Wallpaperflare
ଭୁବନେଶ୍ବର : ଓଡ଼ିଶାକୁ ଜୁନ୍ରେ ପଙ୍ଗପାଳ ପ୍ରବେଶ କରିବା ନେଇ ଆଶଙ୍କା ଘନେଇଲାଣି। ସମ୍ଭବତଃ ୬୦ବର୍ଷ ପରେ ପୁଣି ଓଡ଼ିଶା ଏପରି ଏକ ପରିସ୍ଥିତିକୁ ସାମ୍ନା କରିବାକୁ ଯାଉଛି। ପଙ୍ଗପାଳ ଦଳ ଯୁଆଡ଼େ ଯିବେ, ଏକର ଏକର ଫସଲ ନଣ୍ଡା କରିଦେବେ ବୋଲି କୁହାଯାଉଛି। ତେବେ ଏହା ଓଡ଼ିଶା ପାଇଁ ନୂଆ ନୁହେଁ। ୬୦ ବର୍ଷ ତଳେ ମଧ୍ୟ ଓଡ଼ିଶାରେ ପଙ୍ଗପାଳ ସବୁ ଶସ୍ୟ ଚରିଯିବା ପରେ କେବଳ ପାଳ ରହି ଯାଇଥିଲା। ତାହା ୧୯୬୦ ମସିହା ନଭେମ୍ବରରେ ପ୍ରକାଶିତ କବି, ଗାଳ୍ପିକ ଓ ବ୍ୟଙ୍ଗକବି ଗୋଦାବରୀଶ ମହାପାତ୍ରଙ୍କ ‘ଗୋଦାବରୀଶ ରଚନାବଳୀ’ରେ ଉଲ୍ଲେଖ ରହିଛି। ତତ୍କାଳୀନ ବ୍ୟବସ୍ଥାକୁ ବ୍ୟଙ୍ଗ କରିବାକୁ ଯାଇ ସେ ପଙ୍ଗପାଳକୁ ପ୍ରସଙ୍ଗ କରିଥିଲେ। ତାଙ୍କ କବିତାର ଶୀର୍ଷକ ଥିଲା ‘ପଙ୍ଗପାଳ’।
ଗୀତର କିଛି ପଙକ୍ତି ଥିଲା ଏମିତି; ‘‘କି ଗୀତ ଲେଖିବି ଆଜି ଏତେବେଳେ, ତୁମ ନାମେ ଆହେ ପଙ୍ଗପାଳ। ଘନନୀଳ ଏହି ଗଗନ ପଥରେ ଦଳଦଳ ହୋଇ ଚାଲିଚ ମାଡ଼ି, ଧାନ ଖାଇ ଏତେ ଉପରେ ଉଡ଼ୁଚ ହେଲା ଏ ଓଡ଼ିଶା-ରାଜ୍ୟ ପାଳ। ରକ୍ତ, ଧୂସର, ହରିତ ବର୍ଣ୍ଣେ ତୁମ ଆଗମନ ଧାଡ଼ିକି ଧାଡ଼ି।’’ କବିତାରେ ରହିଥିବା ଉଲ୍ଲେଖ ମୁତାବକ, ଲାଲ, ଧୂସର ଓ ସବୁଜ ରଙ୍ଗର ଏହି ପଙ୍ଗପାଳମାନେ ସେତେବେଳେ ଧାନ ଖାଇ କେବଳ ପାଳ ଛାଡ଼ି ଦେଇ ଚାଲିଯାଇଥିବା କଥା ଉଲ୍ଲେଖ ରହିଛି। ଶ୍ରୀ ମହାପାତ୍ରଙ୍କ ଏହି କବିତାର ସାରାଂଶ ପଙ୍ଗପାଳ ଆଗମନ ପରର ସଙ୍କଟମୟ ଚିତ୍ରକୁ ଦର୍ଶାଉଛି।
Follow Us