ଜୁନ୍‌ରେ ଓଡ଼ିଶା ଆସିପାରନ୍ତି ପଙ୍ଗପାଳ, ସତର୍କ କରାଇଲେ କେନ୍ଦ୍ର ସରକାର

Advertisment
ଜୁନ୍‌ରେ ଓଡ଼ିଶା ଆସିପାରନ୍ତି ପଙ୍ଗପାଳ, ସତର୍କ କରାଇଲେ କେନ୍ଦ୍ର ସରକାର

PRI.org

ମୁକାବିଲା ପାଇଁ ଓୟୁଏଟିରେ ପ୍ରସ୍ତୁତି
ଗୋଲାପି ରଙ୍ଗର ପଙ୍ଗପାଳ କ୍ଷତିକାରକ
ମୌସୁମୀ ଆସିଲେ ଫେରିଯିବେ ପଙ୍ଗପା

ଭୁବ‌େନଶ୍ବର : କରୋନା ମହାବିପତ୍ତି ସମୟରେ ଦେଶର ଚାଷୀକୂଳ ପାଇଁ ଆଉ ଏକ ବଡ଼ ବିପଦ ମାଡ଼ି ଆସିଛି। ବିଦେଶରୁ ଆସିଥିବା ପଙ୍ଗପାଳ ଦଳ ଗୋଟିଏ ପରେ ଗୋଟିଏ ରାଜ୍ୟକୁ ମାଡ଼ିଚାଲିଛନ୍ତି। ବର୍ତ୍ତମାନ ସୁଦ୍ଧା ଗୁଜୁରାଟ, ରାଜସ୍ଥାନ, ହରିୟାଣା, ଉତ୍ତରପ୍ରଦେଶ, ମଧ୍ୟପ୍ରଦେଶରେ ପଙ୍ଗପାଳ ବ୍ୟାପକ ଫସଲ ନଷ୍ଟ କରିସାରିଲେଣି। ଜୁନ୍‌ ମାସରେ ସେମାନେ ଓଡ଼ିଶା ଓ ବିହାରକୁ ଆସିପାରନ୍ତି ବୋଲି ଅନୁମାନ କରାଯାଉଛି। କେନ୍ଦ୍ର ସରକାର ମଧ୍ୟ ଏ ନେଇ ଉଭୟ ରାଜ୍ୟକୁ ସତର୍କ କରାଇ ଦେଇଛନ୍ତି। ଫଳରେ ପ୍ରାୟ ୬୦ ବର୍ଷ ପରେ ଓଡ଼ିଶାରେ ପଙ୍ଗପାଳଙ୍କ ଉପଦ୍ରବ ହେବାର ଆଶଙ୍କା ରହିଛି।

ପଙ୍ଗପାଳ ଓଡ଼ିଶା ମୁହାଁ ହେଲା ପରେ ପ୍ରଥମେ ସେମାନେ ପଶ୍ଚିମ ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ଫସଲ ନଷ୍ଟ କରିପାରନ୍ତି। କୃଷି ବୈଜ୍ଞାନିକମାନଙ୍କ କହିବା ଅନୁଯାୟୀ ଝିଣ୍ଟିକା ଭଳି ଦେଖା ଯାଉଥିବା ଗୋଲାପୀ ରଙ୍ଗର ପଙ୍ଗପାଳ ସର୍ବାଧିକ କ୍ଷତିକାରକ। ଖୁବ୍ କମ୍ ଦିନରେ ଏକର ଏକର ଜମିର ଫସଲ ଖାଇବା ସହ ଗଛରୁ ପତ୍ର ଖାଇ ଲଣ୍ଡା କରିଦେବାର କ୍ଷମତା ଏମାନଙ୍କର ରହିଛି। ଯଦି ଏମାନଙ୍କ ରଙ୍ଗ ହଳଦୀ ହୋଇଥାଏ, ତେବେ ବିପଦ କମିଯିବ। ପଙ୍ଗପାଳ ଓଡ଼ିଶାରେ ପହଞ୍ଚିଲା ବେଳକୁ ଯଦି ମୌସୁମୀ ବର୍ଷ ଆରମ୍ଭ ହୋଇଯାଇଥାଏ, ତେବେ ସେମାନେ ଫେରିଯିବେ ବୋଲି ଅନୁମାନ କରାଯାଉଛି।

ପଙ୍ଗପାଳ ଓଡ଼ିଶା ମୁହାଁ ହେବା ନେଇ କେନ୍ଦ୍ର ସରକାର ସତର୍କ କରାଇଲା ତାହାର ମୁକାବିଲା ପାଇଁ ଓୟୁଏଟି ପକ୍ଷରୁ ପ୍ରସ୍ତୁତ କରାଯାଇଛି। ଗତକାଲି କୃଷି ବିଭାଗ ପକ୍ଷରୁ ଏକ ଉଚ୍ଚସ୍ତରୀୟ ବୈଠକରେ ପ୍ରାରମ୍ଭିକ ଯୋଜନା ପ୍ରସ୍ତୁତ କରାଯାଇଛି। ଓୟୁଏଟି ଡିନ୍‌ ଲଳିତ ମୋହନ ଗଡ଼ନାୟକ କହିଛନ୍ତି, ପଙ୍ଗପାଳ ଦଳ ଯୁଆଡ଼େ ଯାଉଛନ୍ତି, ସେଠାରେ ବ୍ୟାପକ ଅଂଚଳ‌େର ଗଛପତ୍ର ଓ ଫସଲ ଖାଇ ଯାଉଛନ୍ତି। ପଙ୍ଗପାଳ ପ୍ରସଙ୍ଗରେ ଓଡ଼ିଶାର ଚାଷୀଙ୍କୁ ସଚେତନ କରିବା ପାଇଁ ଟିଭି, ଖବରକାଗଜ ଓ ସାମାଜିକ ଗଣମାଧ୍ୟମର ସହାୟତା ନିଆଯିବ। ପଙ୍ଗପାଳ ବ୍ୟାପକ ଫସଲ ନଷ୍ଟ କରୁଥିବାରୁ ଚାଷୀଙ୍କୁ ସତର୍କ ରହିବାକୁ ପଡ଼ିବ। ତେବେ ଝିଣ୍ଟିକା ପରି ଦେଖାଯାଉଥିବା ସବୁ କୀଟ ପଙ୍ଗପାଳ ନୁହନ୍ତି। କୀଟତତ୍ତ୍ବବିତ୍‌ମାନଙ୍କ ସହାୟତାରେ ପ୍ରତିଦିନ କ୍ଷେତ୍ର ସ୍ତରରେ ସ୍ଥିତି ଅନୁଧ୍ୟାନ କରିବାକୁ ପ‌ଦକ୍ଷେପ ନିଆଯାଉଛି। ଜିଲ୍ଲା ଓ ରାଜ୍ୟ ସ୍ତରରେ କଂଟ୍ରୋଲ ରୁମ ଖୋଲାଯାଇଛି। ବ୍ଲକ୍ ସ୍ତରରୁ ପ୍ରତିଦିନ ରିପୋର୍ଟ ସଂଗ୍ରହ କରାଯିବାର ବ୍ୟବସ୍ଥା ହୋଇଛି ।

ଯଦି ରାଜ୍ୟକୁ ପଙ୍ଗପାଳ ଦଳ ଆସନ୍ତି, ତେବେ ଏହାର ମୁକାବିଲା ପାଇଁ ରଣନୀତି ପ୍ରସ୍ତୁତ କରାଯାଇଛି । ଓୟୁଏଟି, କଟକ ବିଦ୍ୟାଧରପୁରସ୍ଥିତ ଧାନ ଗବେଷଣା କେନ୍ଦ୍ର, କୃଷି ବିଭାଗର ବୈଜ୍ଞାନିକଙ୍କୁ ନେଇ ଏକ ଟିମ୍ ଗଠନ କରାଯିବ। ଯଥେଷ୍ଟ ପରିମାଣର ନିମ୍ବ ତେଲ ଏବଂ ମାଲାଥିଅନ୍, କ୍ଲୋରପାଇରିଫସ୍, ଡେଲ୍ଟାମେଥ୍ରାନି ଭଳି ଔଷଧ ସହ ତାହାକୁ ସ୍ପ୍ରେ କରିବାକୁ ଯନ୍ତ୍ରପା‌ତି ମହଜୁଦ୍ ରଖିବାକୁ ସରକାରଙ୍କୁ କୁହାଯାଇଛି ବୋଲି ଶ୍ରୀ ଗଡ଼ନାୟକ ସୂଚନା ଦେଇଛନ୍ତି।

ସୂଚନାଯୋଗ୍ୟ ଯେ ୧୯୬୨ ମସିହାରେ ଭାରତରେ ପଙ୍ଗପାଳ ଆକ୍ରମଣ ବଡ଼ ଆକାରରେ ହୋଇଥିଲା। ପୁଣି ୧୯୯୩ରେ ଏହି ଆକ୍ରମଣ କିଛିଟା ଦେଖା ଦେଇଥିଲା। କେବଳ ନିମ୍ବ ମଞ୍ଜି ଉଦ୍ଧୃତାଂଶ ପ୍ରୟୋଗ କରି ଏଥିରୁ ଆମ ଦେଶ ରକ୍ଷା ପାଇପାରିଥିଲା। ନିର୍ଦ୍ଦିଷ୍ଟ ଭାବେ ଓଡ଼ିଶାରେ କେବେ ପଙ୍ଗପାଳ ଆକ୍ରମଣ ହୋଇଥିବାର ତଥ୍ୟ ନ ଥିଲେ ମଧ୍ୟ ପ୍ରାୟ ୬୦ ବର୍ଷ ତଳେ ହୋଇଥିବାର ଅନୁମାନ କରାଯାଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe