ଏଥର ମିଳିବନି ମାଠିଆ ପାଣିର ସ୍ୱାଦ : କରୋନା ସଂକ୍ରମିତ ନକଲେ ମଧ୍ୟ ଏମାନେ ରୁଗ୍‌ଣ

ଏଥର ମିଳିବନି ମାଠିଆ ପାଣିର ସ୍ୱାଦ : କରୋନା ସଂକ୍ରମିତ ନକଲେ ମଧ୍ୟ ଏମାନେ ରୁଗ୍‌ଣ

ଝାରସୁଗୁଡ଼ା : ପ୍ରଚଣ୍ତ ତାତି ଯୋଗୁଁ ତଣ୍ଟି ଶୁଖି ଯାଉଥିବା ବେଳେ ମାଠିଆର ଗୋଟିଏ ଗ୍ଲାସ ପାଣି ଯେପରି ଜୀବନ ଫେରେଇ ଦେଇଥାଏ। ଆଉ ଏହି ମାଠିଆର ଚାହିଦା ଗ୍ରୀଷ୍ମଦିନରେ ହିଁ ଜଣାପଡ଼ିଥାଏ। ସହରୀ ସଭ୍ୟତା ଭିତରେ ଆଧୁନିକ ଜୀବନଶୈଳୀ ଲୋକଙ୍କ ଚଳଣୀରେ ଅନେକ ପରିବର୍ତ୍ତନ ଆଣି ଦେଇଥିବା ସତ୍ବେ ମାଠିଆର ପାଣିକୁ ଗ୍ରୀଷ୍ମ ଦିନରେ କେହି ଭୁଲନ୍ତି ନାହିଁ। ଏଭଳି ଏକ ପୁରାତନ ଶୈଳୀକୁ କିଛି ଲୋକ ଆଜିବି ବଞ୍ଚାଇ ରଖିଛନ୍ତି। ଗ୍ରୀଷ୍ମ ଦାଉରୁ ରକ୍ଷା ପାଇବା ପାଇଁ ତୃଷାର୍ତ୍ତ ମଣିଷ ଯେଉଁ ମୁନ୍ଦାଏ ଥଣ୍ତା ପାଣି ପିଇବା ପାଇଁ ଚାହେଁ ତାହା ଆଧୁନିକ ସଭ୍ୟତାରେ ଫ୍ରିଜ୍ ପୂରଣ କରିଦେଉଛି। ମାତ୍ର ମାଟି ନିର୍ମିତ ‘ମାଠିଆ’ ପାଣିର ସ୍ବାଦ ଏକ ନିଆରା ସ୍ଥାନ ନେଇଛି। ତେଣୁ ଆଜିବି ଲୋକଙ୍କ ପାଖରେ ମାଠିଆର ଚାହିଦା ରହିଛି।

publive-image

ବହୁ ବାଧାବିଘ୍ନ ଓ ପ୍ରତିକୂଳ ପରିସ୍ଥିତିରେ କୁମ୍ଭାର ଏହି ମାଟି ନିର୍ମିତ ଜିନିଷ ନିର୍ମାଣ କରି ବଜାରକୁ ଆଣିଥାଏ। ଯଦିଓ ମାଟିରେ ନିର୍ମିତ ଜିନିଷର ଉପଯୁକ୍ତ ବଜାର ବ୍ୟବସ୍ଥା ନାହିଁ ତଥାପି ରାସ୍ତା କଡ଼ ଗଛ ମୂଳରେ କୁମ୍ଭାର ନିଜ ନିର୍ମିତ ମାଠିଆ, ସୁରେଇ ଆଣି ବିକ୍ରି କରିଥାଏ। ଆଉ ଏହି ବିକ୍ରି ଲବ୍ଧ ଅର୍ଥ କୁମ୍ଭକାର ପରିବାରକୁ ବେଶ କିଛି ମାସ ଚଳାଇ ନେଇଥାଏ । ମାତ୍ର ଚଳିତ ବର୍ଷ ଏହି ବ୍ୟବସାୟ ସଂପୂର୍ଣ୍ଣ ବନ୍ଦ ହୋଇଯାଇଛି। ଚାହିଦା ଅଛି କିନ୍ତୁ କରୋନା କଟକଣା ଯୋଗୁଁ କୁମ୍ଭାର ଏହି ମାଠିଆ ବିକ୍ରି କରି ପାରୁନାହିଁ। ଏପଟେ ଗ୍ରୀଷ୍ମ ଦିନ ମଧ୍ୟ ସରି ସରି ଯାଉଛି। ପ୍ରତିବର୍ଷ ମାର୍ଚ୍ଚ ମାସରୁ ଏମାନଙ୍କ ବ୍ୟବସାୟ ଚାଲୁଥିବା ବେଳେ ଏଥର ଆରମ୍ଭ ମଧ୍ୟ ହୋଇ ପାରିନଥିବା ଏମାନେ କୁହନ୍ତି। ପ୍ରତିବର୍ଷ କୁମ୍ଭକାର ଗ୍ରୀଷ୍ମ ଋତୁର ବହୁ ପୂର୍ବରୁ ଏଥିପାଇଁ ପ୍ରସ୍ତୁତ ହୋଇଥାଏ। ମାଟି ଆଣି, ଜଙ୍ଗଲରୁ କାଠ ସଂଗ୍ରହ କରି ହାତରେ ମାଟି ଚକୁଟି କୁମ୍ଭାର ଚକରେ ଏହି ସବୁ ଜିନିଷ ନିର୍ମାଣ କରିଥାଏ ଓ ବିକ୍ରି କରିଥାଏ। ମାତ୍ର ଚଳିତ ବର୍ଷ କରୋନା ଏହି କୁମ୍ଭକାର ପରିବାର ମାନଙ୍କ ମେରୁଦଣ୍ଡ ଭାଙ୍ଗି ଦେଇଛି। । ବିନା ସରକାରୀ ପ୍ରୋତ୍ସାହନରେ ମାଟିପାତ୍ର ନିର୍ମାଣ କରି ବ˚ଶାନୁକ୍ରମେ ଏହି କଳାକୁ ବଞ୍ଚାଇ ରଖିଥିବା ଏହି କୁମ୍ଭାରମାନେ ଏବେ ଜୀବକା ହରାଇଛନ୍ତି। ଦୃତ ଶିଳ୍ପାୟନ ସାଙ୍ଗକୁ କୁମ୍ଭାର ମାନଙ୍କ ଜୀବନଶୈଳୀରେ ଉନ୍ନତି ନହେବାରୁ ଏହି କଳାକୁ ପୂର୍ବରୁ ବହୁ କୁମ୍ଭାର ଛାଡ଼ି ଦେଇ ଅନ୍ୟ ଧନ୍ଦା କରିବାକୁ ବାଧ୍ୟ ହୋଇଛନ୍ତି।

publive-image

ଝାରସୁଗୁଡ଼ା ସହର ସରବାହାଲ କୁମ୍ଭାରପଡ଼ାରେ ପୂର୍ବରୁ ଅନେକ କୁମ୍ଭାର ପରିବାର ହାଣ୍ତି, ମାଠିଆ, ସୁରେଇ ନିର୍ମାଣ କରି ଜୀବିକା ନିବାର୍ହ କରୁଥିଲେ। ମାତ୍ର ଏବେ କାଁଭାଁ କୁମ୍ଭାର ପରିବାର ଏହି ପାରମ୍ପରିକ କାର୍ଯ୍ୟ କରୁଛନ୍ତି। ମାଟିରେ ନିର୍ମିତ ହାଣ୍ଡିରେ ପୂର୍ବରୁ ଘରମାନଙ୍କରେ ରୋଷେଇ ହେଉଥିଲା। ଏବେ ତାହା ଆଉ ନାହିଁ। ଘର ମାନଙ୍କରେ ମାଟି ନିର୍ମିତ ଜିନିଷ ଏବେ ଆଉ ବେଶୀ ବ୍ୟବହାର ହେଉନାହିଁ। ଫଳରେ ଏହାର ନିର୍ମାଣ ମଧ୍ୟ କମି ଯାଉଛି। ମାଟିରେ ଅନେକ ଜିନିଷ ନିର୍ମାଣ ହେଉଥିବା ବେଳେ ଏବେ କେବଳ ଦୀପାବଳୀ ସମୟରେ ମାଟିଦୀପ ଓ ଗ୍ରୀଷ୍ମ ଦିନରେ ମାଠିଆ, ସୁରେଇ ନିର୍ମାଣରେ ସିମିତ ରହିଛି। କରୋନା ଆକ୍ରାନ୍ତ ସିନା କରିନି କିନ୍ତୁ ଏହି ବ୍ୟବସ୍ଥା ଆମକୁ ସଂପୂର୍ଣ୍ଣ ରୁଗ୍‌ଣ କରି ଦେଇଛି ବୋଲି କୁହନ୍ତି କୁମ୍ଭକାର ଉଦିଆଁ ରଣା, ଗଙ୍ଗାଧର ରଣା, ମୁନୁ ରଣା, ସୀତାରାମ ରଣା ଓ ତାଙ୍କ ପରିବାର ସଦସ୍ୟ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe