ଭଦ୍ରକରେ ଚିଙ୍ଗୁଡି ଚାଷୀଙ୍କ ଉପରେ କରୋନା ମାଡ

Advertisment
ଭଦ୍ରକରେ ଚିଙ୍ଗୁଡି ଚାଷୀଙ୍କ ଉପରେ କରୋନା ମାଡ

Agriculture Information Bank

ଭଦ୍ରକ: ଭଦ୍ରକ ଜିଲ୍ଲାର ସମୁଦ୍ର ଉପକୂଳ ଅଞ୍ଚଳରେ ବ୍ୟାପକ ଚିଙ୍ଗୁଡି ଚାଷ କରାଯାଉଥିବା ବେଳେ ଏବେ ଏଇ ଚିଙ୍ଗୁଡି ଚାଷୀଙ୍କ ଭେଳା ବୁଡି ଯାଇଛି। ଚିଙ୍ଗୁଡି ଚାଷ ଉପରେ କରୋନା ମାଡ କାଳ ସାଜିଛି। ଭଦ୍ରକ ଜିଲ୍ଲାର ଚାନ୍ଦବାଲି, କରଂଜମାଳ, ଧାମରା, ଚରଦିଆ, କଇଥଖୋଲା, ଦୋସିଙ୍ଗା, ବାସୁଦେବପୁର, ଚୂଡାମଣିରେ ଥିବା ସମୁଦ୍ର ଉପକୂଳବର୍ତ୍ତୀ ଲୁଣା ଜଳରେ ବ୍ୟାପକ ଚିଙ୍ଗୁଡି ଚାଷ କରାଯାଇ ଏଠାରୁ ବାହାରକୁ ଚିଙ୍ଗୁଡି ରପ୍ତାନୀ କରାଯାଇ କୋଟି କୋଟି ଟଙ୍କା ଉପର୍ଜନ କରୁଥିଲେ ଚିଙ୍ଗୁଡି ଚାଷୀ। ବାର୍ଷିକ ପ୍ରାୟ ୮୫୦ କୋଟି ଟଙ୍କାର ଚିଙ୍ଗୁଡି ଚାଷ ଏବେ ଧିମେଇ ଯାଇଛି। କରୋନା କଟକଣା ଯୋଗୁଁ ଚଳିତ ବର୍ଷ ଚିଙ୍ଗୁଡି ଆମଦାନି ଓ ରପ୍ତାନୀ ଏବେ ୩୫୦ କୋଟି ତଳକୁ ଖସି ଆସିଛି। ବିଦେଶକୁ ଯାହାଜ ଚଳାଚଳ କରୁନଥିବାରୁ ଯାହାଜ ସାହାର୍ଯ୍ୟରେ ଚିଙ୍ଗୁଡି ବାହାର ବିଦେଶକୁ ରପ୍ତାନୀ କରାଯାଇ ପାରୁ ନାହିଁ। ବିଦେଶରେ ଧାମରା ଚିଙ୍ଗୁଡି ଉପରେ ଯେଉଁ ଡିମାଣ୍ଡ ଥିଲା ସେଥିରେ ଭଟ୍ଟା ପଡିଛି। ବିଦେଶକୁ ଚିଙ୍ଗୁଡି ରପ୍ତାନୀ ହେଉଥିବା ବେଳେ ଧାମରାର ଚିଙ୍ଗୁଡି ଚାଷୀ ଓ ଚିଙ୍ଗୁଡି ରପ୍ତାନି କରୁଥିବା କଂପାନୀମାନେ ଲାଭ ପାଉଥିଲେ। ଏବେ ଧାମରା ଚିଙ୍ଗୁଡି ଦେଶ ଭିତରେ ବିକ୍ରୀ କରାଯାଉଛି। ଯେଉଁଥି ପାଇଁ ଏହାର ମୂଲ୍ୟ କମ୍ ରହୁଛି।

publive-image Daily Sun

ଜିଲ୍ଲାର ମନ୍ତେଇ ଓ ବୈତରଣୀ ଅବବାହିକାରେ ଥିବା ଲୁଣା ଜୁଆର ଜଳରେ ଚିଙ୍ଗୁଡି ଚାଷ କରାଯାଉଥିବା ବେଳେ ଏବେ ଏହି ଉତ୍ପାଦିତ ଚିଙ୍ଗୁଡି ବିକ୍ରୀ ମୂଲ୍ୟ କମ୍ ରହୁଥିବାରୁ ଚାଷୀ କ୍ଷତି ସହୁଛି। ଚାଷୀ ଯେଉଁ ଟଙ୍କା ଚିଙ୍ଗୁଡି ଚାଷ ପାଇଁ ଖର୍ଚ୍ଚ କରିଛି ସେତକ ଟଙ୍କା ଉଠାଇବା ତା ପାଇଁ ଏବେ କାଠିକର ପାଠ ହୋଇଯାଇଛି। ଲୋକାଲ ମାର୍କେଟ ମଧ୍ୟ ବନ୍ଦ ରହୁଥିବା‌ରୁ ଲୋକାଲ ମାର୍କେଟରେ ବି ଧାମରା ଚିଙ୍ଗୁଡିର ବିକ୍ରୀ ମୂଲ୍ୟ କମ୍ ରହୁଛି। କାରଣ ଭଦ୍ରକ ଜିଲ୍ଲାରେ ଧାମରା ଚିଙ୍ଗୁଡିକୁ ଏତେ ଅଧିକ ମୂଲ୍ୟରେ କିଣି ଖାଇବା ମାନସିକତା ଲୋକଙ୍କ ଭିତରେ ନାହିଁ। ଏସବୁ ଦୃଷ୍ଟିକୁ ଦେଖିଲେ, ଚଳିତ ବର୍ଷ କରୋନା ପାଇଁ ଚିଙ୍ଗୁଡି ଚାଷୀ କ୍ଷତିରେ ରହିଛି। ଜିଲ୍ଲାର ଏଇ ସମୁଦ୍ର ଉପକୂଳ ଅଞ୍ଚଳରେ ପ୍ରାୟ ୧୦ ହଜାରରୁ ଉର୍ଦ୍ଧ୍ବ ଚିଘଙ୍ଗୁଡି ପୋଖରୀ ରହିଛି। ଚାଷୀମାନେ ଏଇସବୁ ପୋଖରୀରେ ଯାଆଁଳ ଛାଡନ୍ତି ଓ ଚିଙ୍ଗୁଡି ଉତ୍ପାଦନ କରି ବହାରକୁ ପଠାନ୍ତି। ଏଥିପାଇଁ ଭଦ୍ରକ ଜିଲ୍ଲାରେ ଧାମରା ଅଞ୍ଚଳରେ କିଛି କଂପାନି ନିଜର ବ୍ୟବସାୟ ଚଳାଇ ଆସୁଥିଲେ। ଏଇ କଂପାନିମାନେ ଚାଷୀଙ୍କୁ ଚିଙ୍ଗୁଡି ଯାଆଁଳ ଯୋଗାଇବାଠାରୁ ଆରମ୍ଭ କରି ଖାଦ୍ୟ ଓ ଚିଙ୍ଗୁଡି ପ୍ରସେସିଂ କରି ବହାରେ ବିକ୍ରୀ କରିବାରେ ଦାୟିତ୍ୱ ନେଇଥାନ୍ତି। ବିଦେଶକୁ ଚିଙ୍ଗୁଡି ରପ୍ତାନୀ ସୁବିଧା ନଥିବାରୁ ଚଳିତ ବର୍ଷ ଧାମରା ଅଞ୍ଚଳରେ ଯେଉଁ ଚାଷୀ ଚିଙ୍ଗୁଡି ଚାଷ କରିଥିଲେ ସେମାନଙ୍କଠାରୁ ଅଧିକ ମୂଲ୍ୟରେ କଂପାନି ଚିଙ୍ଗୁଡି ଉଠାଉ ନାହିଁ। ବାଧ୍ୟ ହୋଇ ଚାଷୀ କମ୍ ମୂଲ୍ୟରେ ଚିଙ୍ଗୁଡିକୁ ବିକ୍ରୀ କରୁଛି।

publive-image Vietnam News

ଭଦ୍ରକ ଜିଲ୍ଲାରେ ବର୍ଷକୁ ୩୦ ହଜାର ଟନ୍ ଚିଙ୍ଗୁଡି ଉତ୍ପାଦନ ହୁଏ। ଯାହାର ବଜାର ମୂଲ୍ୟ ୮୫୦ କୋଟି ଟଙ୍କା ହେବ ବୋଲି ଆକଳନ କରାଯାଇଛି। ଚଳିତ ବର୍ଷ ଏଇ ପରିମାଣରେ କାରବାର ହୋଇପାରି ନାହିଁ। ଗତ ଫେବ୍ରୁଆରୀ ମାସରୁ କରୋନାର ଭୟ ଭାରତରେ ପ୍ରବେଶ କରିବା ପରେ ଏହା ଓଡିଶା ଓ ଭଦ୍ରକ ଜିଲ୍ଲାର ଲୋକଙ୍କୁ ବି ପ୍ରଭାବିତ କଲା। କରୋନା ପାଇଁ ସବୁ ପ୍ରକାର ବ୍ୟବସାୟ କ୍ଷତି ହୋଇଥିବା ବେଳେ ଚିଙ୍ଗୁଡି ‌ବ୍ୟବସାୟ ମଧ୍ୟ କ୍ଷତିରେ ଚାଲୁଛି। ଚିଙ୍ଗୁଡି ବ୍ୟବସାୟରେ ବ୍ୟବସାୟୀ କ୍ଷତି ସହୁଥିବା ବେଳେ ଏହାର ପ୍ରଭାବ ସିଧା ସଳଖ ଭାବେ ଚିଙ୍ଗୁଡି ଚାଷୀଙ୍କ ଉପରେ ପଡୁଛି। କରୋନା ପୂର୍ବରୁ ଚିଙ୍ଗୁଡି କିଲୋ ପ୍ରତି ୩୫୦ ଟଙ୍କାରେ ବିକ୍ରୀ କରାଯାଉଥିବା ବେଳେ ଏବେ ଏହାର ମୂଲ୍ୟ ଖସି ୩୦୦ ଟଙ୍କାରେ ରହିଛି। ଗୋଟିଏ କିଲୋ ଉପରେ ୫୦ ଟଙ୍କାରୁ ଅଧିକ କ୍ଷତି ସହିବାକୁ ଚାଷୀଙ୍କୁଚ ପଡୁଛି। କରୋନା କଟକଣାର କ୍ଷତି ଭରଣା କରି ଚାଷୀ ଚଳିତ ବର୍ଷ ଆଉ ନୂଆକରି ଚିଙ୍ଗୁଡି ପୋଖରୀରେ ଯାଆଁଳ ଛାଡି ଚାଷ କରିବାକୁ ମନ ବଳାଉ ନଥିବା ଜଣାପଡିଛି। ଭଦ୍ରକ ଜିଲ୍ଲାର ଅଧିକାଂଶ ଚିଙ୍ଗୁଡି ଚାଷୀ ଏବର୍ଷ ଚିଙ୍ଗୁଡି ଚାଷକୁ ନେଇ ମୁହଁ ଶୁଖାଉଥିବା ବେଳେ ଚିଙ୍ଗୁଡି ଚାଷରେ ଆଉ ଲାଭ ନାହିଁ ବୋଲି କହୁଛନ୍ତି। କରୋନା କଟକଣା ହଟିଲେ କଣ ହେବ, ତାହା କହି ହେଉ ନାହିଁ। ୨୦୧୬-୧୭ ମସିହାରେ ଭଦ୍ରକ ଜିଲ୍ଲାରୁ ୬୭୦ କୋଟି ଟଙ୍କାର ଚିଙ୍ଗୁଡି ରପ୍ତାନୀ କରାଯାଇଥିବା ବେଳେ ୧୭-୧୮ରେ ୮୧୦ କୋଟି ଟଙ୍କା, ୧୮-୧୯ରେ ୮୨୦ କୋଟି ଟଙ୍କା, ୧୯-୨୦ରେ ୮୭୦ କୋଟି ଟଙ୍କାର କାରବାର ହୋଇଥିଲା। ତେବେ ୨୦-୨୧ ବର୍ଷରେ ଜିଲ୍ଲାର ଚିଙ୍ଗୁଡି କାରବାର ୪୦ ପ୍ରତିଶତ ହୋଇଥିବା ବେଳେ ଏବେ ସୁଦ୍ଧା ଏହା ୬୦ ପ୍ରତିଶତ କାରବାର କମିଛି। ଭଦ୍ରକ ଜିଲ୍ଲାର ଚିଙ୍ଗୁଡି ଚାଷ ଉପରେ କରୋନା‌ ମାଡ ଉଭୟ ଚାଷୀ ଓ ବ୍ୟବସାୟୀଙ୍କୁ ବାଧିଛି। ଯେଉଁଥି ପାଇଁ କିଛି ନୂଆ ପୀଢିର ଚିଙ୍ଗୁଡି ଚାଷୀ ଚଳିତ ବର୍ଷ ଚିଙ୍ଗୁଡି ଚାଷ ଆଡୁ ମୁହଁ ଫେରାଉଥିବା ଜଣାପଡିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe