ଝାରସୁଗୁଡ଼ା : କରୋନା କଟକଣା ଯୋଗୁଁ ଜମିରେ ପଚି ନଷ୍ଟ ହେଉଛି ତରଭୁଜ ଓ ମାଖନ, ଚିନ୍ତାରେ ଚାଷୀ

ଝାରସୁଗୁଡ଼ା : କରୋନା କଟକଣା ଯୋଗୁଁ ଜମିରେ ପଚି ନଷ୍ଟ ହେଉଛି ତରଭୁଜ ଓ ମାଖନ, ଚିନ୍ତାରେ ଚାଷୀ

ଝାରସୁଗୁଡ଼ା : ଥରେ ଅଧେ ନୁହେଁ ତିନି ତିନି ଥର ତରଭୁଜ ଓ ମାଖନ ଚାଷ ଉପରେ ଦାଉ ସାଧୁଛି ପ୍ରକୃତି। ଚାଷ ଆରମ୍ଭରୁ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିବା ଚାଷୀ ଫସଲ ହେଲା ବେଳେ ମଧ୍ୟ ତାକୁ ବିକ୍ରି କରି ପାରୁନାହିଁ। ବିଲ ଉପରେ ବସି ଏବେ ଚାଷୀ ଭାଗ୍ୟକୁ ଆଦରି କାନ୍ଦିବା ଛଡ଼ା ଆଉ କୌଣସି ଉପାୟ ପାଉନାହିଁ। ଝାରସୁଗୁଡ଼ା ଜିଲ୍ଲାର ପନିପରିବା ଚାଷ କ୍ଷତିଗ୍ରସ୍ତ ହୋଇଥିବା ଖବର ପ୍ରସାରିତ ହୋଇଥିବା ବେଳେ ଏବେ ଜିଲ୍ଲାର ତରଭୁଜ ଓ ମାଖନ ଚାଷ କରୁଥିବା ଚାଷୀ ଏବେ ମୁଣ୍ଡରେ ହାତ ଦେଇ ବସିଛନ୍ତି।

publive-image

ଜିଲ୍ଲାରେ ମାର୍ଚ୍ଚ ମାସରୁ ତରଭୁଜ ବ୍ୟବସାୟ ଆରମ୍ଭ ହୋଇ ଜୁଲାଇ ଅଗଷ୍ଟ ପର୍ଯ୍ୟନ୍ତ ଚାଲିଥାଏ। ଚାଷୀ ଏଥିପାଇଁ ଋଣ କରଜ ସହିତ ବିଭିନ୍ନ ସରକାରୀ, ବେସରକାରୀ ସଂସ୍ଥାରୁ ଋଣ କରି ଚାଷରେ ବିନିଯୋଗ କରି ଆଦାୟ ବେଳେ ଭଲ ଦୁଇପଇସା ରୋଜଗାର କରିଥାଏ। ମାତ୍ର ଚଳିତ ବର୍ଷ ସବୁ କିଛି ଓଲଟପାଲଟ ହୋଇଯାଇଥିବା ଚାଷୀ ଅଭିଯୋଗ କରିଛି। ଚାଷ ଆରମ୍ଭରୁ ଏଥର ଗୋଟିଏ ପରେ ଗୋଟିଏ ସମସ୍ୟା ଚାଷୀର ମେରୁଦଣ୍ଡକୁ ଦୋହଲାଇ ଦେଇଥିବା ଚାଷୀ କହିଛି। ଜିଲ୍ଲାର ଲଖନପୁର ଓ ଲଇକେରା ବ୍ଲକରେ ବେଶୀ ପରିମାଣରେ ତରଭୁଜ ଓ ମାଖନ ଚାଷ କରାଯାଇଥାଏ। ଲଖନପୁର ବ୍ଲକର ପଞ୍ଚଗାଁ, ଭିକମପାଲି, କତରବଗା, ପିଥିଣ୍ଡା ତଥା ହୀରାକୁଦ ଜଳଭଣ୍ଡାର ପଛୁଆ ଅଞ୍ଚଳର ବିଭିନ୍ନ ସ୍ଥାନରେ ଚାଷୀ ମାଖନ, ବାଇଗଣ ସହିତ ବ୍ୟାପକ ତରଭୁଜ ଚାଷ କରିଥାନ୍ତି। ସେହିପରି ଲଇକେରା ବ୍ଲକର ମୁଦ୍ରାଯୋର, ଖୁନ୍ତାମାଲ, ଉଡ଼ିଆପାଲି, ନାଗରୁପତରା, ସାରଙ୍ଗଲୋଇ, ମଜୁରିଡୁମା, କୁଲେମୁରା, ଅଇତାପାଲି, କର୍ମିରାର ସାରସମାଲ, କୋଲାବିରାର ସମାସିଂହା, ପରମାଣପୁର ଅଞ୍ଚଳରେ ଏହି ତରଭୁଜ ଓ ମାଖନ ଚାଷର ଚାଷୀ ଭଲ ଆଦାୟ କରିଥାଏ। ଧାନ ଚାଷ ପରେ ଏହି ଚାଷୀ ଜାନୁୟାରୀ, ଫେବୃୟାରୀ, ମାର୍ଚ୍ଚ ମାସ ପର୍ଯ୍ୟନ୍ତ ପର୍ଯ୍ୟାୟକ୍ରମେ ମଞ୍ଜିବୁଣି ଗଛ ଲଗାଇଥାନ୍ତି। ମାତ୍ର ଚଳିତ ବର୍ଷ ଗଛରେ ଫୁଲ ଧରିବା ବେଳେ ଦୁଇ ତିନି ଥର କରାମାଡ଼ ହୋଇ ଏହି ଚାଷ ବେଶ ପ୍ରଭାବିତ ହୋଇଥିଲା। ଅନେକ ଚାଷ ଜମିରେ ଫଳ ବଢ଼ିଥିବା ବେଳେ ତାହା ପାଣିରେ ବୁଡ଼ି ନଷ୍ଟ ହୋଇଯାଇଥିଲା। ବର୍ଷା କରାମାଡ଼ ପରେ ପୁଣି ବିଲରେ ଚାଷୀ ଅଧିକ ଯତ୍ନ କରି ଯାହାକିଛି ଫଳ ଉତ୍ପାଦନ କରିଥିଲା ଏବେ କରୋନା ଯୋଗୁଁ ଲକ୍‌ଡାଉନ୍ ହୋଇଥିବାରୁ ହଜାର ହଜାର ଏକରରେ ହୋଇଥିବା ତରଭୁଜ ଓ ମାଖନ ପଚି ଯାଇ ନଷ୍ଟ ହେବାକୁ ଲାଗିଛି।

publive-image

ମଜୁରିଡୁମାର ଚାଷୀ ଗିରିଶ ନାଏ କ କହିଛନ୍ତି ଯେ, ଚାଷ ଆରମ୍ଭରୁ ବିଭ୍ରାଟ ଆମ ଆର୍ଥିକ ସ୍ଥିତିକୁ ଦୋହଲାଇ ଦେଇଛି। ହରଶ୍ଚନ୍ଦ୍ର ନାଏକ କୁହନ୍ତି ପୂର୍ବ ବର୍ଷ ଏହି ସମୟରେ ଅଧାରୁ ଅଧିକ ପରିମାଣରେ ତରଭୁଜ ଓ ମାଖନ ସହରରୁ ବ୍ୟବସାୟୀମାନେ ଆସି ନେଇ ଯାଇଥାନ୍ତି। ଭଲ ଦୁଇ ପଇସା ମଧ୍ୟ ରୋଜଗାର ହୋଇଥାଏ। ମାତ୍ର ଏବର୍ଷ ଲକ୍‌ଡାଉନ୍ କାରଣରୁ କେହି ବ୍ୟବସାୟୀ ଆସୁନାହାନ୍ତି କି ଏଠାରୁ କେହି ବିକ୍ରି ପାଇଁ ଯାଇ ପାରୁ ନାହାନ୍ତି। ଯିଏ ବି ଆସୁଛି ଟଙ୍କେ ଦୁଇ ଟଙ୍କା ଦରରେ ମାଗୁଛି। ଚାଷୀ ବିଷ୍ଣୁ ଗୌଡ଼ କୁହନ୍ତି ଯେ, ସେ ତରଭୁଜ ଚାଷ କରିବା ପାଇଁ ୫୦ ହଜାର ଟଙ୍କା ଋଣ ଆଣି ଚାଷରେ ବିନିଯୋଗ କରିଥିଲେ ମାତ୍ର କରା, ବର୍ଷାରେ ସବୁ ନଷ୍ଟ ହୋଇ ଯାଇଛି। ଯାହା କିଛି ରହିଛି ତାହାକୁ କିଣିବା ପାଇଁ ଗ୍ରାହକ ନାହାନ୍ତି ଫଳରେ ମୁଁ ମର୍ମାହତ ହୋଇ ପଡ଼ିଛି , ଆଣିଥିବା ଋଣ ପରିଶୋଧ କେମିତି କରିବି ସେ ଚିନ୍ତାରେ ରାତିରେ ଶୋଇ ପାରୁନାହିଁ। ଆର୍ଥିକ ପରିସ୍ଥିତି ଖରାପ ହୋଇ ଯାଇଥିବାରୁ ଏବେ ଘରେ ଖାଇବା ଓ ପରିବାର ଚଳାଇବା ପାଇଁ ଗୁରୁତର ଅସୁବିଧାର ସମ୍ମୁଖୀନ ହେଉଛି। ରାଜ୍ୟ ସରାକର ତୁରନ୍ତ ଏହି ତରଭୁଜ ଓ ମାଖନ ଚାଷୀଙ୍କ ସ୍ଥିତି ତଦାରଖ କରି କ୍ଷତିପୂରଣ ପ୍ରଦାନ କରାଯିବାକୁ ଦାବି ହେଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe