ଗାଁ ଲୋକ ସଚେତନ, ସହରରେ ନାହିଁ; ୩୯ ଜଣଙ୍କ ବିରୋଧରେ ମାମଲା, ୨୧ ବାଇକ୍‌ ଜବତ

Advertisment
କରୋନା ମୁକାବିଲା ଲାଗି ମୁତୟନ ପୁଲିସ୍‌ କର୍ମୀଙ୍କୁ ସାପ୍ତାହିକ ଛୁଟି ମିଳିବ, ୮ ଘଣ୍ଟାରୁ ଅଧିକ କାର୍ଯ୍ୟ କରିବେ ନାହିଁ

ଅନୁଗୁଳ/ଠାକୁରଗଡ଼ :‌ ସାରା ବିଶ୍ବରେ ଆତଙ୍କ ସୃଷ୍ଟି କରିଥିବା କରୋନା ମୁକାବିଲା ପାଇଁ ଭାରତ ସରକାରଙ୍କ ୨୧ଦିନିଆ ଲକ୍‌ଡାଉନ ଘୋଷଣା ପରେ ଅନୁଗୁଳ ଜିଲ୍ଲାର ସହରାଂଚଳରେ କଟକଣା ପ୍ରାୟତଃ ଉଲ୍ଲଂଘନ ହେଉଥିବା ବେଳେ ଗାଁଗୁଡ଼ିକରେ କିନ୍ତୁ ସଚେତନତା ସୃଷ୍ଟି କରାଯାଉଛି। କଟକଣା ‌ଉଲ୍ଲଂଘନ ଯୋଗୁଁ ଅନୁଗୁଳ ଜିଲ୍ଲା ପୁଲିସ ଏପର୍ଯ୍ୟନ୍ତ ୩୯ ଜଣଙ୍କ ବିରୋଧରେ ମାମଲା ରୁଜୁ କରିଥିବା ବେଳେ ୨୧ଟି ବାଇକ୍‌ ବି ଜବତ କରିଛି।

ଅନୁଗୁଳ ଜିଲ୍ଲା ଠାକୁରଗଡ଼ ଥାନା ଅନ୍ତର୍ଗତ ରାଣୀବନ୍ଧ ଗାଁର ତ୍ରିନାଥ ଯୁବକ ସଂଘ ଗାଁରେ ଆରମ୍ଭ କରିଛି ଲକ୍‌ଡାଉନ୍‌। ୨୫ ତାରିଖରୁ ଯୁବକ ସଂଘ ତରଫରୁ 'ଆମ ଗାଁକୁ ଆମେ ଜଗିବା' କାର୍ଯ୍ୟକ୍ରମ ହାତକୁ ନିଆଯାଇଛି। ବିଦେଶ ଓ ବାହାର ରାଜ୍ୟ ଫେରନ୍ତା ଲୋକମାନଙ୍କୁ ଗାଁକୁ ପ୍ରବେଶ କରିବାକୁ ଦିଆଯାଉ ନାହିଁ। ଗାଁକୁ ଭିତରକୁ ପ୍ରବେଶ କରିବା ପୂର୍ବରୁ ଚେକ୍‌ଗେଟ୍‌ଠାରେ ଡେଟଲ୍‌‌ ହ୍ୟାଣ୍ଡ ୱାସ୍‌ରେ ଭଲ କରି ହାତ ଧୋଇବା ପରେ ଗାଁ ଭିତରକୁ ଛଡ଼ାଯାଉଛି ବୋଲି ତ୍ରିନାଥ ଯୁବକ ସଂଘର ସଭାପତି ଅନାମ ଚରଣ ସ୍ବାଇଁ କହିଛନ୍ତି। ଗାଁରୁ ଯେଉଁମାନେ ବାହାରକୁ କୌଣସି ଜରୁରୀ କାର୍ଯ୍ୟ ପାଇଁ ଯିବାକୁ ଚାହିଁଲେ ସେମାନଙ୍କ ରେକର୍ଡ ରଖାଯାଉଛି। ଆଉ ବାହାର ଗାଁରୁ ଯେଉଁମାନେ ତାଙ୍କ ଗାଁକୁ ଆସିବାକୁ ଚାହୁଁଛନ୍ତି, ସେମାନଙ୍କ ମଧ୍ୟ ରେକର୍ଡ କରାଯାଉଛି। ବାହାର ଗାଁରୁ ଆସୁଥିବା ଲୋକମାନଙ୍କୁ ଚେକ୍‌ଗେଟ୍‌ ନିକଟରେ ଜଗିଥିବା ଯୁବକମାନଙ୍କ ଅନେକ ପ୍ରଶ୍ନର ସାମ୍‌ନା କରିବାକୁ ପଡ଼ୁଛି। ଯାହା ପ୍ରତି ସନ୍ଦେହ ହେଉଛି, ତାଙ୍କୁ ଗାଁକୁ ଯିବାକୁ ଅନୁମତି ମିଳୁନାହିଁ। ଲକ୍‌ଡାଉନ୍ ସରିବା ପର୍ଯ୍ୟନ୍ତ ଏହି କାର୍ଯ୍ୟକ୍ରମ ଜାରି ରହିବ ବୋଲି ରାଣୀବନ୍ଧ ଗ୍ରାମ କମିଟିର ଟୁନା ସ୍ବାଇଁ, ପ୍ରଦୀପ ସାହୁ, ସୁଶାନ୍ତ ନାୟକ ପ୍ରମୁଖ କହିଛନ୍ତି। କେବଳ ରାଣୀବନ୍ଧ ନୁହେଁ, ଜିଲ୍ଲାର ବିଭିନ୍ନ ଗ୍ରାମର ଯୁବକ ସଂଘ, ଗ୍ରାମ କମିଟି ପକ୍ଷରୁ ଏ‌ଦିଗରେ ସଚେତନତା ସୃଷ୍ଟି କରାଯାଉଥିବା ଦେଖିବାକୁ ମିଳୁଛି। ରାଜ୍ୟ ବାହାରୁ ଫେରିଥିବା କେତେକ ଲୋକଙ୍କୁ ଗାଁ ସ୍କୁଲଗୁଡ଼ିକରୁ ସଙ୍ଗରୋଧରେ ରଖି ସେମାନଙ୍କ ପାଇଁ ଘରୁ ଖାଦ୍ୟ ପଠାଯାଉଥିବା ଜଣାପଡ଼ିଛି।

ଅପରପକ୍ଷରେ ଗ୍ରାମାଂଚଳ ଅପେକ୍ଷା ସହରାଂଚଳବାସୀଙ୍କୁ ପ୍ରାୟତଃ ସବୁଦୃଷ୍ଟିରୁ ଅଧିକ ସଚେତନ ବୋଲି ଧରାଯାଇଥାଏ। କରୋନା ଦାଉରୁ ଲୋକଙ୍କୁ ବଞ୍ଚାଇବା ପାଇଁ ସରକାର ଲକ୍‌ଡାଉନ୍‌ ଭଳି କଠୋର ନିଷ୍ପତ୍ତି ନେଇଥିବା ବେଳେ ସହରାଂଚଳର ଅନେକ ଲୋକ ଅତିବେପରୁଆ ମନୋଭାବ ପୋଷଣ କରୁଛନ୍ତି। ସହରର ଖାଲି ରାସ୍ତାରେ ତୀବ୍ର ଗତିରେ ବାଇକ୍‌ ଚଳାଇବାର ମଜା ଉଠାଉଛନ୍ତି। ସହରର ଛକ ଜାଗାଗୁଡ଼ିକରେ ଜଗି ରହିଥିବା ପୁଲିସ କର୍ମଚାରୀଙ୍କୁ ମିଛି କହି ବୁଲାବୁଲି କରୁଥିବା ଅଭିଯୋଗ ହେଉଛି। ପୁଲିସ୍‌ ସେମାନଙ୍କୁ ଅଟକାଇଲେ ବାଇକ୍‌ ଚାଲକମାନେ ପୁରୁଣା ମେଡିସିନ୍‌ ଖୋଲ କିମ୍ବା ବହୁ ଆଗରୁ ଡାକ୍ତରଙ୍କୁ ପରାମର୍ଶ କରାଇଥିବା କାଗଜକୁ ଦେଖାଇ ଔଷଧ କିଣିଯିବା ଆଳରେ ସହରରେ ମନଇଚ୍ଛା ବୁଲାବୁଲି କରୁଥିବା ଦେଖିବାକୁ ମିଳିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe