ପଟ୍ଟଚିତ୍ରର ଅନ୍ତୁଡ଼ିଶାଳରେ କରୋନା ପ୍ରହାର

Advertisment
ପଟ୍ଟଚିତ୍ରର ଅନ୍ତୁଡ଼ିଶାଳରେ କରୋନା ପ୍ରହାର

Gozo Cabs

ପୁରୀ : କରୋନା ସଂକ୍ରମଣ ପାଇଁ ଲକ୍‌ଡାଉଡ଼୍‌ ଘୋଷଣା ପରେ ବିଶ୍ବ ଦରବାରରେ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିବା ପଟ୍ଟଚିତ୍ରର ଅନ୍ତୁଡ଼ିଶାଳ ପୁରୀ ଜିଲ୍ଲା ଚନ୍ଦନପୁର ଥାନା ରଘୁରାଜପୁର ଧରାଶାୟୀ ହେବାକୁ ବସିଲାଣି। ରାଜ୍ୟ ସରକାରଙ୍କ ପକ୍ଷରୁ ଶିଳ୍ପୀଗ୍ରାମର ମାନ୍ୟତା ପାଇଥିବା ଏହି ଐତିହ୍ୟ ଗ୍ରାମ ବ୍ୟବସାୟକୁ ନେଇ ଚିନ୍ତାରେ ପଡ଼ିଛି। ପ୍ରଳୟଙ୍କରୀ ବାତ୍ୟା ‘ଫନି’ କଷ୍ଟରୁ ମୁକ୍ତି ପାଇ ଅଣ୍ଟା ସଳଖିଛନ୍ତି କି ନାହିଁ, କରୋନା ଭୂତାଣୁ ପୁଣି ଥରେ ଏହି ଗାଁର ଅଣ୍ଟା ଭାଙ୍ଗିଦେଇଛି। ପଟ୍ଟଚିତ୍ର କରି ପେଟ ପୋଷୁଥିବା ଗାଁର ୪୦୦ରୁ ଅଧିକ ଶିଳ୍ପୀ ଏବେ ପେଟପାଟଣା ପାଇଁ ସଂଘର୍ଷ କରୁଛନ୍ତି।

publive-image

ଆଗରୁ ଯେଉଁଠି ବିଦେଶୀଙ୍କ ପ୍ରବଳ ଭିଡ଼ ଲାଗୁଥିଲା, ସେହି ଗାଁ ଏବେ ଗ୍ରାହକଶୂନ୍ୟ ହୋଇଯାଇଛି। କରୋନା କଟକଣା ପରଠାରୁ ଜଣେ ବି ଗ୍ରାହକ ଏହି ଗାଁ ମାଟି ମାଡ଼ିନାହାନ୍ତି। ଶିଳ୍ପୀଗ୍ରାମ ରଘୁରାଜପୁରରେ ପ୍ରାୟ ଦେଢ଼ଶହ ପରିବାର ବସବାସ କରନ୍ତି। ଜନସଂଖ୍ୟା ହିସାବ କଲେ ୭୦୦ ଡେଇଁବ। ପଟ୍ଟଚିତ୍ର ଏହି ଗାଁ ଲୋକଙ୍କ କୁଳବେଉସା ହୋଇଥିବାରୁ ପ୍ରତି ପରିବାରରେ ଏହି କଳାର ଛାପ ରହିଛି। ହିସାବ କଲେ ପ୍ରତି ଘରୁ ଦୁଇ ତିନି ଜଣ ପଟ୍ଟଚିତ୍ର ଶିଳ୍ପୀ ବାହାରିବେ। କିଛି ପରିବାରରେ ଉଭୟ ମହିଳା ଓ ପୁରୁଷ ବି ଏହି କାମରେ ମନୋନିବେଶ କରିଛନ୍ତି। ପ୍ରତିଦିନ ଦେଶବିଦେଶରୁ ଗ୍ରାହକଙ୍କ ଭିଡ଼ ଏଠାରେ ଲାଗେ। ରାଜ୍ୟ ତଥା ରାଜ୍ୟ ବାହାରୁ ମାସକୁ ୨୦୦ ରୁ ୩୦୦ ଗ୍ରାହକ ଏଠାକୁ ଆସନ୍ତି। ଏହା ସହ ପ୍ରତି ମାସରେ ୫୦ରୁ ୬୦ ବିଦେଶୀ ଗ୍ରାହକ ବି ଗାଁକୁ ଆସିଥାନ୍ତି। ଦିଲ୍ଲୀ, ମୁମ୍ବାଇ, ପଶ୍ଚିମବଙ୍ଗ, ତାମିଲନାଡ଼ୁ ଆଦି ରାଜ୍ୟରୁ ଅଧିକ ଗ୍ରାହକ ପଟ୍ଟଚିତ୍ର କିଣିବାକୁ ଆସିଥାନ୍ତି। ବିଦେଶୀଙ୍କ ଉପରେ ନଜର ପକାଇଲେ ଆମେରିକା, ଇଟାଲି, ଆୟରଲାଣ୍ତ ଭଳି ଦେଶରୁ ଗ୍ରାହକମାନେ ଆସି ପଟ୍ଟଚିତ୍ର କିଣିଥାନ୍ତି। ଅନେକ ସମୟରେ ଏହି ଗ୍ରାହକମାନେ ଡାକରେ ବି ପଟ୍ଟଚିତ୍ର ମଗାଇଥାନ୍ତି। ସେପଟେ ଜିଲ୍ଲା ତଥା ଜିଲ୍ଲା ବାହାରୁ ବହୁ ଯୁବକଯୁବତୀ ଏଠାକୁ ପଟ୍ଟଚିତ୍ର, ତାଳପତ୍ର କାମ ଶିଖିବାକୁ ଆସିଥାନ୍ତି। କିନ୍ତୁ ସବୁକିଛି ଏବେ ଠପ୍ ହୋଇଯାଇଛି। ଅନ୍ୟ ଦିଗରୁ ନଜର ପକାଇଲେ ପଟ୍ଟଚିତ୍ରର ଧଳା ରଙ୍ଗ ପାଇଁ ସମୁଦ୍ର ଶଙ୍ଖ ଆବଶ୍ୟକ ପଡ଼ିଥାଏ। ଏହା ପୁରୀରୁ ମିଳିଯାଏ। ଖଣି ଅଞ୍ଚଳରୁ କିଛି ସ୍ବତନ୍ତ୍ର ପଥର ଆସେ, ଯେଉଁଥିରୁ ବିଭିନ୍ନ ରଙ୍ଗ ପ୍ରସ୍ତୁତ ହୁଏ। ହରିତାଳ(ହଳଦିଆ), ହେଙ୍ଗୁଳ(ନାଲି), ନୀଳ ଏଭଳି ଅନେକ। ବେଳେବେଳେ ପଟ୍ଟଚିତ୍ର ଶିଳ୍ପୀମାନେ ଏହାକୁ ଖଣି ଅ‌ଞ୍ଚଳରୁ ସିଧାସଳଖ ମଗାନ୍ତି, ନଚେତ୍ କଟକରୁ ବେପାରିଙ୍କଠାରୁ କିଣିବାକୁ ପଡ଼ିଥାଏ। କରୋନା କଟକଣା ପରେ ଏହି କଞ୍ଚାମାଲ ଆସିବା ବନ୍ଦ ହୋଇଯାଇଛି। କଞ୍ଚାମାଲ ମିଳୁନଥିବାରୁ ଶିଳ୍ପୀମାନେ ଆଉ ପଟ୍ଟଚିତ୍ର ତିଆରି କରି ପାରୁନାହାନ୍ତି। ସେପଟେ ଯେଉଁ ପୂର୍ବ ପ୍ରସ୍ତୁତ ପଟ୍ଟଚିତ୍ର ରହିଛି, ଗ୍ରାହକ ନଥିବାରୁ ବିକ୍ରି ହୋଇପାରୁନି।

publive-imageଏ ସଂପର୍କରେ ଗାଁର ଯୁବ ପଟ୍ଟଚିତ୍ର ଶିଳ୍ପୀ ଆକାଶ ସ୍ବାଇଁ କହିଛନ୍ତି, ପେଟପାଟଣା ଉପରେ ନଜର ପକାଇଲେ ଶିଳ୍ପୀମାନେ ଏହି କଳାରୁ ମାସିକ ୨୦ରୁ ୩୦ ହଜାର ଟଙ୍କା ରୋଜଗାର କରିଥାନ୍ତି। ଏବେ କିନ୍ତୁ ସବୁକିଛି ବନ୍ଦ ହୋଇଯାଇଛି। ଶେଷ ଥର ମାର୍ଚ୍ଚ ୧୩ରେ ଜଣେ ଦୁଇଜଣ ବିଦେଶୀ ଗ୍ରାହକ ଗାଁକୁ ଆସିଥିଲେ। ସେବେଠାରୁ ଆଉ ଗାଁରେ ଗ୍ରାହକଙ୍କୁ ଦେଖିବାକୁ ମିଳିନି। ରାଜ୍ୟ ବାହାରୁ ପଶ୍ଚିମବଙ୍ଗରୁ ଅଧିକ ଗ୍ରାହକ ପଟ୍ଟଚିତ୍ର କିଣିବାକୁ ଆସିଥାନ୍ତି। ଏମାନେ ବି ଆଉ ଆସୁନାହାନ୍ତି। ୧୦ ମାସ ତଳେ ପ୍ରଳୟଙ୍କରୀ ବାତ୍ୟା ଫନି ପଟ୍ଟଚିତ୍ର ଶିଳ୍ପୀଙ୍କ ମେରୁଦଣ୍ତ ଭାଙ୍ଗି ଦେଇଥିଲା। ଘରଦ୍ବାର ସବୁକିଛି ଛାରଖାର ହୋଇଯାଇଥିଲା। କିଛି ମାସ ହେବ ଏହି କଷ୍ଟରୁ ଉଦ୍ଧାର ପାଇଛୁ କି ନାହିଁ, ଏହି ମହାମାରୀ ପୁଣିଥରେ ଚଡ଼କ ପକାଇଛି। ଶିଳ୍ପୀମାନଙ୍କ ଆର୍ଥିକ ସ୍ଥିତି ଦୋହଲାଇ ଦେଇଛି। ଏହି ନିଆରା କଳାକୁ ବଞ୍ଚାଇ ରଖିବା ଦିଗରେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ସହଯୋଗର ହାତ ବଢ଼ାଇବାକୁ ସେ ନିବେଦନ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe