୨୦ ପରର ଚିନ୍ତାରେ ପୁଲିସ : ଲକ୍‌ଡାଉନ୍‌ ଖିଲାପକାରୀଙ୍କୁ ଦଣ୍ଡ, ଭଲ କର୍ମଚାରୀଙ୍କୁ ପୁରସ୍କୃତ କରାଯିବ

୨୦ ପରର ଚିନ୍ତାରେ ପୁଲିସ : ଲକ୍‌ଡାଉନ୍‌ ଖିଲାପକାରୀଙ୍କୁ ଦଣ୍ଡ, ଭଲ କର୍ମଚାରୀଙ୍କୁ ପୁରସ୍କୃତ କରାଯିବ

କଟକ : ରାଜ୍ୟରେ କରୋନା ସଂକ୍ରମଣ ଆଶଙ୍କା କମ୍ ଥିବା ଅଞ୍ଚଳଗୁଡ଼ିକରେ ଆସନ୍ତା ୨୦ ତାରିଖ ପରେ କିଛିମାତ୍ରାରେ କଟକଣା କୋହଳ କରାଯିବାକୁ ଯୋଜନା କରାଯାଉଛି। ତେବେ ନିର୍ଦ୍ଦିଷ୍ଟ ଭାବେ ଥାନାଓ୍ବାରି ଅଞ୍ଚଳଗୁଡ଼ିକର ସ୍ଥିତି କିଭଳି ରହିଛି, ସେ ନେଇ ପୁଲିସ ବିଭାଗ ସମୀକ୍ଷା ଆରମ୍ଭ କରିଦେଇଛି। ଲକ୍‌ଡାଉନ୍‌ ନିୟମ ଖିଲାପ କରୁଥିବା ସାଧାରଣ ଲୋକ ଯେଭଳି ଖସି ନଯାନ୍ତି, ସେଥପ୍ରତି କଡ଼ା ନଜର ରଖିବାକୁ ଡିଜି ଅଭୟ ଚେତାଇ ଦେଇଛନ୍ତି। ଅନ୍ୟପଟେ ଯେଉଁ ପୁଲିସ ଅଫିସର କିମ୍ବା କର୍ମଚାରୀ ଲକ୍‌ଡାଉନ୍‌ ସମୟରେ ନିଜ ମାନବିକତା ଦେଖାଇଛନ୍ତି, ସେମାନଙ୍କ ଦସ୍ତାବିଜ ପ୍ରସ୍ତୁତ କରି ରଖିବାକୁ ପରାମର୍ଶ ଦିଆଯାଇଛି। ପୁଲିସ ବିଭାଗ ପକ୍ଷରୁ ସେମାନଙ୍କ କାର୍ଯ୍ୟକୁ ପ୍ରଶଂସିତ କରାଯିବାର ଯୋଜନା ରହିଛି।

ସୂଚନା ଅନୁଯାୟୀ, କଟକ ପୁଲିସ ମୁଖ୍ୟାଳୟରେ ପୁଲିସ ଡିଜି ଅଭୟ ଆଜି ସମସ୍ତ ରେଞ୍ଜ୍‌ ଡିଆଇଜି ଏବଂ ଜିଲ୍ଲା ଏସପି/ଡିଏସ୍‌ପିଙ୍କ ସହିତ ଭିଡିଓ କନଫରେନ୍‌ସିଂରେ ଲକ୍‌ଡାଉନ୍‌ ସମ୍ପର୍କରେ ଗୁରୁତ୍ବପୂର୍ଣ୍ଣ ବୈଠକ କରିଥିଲେ। ଲକ୍‌ଡାଉନ୍‌ର ବର୍ତ୍ତମାନ ସ୍ଥିତି ଏବଂ ଆସନ୍ତା ଏପ୍ରିଲ ୨୦ ତାରିଖ ପରେ ସମ୍ଭାବ୍ୟ କେତେକ କଟକଣାମୁକ୍ତ କାର୍ଯ୍ୟକ୍ରମ ଜିଲ୍ଲା ପୁଲିସ କିଭଳି ପ୍ରସ୍ତୁତ ରହିଛି, ସେ ସମ୍ପର୍କରେ ଡିଜି ବରିଷ୍ଠ ଅଧିକାରୀଙ୍କ ସହିତ ଆଲୋଚନା କରିଥିଲେ। ଲକ୍‌ଡାଉନ୍‌ ସମୟରେ କ୍ବାରାଣ୍ଟିନ୍‌ ନିୟମ ଖିଲାପ କରି ବାହାରେ ବୁଲାବୁଲି କରୁଥିବା ଯେକୌଣସି ଲୋକ ଏବଂ ସନ୍ଦିଗ୍ଧଙ୍କ ବିରୋଧରେ ପୁଲିସ ଏବେ ଶତାଧିକ ମାମଲା ରୁଜୁ କରିଛି। ସେହି ମାମଲାଗୁଡ଼ିକର ଉପଯୁକ୍ତ ତଦନ୍ତ ଏବଂ ଅଭିଯୁକ୍ତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ କଣ ଗ୍ରହଣ କରାଯାଇଛି, ସେ ସମ୍ପର୍କରେ ଡିଜି ପଚାରି ବୁଝିଥିଲେ। ରାସ୍ତାଘାଟ, ଛକ ବଜାରରେ ଡ୍ୟୁଟି କରୁଥିବା ପୁଲିସ ଅଧିକାରୀ ଓ କର୍ମଚାରୀଙ୍କ ୮ ଘଣ୍ଟିଆ ଡ୍ୟୁଟି ଏବଂ ସପ୍ତାହରେ ଗୋଟିଏ ଦିନ ଛୁଟି ପ୍ରସଂଗରେ ଆଲୋଚନା କରାଯାଇଥିଲା।

ଏବେ ଗଣମାଧ୍ୟମରେ ପୁଲିସ ଅଧିକାରୀଙ୍କ ମାନବିକତାକୁ ନେଇ ଏକାଧିକ ଖବର ପ୍ରକାଶ ପାଉଛି। ଏହି ଖବରଗୁଡ଼ିକର ଦସ୍ତାବିଜ ପ୍ରସ୍ତୁତ କରି ରଖିବାକୁ ଡିଜିପି ପରାମର୍ଶ ଦେଇଛନ୍ତି। ଭବିଷ୍ୟତରେ ସମ୍ପୃକ୍ତ ପୁଲିସ ଅଫିସର ଏବଂ କର୍ମଚାରୀଙ୍କୁ ପ୍ରଶଂସିତ କରିବାର ଯୋଜନା ରହିଛି। ଆନ୍ତଃ ଜିଲ୍ଲା ଏବଂ ଆନ୍ତଃ ରାଜ୍ୟ ଗମନାଗମନ ଉପରେ ଅନୁମତି ପ୍ରସଂଗରେ ଡିଜି ଆଲୋଚନା କରିଥିଲେ। ବିଭିନ୍ନ ଜିଲ୍ଲାକୁ ଚିକିତ୍ସା କିମ୍ବା କାମ ପାଇଁ ଆସିଥିବା ସାଧାରଣ ଲୋକ ଫସିଯାଇଥିବାରୁ ପୁଲିସ ସେମାନଙ୍କୁ ସ୍ବତନ୍ତ୍ର ଗାଡ଼ି ମାଧ୍ୟମରେ ନିଜ ଗାଁକୁ ପଠାଇଛି। ତେବେ ଏଥିପ୍ରତି ମଧ୍ୟ ଦୃଷ୍ଟି ଦିଆଯାଇଛି। ଓଡ଼ିଶାରେ ଥିବା ପ୍ରବାସୀ ଶ୍ରମିକ ଶିବିରର ସ୍ଥିତି ମଧ୍ୟ ଅନୁଧ୍ୟାନ କରାଯାଇଛି। ସେମାନଙ୍କ ଯେଭଳି କୌଣସି ପ୍ରକାର ସମସ୍ୟା ନହୁଏ, ସେଥିପ୍ରତି ମଧ୍ୟ ପୁଲିସ ବିଭାଗ ନଜର ରଖିଛି। ରାଜ୍ୟ ସରକାର ଗଲା ୯ ତାରିଖରୁ ମାସ୍କ୍‌ ପିନ୍ଧିବା ବାଧ୍ୟତାମୂଳକ କରିଥିବାରୁ, କୌଣସି ବ୍ୟକ୍ତି ଯେଭଳି ବିନା ମାସ୍କ୍‌ରେ ଘରୁ ନ ବାହାରିବେ ସେଥିପ୍ରତି ପୁଲିସ ଅଫିସର କଡ଼ା ନଜର ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି। ବିଭିନ୍ନ ଜିଲ୍ଲାରେ ଚୋରାମଦ କାରବାର ଏବେ ସକ୍ରିୟ ହୋଇଥିବାରୁ ଏବେ ମଦମାଫିଆଙ୍କ ଉପରେ କଡ଼ା ନଜର ରଖାଯାଇଛି। ସମ୍ପୂର୍ଣ୍ଣ ମଦ ବନ୍ଦ କରିବାକୁ ପୁଲିସ ଅଫିସରଙ୍କୁ ଡିଜିପି ତାଗିଦ କରିଛନ୍ତି। ଗଲା ୨୨ ତାରିଖରୁ ଜାରି ହୋଇଥିବା ଲକ୍‌ଡାଉନ୍‌ ମେ ୩ ତାରିଖ ଯାଏ ବୃଦ୍ଧି ପାଇଥିବାରୁ ଘରୋଇ ହିଂସା ହେଉଥିବା ଅଭିଯୋଗ ଆସିଛି। ଜିଲ୍ଲା ଏସ୍‌ପି/ ଡିସିପି ଏଥିପ୍ରତି ଦୃଷ୍ଟିଦେଇ ମୋବାଇଲ ମାଧ୍ୟମରେ ଅଭିଯୋଗ ଗ୍ରହଣ କାର୍ଯ୍ୟକ୍ରମ ତ୍ବରାନ୍ବିତ କରିବେ। ଘରେ ରହି ଅଭିଯୋଗକାରୀ/ଅଭିଯୋଗକାରିଣୀ ପୁଲିସ ପକ୍ଷରୁ ଜାରି ସ୍ବତନ୍ତ୍ର ଫୋନ ମାଧ୍ୟମରେ ପୁଲିସର ସହାୟତା ନେଇପାରିବେ। ପୁଲିସ ଘଟଣାସ୍ଥଳ କିମ୍ବା ସେମାନଙ୍କ ଘରୁ ଲିଖିତ ଏତଲା ଗ୍ରହଣ କରି ଅଭିଯୁକ୍ତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ନେଇ ଡିଜି ଭିଡିଓ କନଫରେନ୍ସିଂ ମାଧ୍ୟମରେ ତାଗିଦ କରିଛନ୍ତି।

ଏହି ସମୀକ୍ଷା ବୈଠକରେ ଡିଜିଙ୍କ ସମେତ ଏଡିଜି ହେଡକ୍ବାର୍ଟର ବିନୟତୋଷ ମିଶ୍ର, ଏଡିଜି ଆଇନ ଶୃଙ୍ଖଳା ସୌମେନ୍ଦ୍ର ପ୍ରିୟଦର୍ଶୀ, ଏଡିଜି ଗୁଇନ୍ଦା ଆର୍‌.କେ ଶର୍ମା, ଆଇଜି ଆଧୁନିକୀକରଣ ରେଖା ଲୋହାନି, ଆଇଜି ପ୍ରୋଭିଜନିଂ ଜଚୀନ୍ଦ୍ର କୋଏଲ, ଆଇଜି ଅର୍ଥନୈତିକ ଅପରାଧ ଶାଖା ଘନଶ୍ୟାମ ଉପାଧ୍ୟାୟ, ଡିଆଇଜି ସ୍ବତନ୍ତ୍ର ଟାସ୍କ୍‌ ଫୋର୍ସ ଜୟନାରାୟଣ ପଙ୍କଜ ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe