କନ୍ଧମାଳରେ ମନରେଗାକୁ କରୋନା ମାଡ଼ : ଗୋଷ୍ଠୀଗତ କାମ ବନ୍ଦ, ହାତବାନ୍ଧି ବସିଛନ୍ତି ୧.୪୩ ଲକ୍ଷ ଜବ୍‌କାର୍ଡ଼ଧାରୀ

କନ୍ଧମାଳରେ ମନରେଗାକୁ କରୋନା ମାଡ଼ : ଗୋଷ୍ଠୀଗତ କାମ ବନ୍ଦ, ହାତବାନ୍ଧି ବସିଛନ୍ତି ୧.୪୩ ଲକ୍ଷ ଜବ୍‌କାର୍ଡ଼ଧାରୀ

ଫୁଲବାଣୀ : କରୋନା କଟକଣା ଫଳରେ ୨ ସପ୍ତାହରୁ ଅଧିକ ଦିନ ହେଲା ସାମାଜିକ ଦୂରତା ରକ୍ଷା ନିମନ୍ତେ ରାଜ୍ୟ ସରକାର ସବୁ ଗୋଷ୍ଠୀଗତ କାମ ବନ୍ଦ କରି ଦେଇଛନ୍ତି। ଯାହା ଫଳରେ କନ୍ଧମାଳରେ ଲକ୍ଷାଧିକ ଜବକାର୍ଡଧାରୀ ଏବେ ହାତବାନ୍ଧି ବସି ଘରେ ଅଛନ୍ତି। ସେମାନଙ୍କ ପରିବାର ଦୁର୍ଦ୍ଦିନରେ ଦିନ କାଟୁଛନ୍ତି। କାମ କରି ପେଟ ପୋଷିବା ଲକ୍ଷ୍ୟରେ ଶ୍ରମିକ ଓ ଦିନମଜୁରିଆଙ୍କ ସୁବିଧା ନିମନ୍ତେ ମହାତ୍ମାଗାନ୍ଧୀ ଜାତୀୟ କର୍ମ ନିଯୁକ୍ତି ଯୋଜନା କାର୍ଯ୍ୟକାରୀ ହେଉଛି। ଏହି ଯୋଜନାରେ କନ୍ଧମାଳରେ ୧ ଲକ୍ଷ ୪୩ ହଜାର ଜଣଙ୍କୁ ଜବକ‌ାର୍ଡ଼ ମିଳିଛି। ଜବ୍‌କାର୍ଡ଼ଧାରୀ ଶ୍ରମିକ ଓ ଦିନ ମଜୁରିଆ ବିଭିନ୍ନ ଗୋଷ୍ଠୀଗତ କାମ ରାସ୍ତା, ପୋଖରୀ, ପୋଲ, କେନାଲ ଏବଂ ସରକାରଙ୍କ ପକ୍ଷରୁ ଚାଲୁଥିବା ବିଭିନ୍ନ ବଡ ପ୍ରକଳ୍ପ କାର୍ଯ୍ୟରେ ସାମିଲ ହୋଇଥାନ୍ତି। କାମ କରିବାର ୨-୩ ଦିନ ମଧ୍ୟରେ ସମସ୍ତଙ୍କ ଆକାଉଣ୍ଟକୁ ମଜୁରି ଟଙ୍କା ଯାଇଥାଏ। ଶ୍ରମିକ ଓ ଦିନ ମଜୁରିଆଙ୍କ ସୁବିଧା ପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଗୁରୁତ୍ବ ଦେଇ ଆସୁଛନ୍ତି। ବର୍ଷକୁ ଅତି କମ୍‌ରେ ୧୦୦ ଦିନର କାମ ଯୋଗାଇବାର ବ୍ୟବସ୍ଥା କରିଛନ୍ତି। ପୂର୍ବରୁ ଜବକାଡର୍ଧାରୀଙ୍କୁ ଦିନକୁ ୧୮୮ ଟଙ୍କା ମିଳୁ ଥିଲା। ଏବେ ମଜୁରି ବୃଦ୍ଧି କରି ୨୦୭ ଟଙ୍କା ଦିଆଯାଉଛି। ସଂପ୍ରତି ଗୋଷ୍ଠୀଗତ ଓ ଅନ୍ୟାନ୍ୟ ବଡ଼ ପ୍ରକଳ୍ପ କାମ କରୋନା କଟକଣା ଲକ୍‌ଡାଉନ୍‌ ଯୋଗୁଁ ୨ ସପ୍ତାହରୁ ଊର୍ଦ୍ଧ୍ବ ଦିନ ହେବ ବନ୍ଦ ରହିଛି। ଜବକାର୍ଡ଼ଧାରୀମାନେ କାମଧନ୍ଦା ନ ପାଇଁ ଘରେ ବସି ରହିଛନ୍ତି। ଏହାକୁ ନେଇ ଶ୍ରମିକ ଓ ଦିନମଜୁରିଆଙ୍କ ଚିନ୍ତା ବଢ଼ି ଯାଇଛି।

ଜିଲ୍ଲାର ନିର୍ମାଣ ଶ୍ରମିକଙ୍କୁ ସରକାର କରୋନା ସହାୟତା ଦେଲେ। ହେଲେ ଆମକୁ ଟଙ୍କାଟିଏ ସହାୟତା ମିଳିଲା ନାହିଁ ବୋଲି କହନ୍ତି ମନରେଗା ଜବ୍‌କାର୍ଡ଼ଧାରୀ ଲୁଇସିଂ ଅଞ୍ଚଳର ଦୀନବନ୍ଧୁ କହଁର ଓ ଆର୍ତ୍ତତ୍ରାଣ ବେହେରା। କାମ କରି ସେଥିରୁ ମିଳୁଥିବା ଅର୍ଥରେ ପରିବାର ଚଳେ। ୧୫ ଦିନ ହେଲା କାମ ବନ୍ଦ ଯୋଗୁଁ ଦିଓଳି ଭଲ ଭାବେ ଖାଇବାକୁ ପାଉ ନାହୁଁ ବୋଲି କହନ୍ତି ବିଲାବାଡି ଅଞ୍ଚଳର ଜବ୍‌କାର୍ଡଧାରୀ ମମତା ନାଏକ ଓ ସବିତା ବିନ୍ଧାଣି। ଜବ୍‌କାର୍ଡ଼ଧାରୀ ଶ୍ରମିକ ଓ ଦିନ ମଜୁରିଆଙ୍କୁ ବ୍ୟକ୍ତିଗତ ଯଥା କୂଅ, ଗୁହାଳ ନିର୍ମାଣ ଭଳି କାମ ଯୋଗାଇ ଦେବାକୁ ସରକାର ଜିଲ୍ଲା ପ୍ରଶାସନକୁ ନିର୍ଦ୍ଦେଶ ଦେଇଛନ୍ତି। ଏଭଳି ନିର୍ଦ୍ଦେଶ ପାଳନ କରିବାକୁ ପ୍ରଶାସନ ରାଜି ନୁ‌ହେଁ। କାରଣ ସଂପ୍ରତି କରୋନା ସାଙ୍ଗକୁ ମୁଣ୍ଡଫଟା ଖରା ଆରମ୍ଭ ହୋଇ ଯାଇଥିବାରୁ ଯଦି କାହାର କିଛି ସ୍ବାସ୍ଥ୍ୟଗତ ସମସ୍ୟା ହେଲା ଏଥି ପାଇଁ ଅଡ଼ୁଆ ମୁଣ୍ଡାଇବାକୁ ପ୍ରଶାସନ ପଛଘୁଞ୍ଚା ଦେଉଛି। କନ୍ଧମାଳର ମନରେଗା ସମସ୍ତ ଜବ୍‌କାର୍ଡ଼ଧାରୀ ଓ ଦିନ ମଜୁରିଆଙ୍କ ପେଟପାଟଣା କଥା ଗୁରୁତ୍ବ ସହ ବିଚାର କରି ତୁରନ୍ତ ପଦକ୍ଷେପ ନେବାକୁ ବିଭିନ୍ନ ମହଲରୁ ଦାବି ହେଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe