍ପର୍କରେ ଜାଣିବା ଲାଗି ଅନେକ ସୁନା ଗହଣା ସୋ’ରୁମ୍‌ର ପରିଚାଳନା କର୍ତ୍ତୃପକ୍ଷଙ୍କ ସହ ଯୋଗାଯୋଗ କରାଯାଇଥିଲେ ମଧ୍ୟ କେହି ଦେଇନାହାନ୍ତି। କିଛି କହିବାକୁ ସେମାନେ ରୋକଠୋକ୍ ମନା କରିଦେଇଛନ୍ତି। ୨୦୧୮ ଅକ୍ଷୟ ତୃତୀୟାରେ ରାଜ୍ୟରେ ପ୍ରାୟ ୫ କ୍ବିଣ୍ଟାଲ୍‌ ସୁନା ବିକ୍ରି ହୋଇଥିଲା ଯାହାର ମୂଲ୍ୟ ପ୍ରାୟ ୧୪୦ କୋଟି ଟଙ୍କା ହେବ। ୨୦୧୯ ଅକ୍ଷୟ ତୃତୀୟା ଦିନ ରେ ଫନି ପ୍ରଭାବରେ ରାଜ୍ୟରେ ସୁନା ବେପାର ୧୦୦ କୋଟି ଟପିନଥିଲା। ପ୍ରାୟ ୯୦-୯୫ କୋଟି ଟଙ୍କା ଭିତରେ ବ୍ୟବସାୟ ସୀମିତ ରହିଥିଲା। ଅନଲାଇନ୍‌ରେ ସୁନା ସାର୍ଟିଫିକେଟ୍‌ ଓ ବଣ୍ଡ୍‌ ବିକ୍ରି କରିବା ଲାଗି କଲ୍ୟାଣ ଜୁଏଲର୍ସ ଓ ସେନ୍‌କୋ ଗୋଲ୍ଡ ଆଣ୍ଡ୍‌ ଡାଇମଣ୍ଡସ୍‌ ଭଳି ସଂସ୍ଥା ନିଷ୍ପତ୍ତି ନେଇଛନ୍ତି। କିନ୍ତୁ ଅକ୍ଷୟ ତୃତୀୟା ଦିନ କେହି ସୁନାର ଡେଲିଭରି ପାଇବେ ନାହିଁ। ଯେଉଁମାନେ ସୁନା ସାର୍ଟିଫିକେଟ୍ କିଣିବେ ଲକ୍‌ଡାଉନ୍ ଅବଧି ଶେଷ ହେବା ପରେ ସ୍ଥିତି ସ୍ବାଭାବିକ ହେଲେ ସେମାନଙ୍କୁ ସୁନାର ଡେଲିଭରି ମିଳିବ। ଏମିତିରେ ଲୋକମାନେ ଅନଲାଇନ୍‌ରେ ସୁନା କିଣିବା ଲାଗି ବିଶେଷ ଆଗ୍ରହ ଦେଖାନ୍ତି ନାହିଁ ବୋଲି ଶ୍ରୀ ବର୍ମା କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe