ଲକ୍‌ଡାଉନ୍‌ ଯୋଗୁଁ ଖୋଲା ଆକାଶ ତଳେ ପଡ଼ିଛନ୍ତି ୫୦ ଭୋକିଲା

Advertisment
ଲକ୍‌ଡାଉନ୍‌ ଯୋଗୁଁ ଖୋଲା ଆକାଶ ତଳେ ପଡ଼ିଛନ୍ତି ୫୦ ଭୋକିଲା

ରାଉରକେଲା : ଲକ୍‌ଡାଉନ୍‌ ଲାଗୁ ହେବାମାତ୍ରେ ଇସ୍ପାତ ସହରର ଜନସାଧାରଣଙ୍କୁ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିଛି। ତେବେ ଏହାଦ୍ବାରା ସର୍ବାଧିକ ଅସୁବିଧାର ସମ୍ମୁଖୀନ ହେଉଥିବା ଲୋକଙ୍କ ଭିତରେ ଅଛନ୍ତି ଷ୍ଟେସନରେ ଆଶ୍ରୟ ନେଉଥିବା ଗୃହହୀନମାନେ। ଖାଇବାକୁ ଦାନା ନାହିଁ କି ଆଶ୍ରା ନେବାକୁ ଛାତ ନାହିଁ। ଫଳରେ ପ୍ରାୟ ୪୦/୫୦ ଜଣ ଲୋକ ଏବେ ଦିନ ରାତି ସବୁବେଳେ ଷ୍ଟେସନ୍‌ ରୋଡ୍‌ର ଉଭୟ କଡ଼ରେ ଭୋକ ଉପାସରେ ପଡ଼ି ରହୁଛନ୍ତି।

ଟ୍ରେନ୍‌ ଚଳାଚଳ ବନ୍ଦ ରହିଥିବାବେଳେ ଜନସାଧାରଣଙ୍କ ପାଇଁ ରାଉରକେଲା ଷ୍ଟେସନକୁ ପ୍ରବେଶ ନିଷେଧ କରାଯାଇଛି। ଫଳରେ ଦିନବେଳା ପେଟ ପାଇଁ ବାହାରେ ବୁଲୁଥିବା ଓ ରାତି ହେଲେ ଷ୍ଟେସନକୁ ଆସି ରାତ୍ରୀଯାପନ କରୁଥିବା ପ୍ରାୟ ୪୦-୫୦ ଜଣ ପୁରୁଷ, ମହିଳା ଆଉ ଷ୍ଟେସନ ଭିତରକୁ ପଶି ପାରୁନାହାନ୍ତି। ଫଳରେ ସେମାନେ ମଧୁସୂଦନ ମାର୍ଗର ଉଭୟ କଡ଼ରେ ପଡ଼ି ରହିବାକୁ ବାଧ୍ୟ ହେଉଛନ୍ତି। ସୁଯୋଗ ମିଳିଲେ ବିଭିନ୍ନ ଦୋକାନ ଓ ବଜାର ସମ୍ମୁଖରେ ଦିନ ରାତି ଶୋଇବାକୁ ବାଧ୍ୟ ହେଉଛନ୍ତି। ଷ୍ଟେସନ ସମ୍ମୁଖରେ ମଧ୍ୟ କିଛି ବେସାହାରା ଶୋଉଥିବା ଦେଖିବାକୁ ମିଳୁଛି। କଷ୍ଟେମଷ୍ଟେ ଖୋଲା ଆକାଶ ତଳେ ଏମାନେ ଆଶ୍ରୟ ନେଉଛନ୍ତି, କିନ୍ତୁ ଅନାହାର ଏମାନଙ୍କ ଆଖିରୁ ନିଦ ହଜେଇ ଦେଇଛି। ପୂର୍ବରୁ ଏମାନେ ସକାଳୁ ଉଠି ସହର ସାରା ବୁଲୁଥିଲେ। କିଏ ବୋତଲ ଗୋଟାଇ ବିକ୍ରି କରୁଥିଲା ତ କିଏ ହୋଟେଲ ଓ ଠେଲାରେ ବାସନକୁସନ ମାଜି ଦି ପଇସା ରୋଜଗାର କରୁଥିଲା। ଏମାନଙ୍କ ଭିତରୁ ଅନେକ କାମ କରୁଥିବା ହୋଟେଲରେ ଯାହା ମିଳିଲା ତାହା ଖାଇ ଜୀବନ ବଞ୍ଚୁଥିଲେ। କିନ୍ତୁ ଏବେ ସହରର ସବୁ ହୋଟେଲ ଓ ଠେଲା ବନ୍ଦ। ସବୁ ଦୋକାନ ବଜାର ବି ବନ୍ଦ। ଏମିତିକି ଆହାର କେନ୍ଦ୍ର ମଧ୍ୟ ବନ୍ଦ। ବାହାରେ ବୁଲିବା ଉପରେ ବି କଟକଣା। ତାରି ଭିତରେ ଲୁଚିଲୁଚି ସେମାନଙ୍କ ଭିତରୁ ଅନେକ ଖାଦ୍ୟ ଖୋଜିବାକୁ ବାହାରୁଛନ୍ତି, ମାତ୍ର ମିଳୁନି। ପାଖରେ ଟଙ୍କା ବି ନାହିଁ। ମୋଟାମୋଟି ଆନାହାରରେ ରହି ପେଟରେ ଓଦାକନା ଦେଇ ସେମାନେ ସମୟ ବଦଳିବାକୁ ଅପେକ୍ଷା କରିଛନ୍ତି ।

ସହରରେ ଲକ୍‌ଡାଉନ୍‌ ଲାଗୁ ହେବାର ଆଜି ଚତୁର୍ଥ ଦିନ। ଏହା ଆସନ୍ତା ୧୪ ତାରିଖ ଯାଏଁ ବଳବତ୍ତର ରହିବ। ଅର୍ଥାତ୍‌ ଆହୁରି ଅନ୍ୟୂନ ୨୦ ଦିନ ଏମାନଙ୍କୁ ଭୋକ ଉପାସରେ ରହିବାର ଆଶଙ୍କା ଜଳଜଳ ଦିଶୁଛି। ଏମାନଙ୍କ ପାଇଁ ପ୍ରଶାସନ ସ୍ବତନ୍ତ୍ର ବ୍ୟବସ୍ଥା କରିବା ବର୍ତ୍ତମାନର ଆବଶ୍ୟକତା ହୋଇପଡ଼ିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe