ଲକଡାଉନ୍ ଉଲ୍ଲଂଘନ : ୨୦ ଦିନରେ ସାଢେ ୪ ହଜାର ମାମଲା, ୨୦ ହଜାର ବାଇକ୍ ଜବତ

Advertisment

ଗୃହ ସଂଗରୋଧ ଭାଙ୍ଗିଛନ୍ତି ୧୦୫, ୫୦ରୁ ଅଧିକ ଗୁଜବକାରୀ ଗିରଫ

ଗୃହ ସଂଗରୋଧ ଭାଙ୍ଗିଛନ୍ତି ୧୦୫, ୫୦ରୁ ଅଧିକ ଗୁଜବକାରୀ ଗିରଫ

ଲକଡାଉନ୍ ଉଲ୍ଲଂଘନ : ୨୦ ଦିନରେ ସାଢେ ୪ ହଜାର ମାମଲା, ୨୦ ହଜାର ବାଇକ୍ ଜବତ

ଭୁବନେଶ୍ବର : କରୋନା ମୁକାବିଲା ଲାଗି ସାମାଜିକ ଦୂରତ୍ବ ରକ୍ଷା କରିବା ପାଇଁ ଲକଡାଉନ୍ ନିୟମ ଲାଗୁ ହେବାର ୨୦ ଦିନ ବିତିଯାଇଛି। ଲକଡାଉନ୍ ସମୟରେ କେବଳ ଅତି ଜରୁରୀ କାମ ପାଇଁ ରାସ୍ତାକୁ ଆସିବାକୁ ଅନୁମତି ଦିଆଯାଇଛି। କିନ୍ତୁ ବିନା କାମରେ ରାସ୍ତାରେ ଅମାନିଆ ହୋଇ ଗାଡ଼ି ଧରି ବୁଲୁଥିବା ବ୍ୟକ୍ତିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ପୁଲିସ। ସାରା ରାଜ୍ୟରେ ବିଭିନ୍ନ ଥାନାରେ ଲକଡାଉନ୍ ଆଇନ ଉଲ୍ଲଂଘନ ନେଇ ସାଢେ ୪ ହଜାରରୁ ଅଧିକ ମାମଲା ରୁଜୁ ହୋଇଛି। ଏହି ସମୟ ଭିତରେ ପ୍ରାୟ ୨୦ ହଜାର ଗାଡ଼ି ଜବତ କରାଯାଇ ଜରିମାନା ଆଦାୟ କରା ଯାଇଛି। ମାର୍ଚ୍ଚ ୨୫ ତାରିଖରୁ ଏପ୍ରିଲ ୧୩ ତାରିଖ ସକାଳ ପର୍ଯ୍ୟନ୍ତ ଏହି ମାମଲା ରୁଜୁ ହୋଇଛି।

ମିଳିଥିବା ସୂଚନା ଅନୁସାରେ, ପ୍ରଧାନମନ୍ତ୍ରୀ ଲକ୍‌ଡାଉନ୍ ଘୋଷଣା କରିବା ପରେ ପୁଲିସ ପକ୍ଷରୁ କାର୍ଯ୍ୟାନୁଷ୍ଠାନ ଆରମ୍ଭ ହୋଇଥିଲା। ରାସ୍ତାଘାଟରେ ପୁଲିସର ନାକାବନ୍ଦୀ ସହ ଆଇନ ଉଲ୍ଲଂଘନକାରୀଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିଲା। ମାର୍ଚ୍ଚ ୨୫ ତାରିଖଠାରୁ ପୁଲିସର କାର୍ଯ୍ୟାନୁଷ୍ଠାନ ଆରମ୍ଭ ହୋଇଥିଲା। ପ୍ରଥମ ଦିନରେ ୨୫୫ ମାମଲା ରୁଜୁ ହୋଇଥିବା ବେଳେ ଦ୍ବିତୀୟ ଦିନରେ ୩୯୩, ତୃତୀୟ ଦିନରେ ୩୨୪ ମାମଲା ରୁଜୁ ହୋଇଥିଲା। ଏମିତି ମାମଲା ସଂଖ୍ୟା ବଢି ଚାଲିଥିଲା। କିନ୍ତୁ ଗତ ତିନି ଦିନ ଧରି ମାମଲା ସଂଖ୍ୟା କମିବାରେ ଲାଗିଛି। ପୂର୍ବ ଅପେକ୍ଷା ଲୋକ ଧୀରେ ଧୀରେ ସଚେତନ ହେବାରେ ଲାଗିଛନ୍ତି। ୧୦ ଏପ୍ରିଲରୁ ୧୧ ଏପ୍ରିଲ ସକାଳ ପର୍ଯ୍ୟନ୍ତ ୧୭୦ ମାମଲା, ୧୧ ଏପ୍ରିଲରୁ ୧୨ ଏପ୍ରିଲ ସକାଳ ପର୍ଯ୍ୟନ୍ତ ୧୫୭ ମାମଲା, ୧୨ ଏପ୍ରିଲରୁ ୧୩ ଏପ୍ରିଲ ସକାଳ ଭିତରେ ସଂଖ୍ୟା କମି ୧୨୨ଟି ମାମଲାରେ ପହଞ୍ଚି ଥିଲା। ଗତ ୨୦ ଦିନ ଭିତରେ ମୋଟ ୪୫୧୪ଟି ମାମଲା ରୁଜୁ ହୋଇଛି। ଗତ ମାର୍ଚ୍ଚ ୨୫ ତାରିଖ ସକାଳ ଠାରୁ ଏପ୍ରିଲ ୧୩ ତାରିଖ ସକାଳ ପର୍ଯ୍ୟନ୍ତ କେବଳ ଲକଡାଉନ୍ ଆଇନ ଉଲ୍ଲଂଘନରେ ୪୨୫୭ଟି ମାମଲା ରୁଜୁ ହୋଇଛି। ସେହିପରି ଗୃହ ସଂଗରୋଧ ଆଇନ ଉଲ୍ଲଂଘନ ଅଭିଯୋଗରେ ୧୦୫ଟି ଓ ଗୁଜବ କରିବା ଅଭିଯୋଗରେ ୫୦ରୁ ଅଧିକ ମାମଲା ରୁଜୁ ହୋଇଛି। ଗୁଜବ ସୃଷ୍ଟିକାରୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ପୁଲିସ। ୧୨ ଏପ୍ରିଲରୁ ୧୩ ଏପ୍ରିଲ ସକାଳ ଭିତରେ ରୁଜୁ ହୋଇଥିବା ୧୨୨ଟି ମାମଲାରୁ ୧୧୮ଟି ଲକଡାଉନ୍, ଗୋଟିଏ ଗୃହ ସଂଗରୋଧ ଓ ଗୋଟିଏ ଗୁଜବ ସୃଷ୍ଟି ଅଭିଯୋଗରେ ମାମଲା ରୁଜୁ ହୋଇଛି। ଆଗକୁ ଆଇନ ଉଲ୍ଲଂଘନକାରୀଙ୍କ ବିରୋଧରେ ପୁଲିସ ଆହୁରି କଠୋର ପଦକ୍ଷେପ ନେବ ବୋଲି ଜଣାପଡ଼ିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe