ଉଦ୍‌ଘାଟିତ ହେଲା ଲୋକମେଳା-କୃଷିମେଳା, ଭାଇଚାରା ସ୍ଥାପନରେ ଲୋକମେଳାର ପ୍ରମୁଖ ଭୂମିକା ରହିଛି: କେନ୍ଦ୍ରମନ୍ତ୍ରୀ

Advertisment
ଉଦ୍‌ଘାଟିତ ହେଲା ଲୋକମେଳା-କୃଷିମେଳା, ଭାଇଚାରା ସ୍ଥାପନରେ ଲୋକମେଳାର ପ୍ରମୁଖ ଭୂମିକା ରହିଛି: କେନ୍ଦ୍ରମନ୍ତ୍ରୀ

ଉତ୍କଳ ମାଟି ଭାରତର ଗୁରୁ ହୋଇ ମାର୍ଗଦର୍ଶନ କରିବ: ସୌମ୍ୟ
ଜନଜାତିଙ୍କ ଉନ୍ନତିକୁ ବାଦ୍‌ଦେଇ ବିକାଶ କଥା ଚିନ୍ତା କରାଯାଇପାରିବ ନାହିଁ: ରଣେନ୍ଦ୍ରପ୍ରତାପ

ପୁରୀ : ଲୋକମେଳା କେବଳ କଳା ପ୍ରଦର୍ଶନ କରି ଲୋକଙ୍କ ମନୋରଞ୍ଜନ କରେନାହିଁ, ବରଂ ଭାଇଚାରା ସ୍ଥାପନ କରିବାରେ ଲୋକମେଳାର ପ୍ରମୁଖ ଭୂମିକା ରହିଛି। ‘ଶ୍ରୀ ଶ୍ରୀକ୍ଷେତ୍ର ସୂଚନା’ ପକ୍ଷରୁ ଆୟୋଜିତ ବିଂଶତମ ଲୋକମେଳା ଓ ତ୍ରୟୋଦଶ ଜାତୀୟ କୃଷିମେଳା ଉଦ୍‌ଘାଟନ ଉତ୍ସବରେ ଯୋଗଦେଇ କେନ୍ଦ୍ର ଜନଜାତି ମନ୍ତ୍ରାଳୟ ଓ ଜଳଶକ୍ତି ରାଷ୍ଟ୍ରମନ୍ତ୍ରୀ ବିଶ୍ବେଶ୍ବର ଟୁଡୁ ଏହା କହିଛନ୍ତି। ଶ୍ରୀ ଟୁଡ଼ୁ ଲୋକମେଳାକୁ ଉଦ୍‌ଘାଟନ କରିଥିଲେ।

କାର୍ଯ୍ୟକ୍ରମରେ ଅତିଥିଭାବେ ‌ଯୋଗଦେଇ ବିଧାୟକ ତଥା ‘ସମ୍ବାଦ’ର ସମ୍ପାଦକ ସୌମ୍ୟରଂଜନ ପଟ୍ଟନାୟକ କହିଥିଲେ ଯେ ଉତ୍କଳ କେବଳ କଳାର ମାଟି ନୁହେଁ, ଭାରତକୁ ଗୁରୁ ଭାବେ ମାର୍ଗଦର୍ଶନ କରିବାର ସାମର୍ଥ୍ୟ ରଖିଛି ଏହି ମାଟି। ଭାରତ ବିଶ୍ବର ଗୁରୁ ହେବାକୁ ଯାଉଥିବା ବ‌େଳେ, ଶ୍ରୀଜଗନ୍ନାଥଙ୍କ ମାଟି ହିଁ ଭାରତର ଗୁରୁ ହେବାପାଇଁ ଅନନ୍ୟ ବିକଳ୍ପ। ଭକ୍ତ ସାଲବେଗ, ଦାସିଆ ବାଉରୀ, ଉଦାର ଧର୍ମୀୟ ଭାବନାର ପ୍ରତୀକ କଟକର କଦ୍ଦମ ରସୁଲ ହିଁ ଏହାର ଜ୍ବଳନ୍ତ ଉଦାହରଣ। ଆହୁରି ମଧ୍ୟ କହିଥିଲେ, ମେଳା ସର୍ବଶ୍ରେଷ୍ଠ ଗଣତାନ୍ତ୍ରିକ ଅନୁଷ୍ଠାନ। ପରସ୍ପର ମଧ୍ୟରେ ଭାବର ଆଦାନ ପ୍ରଦାନ ପାଇଁ ଏହା ପ୍ରକୃଷ୍ଠ ସ୍ଥାନ। ଭାରତ ବିଚାରର ଏହା ଏକ ନମୁନା।

କୃଷି ଓ କୃଷକ ସଶକ୍ତୀକରଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ କୃଷିମେଳାକୁ ଉଦ୍‌ଘାଟନ କରିଥିଲେ। ଏହି ଅବସରରେ ସେ କହିଥିଲେ, କୃଷିମେଳା ଓ ଲୋକମେଳାର ଏକାଠି ଆୟୋଜନ ଏକ ସାର୍ଥକ ସମନ୍ବୟ। ଜନଜାତିଙ୍କ ଉନ୍ନତିକୁ ବାଦ୍‌ଦେଇ ରାଜ୍ୟର ବିକାଶ କଥା ଚିନ୍ତା କରାଯାଇପାରିବ ନାହିଁ। ଐକ୍ୟ, ମ‌ୈତ୍ରୀ ଓ ଭ୍ରାତୃଭାବ ସୃଷ୍ଟି କରିବାରେ ଏହିଭଳି ମେଳାର ମହତ୍ତ୍ବପୂର୍ଣ୍ଣ ଭୂମିକା ରହିଛି। ସେହିପରି ଖାଦ୍ୟ ସୁରକ୍ଷାରେ କୃଷକର ଗୁରୁ୍ତ୍ବପୂର୍ଣ୍ଣ ଭାଗୀଦାର ରହିଛି ବୋଲି ସେ କହିଥିଲେ।

ଅନୁଷ୍ଠାନର ଅଧ୍ୟକ୍ଷ ପ୍ରଫେସର ହରେକୃଷ୍ଣ ଶତପଥୀଙ୍କ ଅଧ୍ୟକ୍ଷତାରେ ଆୟୋଜିତ କାର୍ଯ୍ୟକ୍ରମରେ ବିଧାୟକ ଜୟନ୍ତ ଷଡ଼ଙ୍ଗୀ, ସ୍ବାଧୀନ ନାୟକ, ଗୌରହରି ପ୍ରଧାନ, ଶୁଭାଶିଷ ଖୁଣ୍ଟିଆ, ଉତ୍ସବ କମିଟି ଅଧ୍ୟକ୍ଷ ବଦ୍ରି ମିଶ୍ର, କାର୍ଯ୍ୟକାରୀ ଅଧ୍ୟକ୍ଷ ଚକ୍ରଧର ମହାପାତ୍ର, ସାଧାରଣ ସମ୍ପାଦକ ରାଜେଶ କୁମାର ମହାନ୍ତି, ସଂଯୋଜକ ହେକ୍ଟର ମିଶ୍ର, ଉପାଧ୍ୟକ୍ଷ ବିଶ୍ବନାଥ ମଶ୍ର ପ୍ରମୁଖ ମଞ୍ଚାସୀନ ଥିଲେ। ଜିଲ୍ଲାପାଳ ସମର୍ଥ ବର୍ମାଙ୍କ ସମେତ ଉପସ୍ଥିତ ଅତିଥି ଏବଂ ଗଣମାଧ୍ୟମର ପ୍ରତିନିଧିମାନଙ୍କୁ ସମ୍ବର୍ଧିତ କରାଯାଇଥିଲା।
ଉଲ୍ଲେଖ‌ଯୋଗ୍ୟ ଯେ ଆସନ୍ତା ୨୪ ତାରିଖ ପର୍ଯ୍ୟନ୍ତ ଏହି ମେଳା ଚାଲି। ସନ୍ଧ୍ୟା ସମୟରେ ଲୋକକଳା‌ରେ ବିଭୋର ହେବାପାଇଁ ଅବକାଶ ମିଳିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe