‘ସ୍ବାଧୀନତା ସଂଗ୍ରାମୀ, ସହିଦ ସ୍ମାରକୀ ବୃକ୍ଷରୋପଣ ମହୋତ୍ସବ’ ଲୋଗୋ ଉନ୍ମୋଚିତ

Advertisment

ଫଳ ଆଶାରେ କରାଯାଉଥିବା କର୍ମରେ ସଫଳତା ମିଳେ ନାହିଁ: ସୌମ୍ୟ

ଫଳ ଆଶାରେ କରାଯାଉଥିବା କର୍ମରେ ସଫଳତା ମିଳେ ନାହିଁ: ସୌମ୍ୟ

‘ସ୍ବାଧୀନତା ସଂଗ୍ରାମୀ, ସହିଦ ସ୍ମାରକୀ ବୃକ୍ଷରୋପଣ ମହୋତ୍ସବ’ ଲୋଗୋ ଉନ୍ମୋଚିତ

ପ୍ରକୃତି ଋଣ ଶୁଝିବାର ସମୟ ଆସିଛି: ଭଗବାନ ପ୍ରକାଶ

ଭୁବନେଶ୍ବର : ଫଳର ଆଶା ରଖି କୌଣସି କର୍ମ କଲେ ସେଥିରୁ ବିଶେଷ ସଫଳତା ପ୍ରାପ୍ତ ହୁଏ ନାହିଁ। କିନ୍ତୁ ଏକ ନିର୍ଦ୍ଦିଷ୍ଟ ଲକ୍ଷ୍ୟ ରଖି କର୍ମ କରିଚାଲିଲେ ନିଶ୍ଚିତ ଭାବେ ମଣିଷ ସଫଳ ହୁଏ। ସେହିଭଳି ଭାବେ କେବଳ ପ୍ରଚାରପ୍ରସାର ଉଦ୍ଦେଶ୍ୟରେ ନୁହେଁ, ନିଜ ମୂଳ ଉଦ୍ଦେଶ୍ୟକୁ ନେଇ ଲୋକମାନଙ୍କ ପାଖରେ ପହଞ୍ଚାଇ ପାରିଲେ କାର୍ଯ୍ୟକ୍ରମଟିଏ ସଫଳ ହୋଇପାରିଥାଏ। ଆଜି ସମ୍ବାଦ ଭବନ ପରିସର‌ରେ ପ୍ରେରଣା ଇଣ୍ଟରନ୍ୟାସ୍‌ନାଲ ଗ୍ରିନ୍‌ ଆର୍ମିର ଭାରତ ସ୍ବାଧୀନତାର ୭୫ତମ ବର୍ଷ ପୂର୍ତି ଉତ୍ସବ ଅବସରରେ ଆୟୋଜିତ ‘ସ୍ବାଧୀନତା ସଂଗ୍ରାମୀ, ସହିଦ ସ୍ମାରକୀ ବୃକ୍ଷରୋପଣ ମହୋତ୍ସବ’ର ଲୋଗୋ ଉନ୍ମୋଚନ କରି ଏହା କହିଛନ୍ତି ‘ସମ୍ବାଦ’ର ସମ୍ପାଦକ ସୌମ୍ୟରଞ୍ଜନ ପଟ୍ଟନାୟକ।

ପ୍ରେରଣା ଇଣ୍ଟରନ୍ୟାସ୍‌ନାଲ ଗ୍ରିନ୍‌ ଆର୍ମିର କମାଣ୍ଡର-ଇନ୍‌-ଚିଫ୍‌ ଦିଲ୍ଲୀପ ଶ୍ରୀଚନ୍ଦନଙ୍କ ସଭାପତିତ୍ବରେ ଆୟୋଜିତ ଏହି ସଭାରେ ପରିବେଶର ଚିନ୍ତାଜନକ ସ୍ଥିତି ଓ ଜଙ୍ଗଲ ଅବକ୍ଷୟ ଉପରେ ଆଲୋକପାତ କରି ଶ୍ରୀ ପଟ୍ଟନାୟକ କହିଥିଲେ, ଆମେ ସମସ୍ତେ ପ୍ରତ୍ୟକ୍ଷ ହେଉ କି ପରୋକ୍ଷ ଭାବେ ଜଙ୍ଗଲ କଟାର କାରଣ ସାଜିଛୁ। ଓଡ଼ିଶାରେ ଏକଦା ବିଶାଳ ବିଶାଳ ଜଙ୍ଗଲ ଥିବା ବେଳେ ଏବେ ‌ତାହା ଲୁପ୍ତପ୍ରାୟ। ଆମ ମହାପ୍ରଭୁ ଜଗନ୍ନାଥ ବି ଜଙ୍ଗଲର ଦେବତା। ଯେଉଁ ଜଙ୍ଗଲ ସମ୍ବଳକୁ ଆମେ ଅସରନ୍ତି ସମ୍ପତ୍ତି ଭାବି କାଟି ଚାଲିଥିଲେ ଆଜି ସେ ସମ୍ପଦର ଅଭାବ ଚିନ୍ତାର କାରଣ ସାଜିଛି। ଏଣୁ ଏବେ ପ୍ରତ୍ୟେକେ ମାନସମନ୍ଥନ କରିବା ଉଚିତ। ଆମ ଯୋଗୁଁ କେତେ ଗଛ ବଳି ପଡ଼ିଛନ୍ତି ତାହା ଚିନ୍ତା କରି ଏବେଠାରୁ ବୃକ୍ଷରୋପଣ କଲେ ଯାଇ ଭବିଷ୍ୟତ ପିଢ଼ି ପାଇଁ ଆମେ ଏକ ସୁନ୍ଦର ପୃଥିବୀ ଛାଡ଼ି ଯାଇପାରିବା ବୋଲି ସେ କହିଥିଲେ।

ସମ୍ମାନିତ ଅତିଥି ଭାବେ ବିଶିଷ୍ଟ ସ୍ତମ୍ଭକାର ଭଗବାନ ପ୍ରକାଶ ଯୋଗ ଦେଇ କହିଲେ, ଆମ ଜୀବନର ୪ଟି ଋଣ ଯଥା ମାତୃଋଣ, ପିତୃଋଣ, ଦେବଋଣ ଓ ଗୁରୁଋଣ ଭଳି ‘ପ୍ରକୃତି ଋଣ’ ବି ଶୁଝିବାର ସମୟ ଆସିଛି। ପ୍ରକୃତିର ଆମେ ଯେତେ କ୍ଷୟକ୍ଷତି କରୁଛୁ, ତାକୁ ‌ଭରଣା କରିବା ଦିଗରେ ଏବେ ଚିନ୍ତା କରିବା ସମୟ ଆସିଛି। ଜଣେ ଛୋଟ ଗାଡ଼ି ଚଢ଼ାଳି ୫୦ଟି କରି ଏବଂ ବଡ଼ ଗାଡ଼ି ଚଢ଼ାଳି ୧୦୦ଟି ଲେଖାଏଁ ଗଛ ଲଗାଇ ତାହାର ଦାୟିତ୍ବ ନେଲେ ପ୍ରକୃତି ମା’ର ଏଭଳି ବିକଟାଳ ରୂପ ଆଉ ଦେଖିବାକୁ ମିଳିବ ନାହିଁ ବୋଲି ସେ କହିଥିଲେ।

କାର୍ଯ୍ୟକ୍ରମରେ ‘ସମ୍ବାଦ’ର ବାର୍ତା ବିଭାଗ ମୁଖ୍ୟ ମହାପ୍ରବନ୍ଧକ ଅରବିନ୍ଦ ଦାସ ଯୋଗ ଦେଇ କହିଥିଲେ, ନିୟମ କହୁଛି, ଅଣଜଙ୍ଗଲ ଜମିରୁ ଗୋଟିଏ ଗଛ କାଟିଲେ କ୍ଷତିପୂରଣସ୍ବରୂପ ୨ଟି ଗଛ ଲଗାଇବାକୁ ହୁଏ ଓ ଜଙ୍ଗଲ ଜମିରୁ ଗଛଟିଏ କାଟିଲେ ୧୦ଟି ଗଛ ଲଗାଇବାକୁ ହୁଏ। କିନ୍ତୁ ଏହାକୁ ନେଇ କେହି ସଚେତନ ନୁହନ୍ତି, ଏପରିକି ରାଜ୍ୟ ସରକାର ବି ଏହାକୁ ମାନିବାକୁ ପ୍ରସ୍ତୁତ ନୁହନ୍ତି।

ଏହି ଅବସରରେ ସୁଧାଂଶୁ ଶେଖର ମହାପାତ୍ରଙ୍କର ନାଟ୍ୟ ପୁସ୍ତକ ‘ନୂଆ ସକାଳର ସୂର୍ଯ୍ୟ’ ଲୋକାର୍ପିତ ହୋଇଥିଲା। କାର୍ଯ୍ୟକ୍ରମରେ ବିଶିଷ୍ଟ କଥାକାର ଗୌରହରି ଦାସ, ପ୍ରକାଶ ହରିଚନ୍ଦନ, ଦାଶରଥୀ ଶ୍ରୀଚନ୍ଦନ, ନିରୋଜ ଖୁଣ୍ଟିଆ, ରମାକାନ୍ତ ମହାପାତ୍ର ଓ ଅଜୟ ଗୁମାନସିଂହ ପ୍ରମୁଖ ଉପସ୍ଥିତ ଥିଲେ। ଏହି ଅବସରରେ ପରିବେଶ ସୁରକ୍ଷା ଓ ବୃକ୍ଷରୋପଣ କ୍ଷେତ୍ରରେ ଉଲ୍ଲେଖନୀୟ କୃତି ପାଇଁ ସୁଧାଂଶୁ ମହାନ୍ତିଙ୍କୁ ‘ଶ୍ରେଷ୍ଠ ବୃକ୍ଷପ୍ରେମୀ’ ଭାବେ ସମ୍ମାନିତ କରାଯାଇଥିଲା। ସେହିଭଳି ଡାକ୍ତର ଶୁଭେନ୍ଦୁ ନାରାୟଣ ମିଶ୍ରଙ୍କୁ ‘ଶ୍ରେଷ୍ଠ ଚିକିତ୍ସକ’ ଭାବେ ସମ୍ମାନିତ କରାଯାଇଥିଲା। ବିଶ୍ବମୋହନ ପଟ୍ଟନାୟକ ଧନ୍ୟବାଦ ଜଣାଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe