ଲୋକାୟୁକ୍ତରେ ନଗଡ଼ା ଦୁର୍ନୀତିର ଶୁଣାଣି: ମାସେ ମହଲତ ନେଲା ପ୍ରଶାସନ

Advertisment
ଲୋକାୟୁକ୍ତରେ ନଗଡ଼ା ଦୁର୍ନୀତିର ଶୁଣାଣି: ମାସେ ମହଲତ ନେଲା ପ୍ରଶାସନ

qz.com

କାଳିଆପାଣି/ଭୁବନେଶ୍ବର : ଯାଜପୁର ଜିଲ୍ଲା ନଗଡ଼ାର ବିକାଶ ପାଇଁ ଦିଆଯାଇଥିବା ଅର୍ଥ ତୋଷରପାତ ଘଟଣାରେ ନୋଟିସ୍ ଜାରି ହୋଇଥିବା ଅଧିକାରୀ ଲୋକାୟୁକ୍ତଙ୍କ ନିକଟରେ ରିପୋର୍ଟ ଦାଖଲ କରିବାରେ ବିଫଳ ହୋଇଛନ୍ତି। ଯାଜପୁର ପ୍ରଶାସନ ଏଥିପାଇଁ ମାସେ ମହଲତ ମାଗିଥିବାବେଳେ ଏହାର ଶୁଣାଣି ପାଇଁ ଆସନ୍ତା ଜାନୁଆରି ୧୩ ତାରିଖକୁ ଦିନଧାର୍ଯ୍ୟ କରାଯାଇଛି।

ନଗଡ଼ା ଉନ୍ନୟନ ନାମରେ ନାହିଁ ନଥିବା ଦୁର୍ନୀତି ହୋଇଥିବା ଅଭିଯୋଗ ଆଧାରରେ ଆଜି ଲୋକାୟୁକ୍ତଙ୍କ କୋର୍ଟରେ ଶୁଣାଣି ଥିଲା। ଲୋକାୟୁକ୍ତ ଅଧ୍ୟକ୍ଷ ଜଷ୍ଟିସ୍ ଅଜିତ୍ ସିଂ ଓ ସଦସ୍ୟ ଡଃ. ରାଜେନ୍ଦ୍ର କୁମାର ଶର୍ମାଙ୍କୁ ନେଇ ଦୁଇ ଜଣିଆ ଖଣ୍ଡପୀଠ ଏବଂ ଅଭିଯୋଗକାରୀ ରାଇଟ୍‌ ଟୁ ଫୁଡ୍ କ୍ୟାମ୍ପେନ୍‌ ରାଜ୍ୟ ଆବାହକ ତଥା ସୂଚନା ଅଧିକାର କର୍ମୀ ପ୍ରଦୀପ କୁମାର ପ୍ରଧାନ ଉପସ୍ଥିତ ଥିଲେ ମଧ୍ୟ ଜିଲ୍ଲା ପ୍ରଶାସନ ପକ୍ଷରୁ କେହି ଉପସ୍ଥିତ ନଥିଲେ। ଲୋକାୟୁକ୍ତଙ୍କ କୋର୍ଟରେ ହେବାକୁ ଥିବା ବିଚାର ପ୍ରକ୍ରିୟା ପାଇଁ ସମସ୍ତ ନଥିପତ୍ର ଓ ଫାଇଲ୍‌ ପ୍ରସ୍ତୁତ କରିବାକୁ ଅଧିକ ସମୟ ଲାଗିବ ବୋଲି ଜିଲ୍ଲା ପ୍ରଶାସନ ଲୋକାୟୁକ୍ତଙ୍କ ଦୃଷ୍ଟି ଆକର୍ଷଣ କରି ଏଥିଲାଗି ଆଉ ମା‌ସେ ମହଲତ ଦେବା ପାଇଁ ଅନୁରୋଧ କରିଥିଲେ। ଏଥିସହ ବିଭିନ୍ନ ପ୍ରସଙ୍ଗରେ ଜବାବ ରଖିବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ବିଭିନ୍ନ ପ୍ରଶାସକ, ଯନ୍ତ୍ରୀ ଓ ଅଧିକାରୀଙ୍କୁ ନେଇ ତିନିଟି କମିଟି ଗଠନ କରାଯାଇଥିବା ନେଇ ଜିଲ୍ଲା ପ୍ରଶାସନ ପ୍ରାଥମିକ ସୂଚନା ଦେଇଥିଲେ। ଲୋକାୟୁକ୍ତ ଏହା ଉପରେ ତର୍ଜମା କରି ଆଗାମୀ ଜାନୁଆରି ମାସ ୧୩ ତାରିଖରେ ଏହାର ପରବର୍ତ୍ତୀ ଶୁଣାଣି ଧାର୍ଯ୍ୟ କରିଛନ୍ତି। ଏହାସହ ସେହି ଅଞ୍ଚଳରେ ବିକାଶମୂଳକ କାର୍ଯ୍ୟର ତଦାରଖ ପାଇଁ ୩ଟି କମିଟି ଗଠନ କରାଯାଇଥିବା ଆବେଦନକାରୀ ତଥା ସୂଚନାଧିକାର କର୍ମୀ ପ୍ରଦୀପ ପ୍ରଧାନ କହିଛନ୍ତି।

ପ୍ରକାଶଥାଉକି, ସୂଚନା ଅଧିକାର ଆଇନ ଆଧାରରେ ନଗଡ଼ା ଦୁର୍ନୀତି ଧରା ପଡ଼ିଥିଲା। ବିଲୁପ୍ତ ଜୁଆଙ୍ଗ ଜନଜାତିଙ୍କୁ ସମାଜର ମୁଖ୍ୟ ସ୍ରୋତରେ ସାମିଲ କରାଇବା ଓ ସେମାନଙ୍କ ମୌଳିକ ସମସ୍ୟା ସମାଧାନ ଯୋଜନାରେ ହୋଇଥିବା ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ ନାଁରେ ଦୁର୍ନୀତି, ବ୍ୟାପକ ଅନିୟମିତତା ଓ ଅର୍ଥ ଅପବ୍ୟୟ ନଜରକୁ ଆସିଥିଲା। ବିଶେଷକରି ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା, ସୁକିନ୍ଦା ବ୍ଲକ, ଯାଜପୁରଟାଉନସ୍ଥିତ ଗ୍ରାମ୍ୟ ଉନ୍ନୟନ ବିଭାଜନ-୧, ନେସୁ ଅଧୀନ ଯାଜପୁରରୋଡ଼ ଧବଳଗିରି ବିଭାଜନ, ଚଣ୍ଡିଖୋଲସ୍ଥିତ ଗ୍ରାମ୍ୟ ଜଳ ଯୋଗାଣ ଓ ପରିମଳ ବିଭାଜନ ଓ ଜିଲ୍ଲା ସମାଜ ମଙ୍ଗଳ କାର୍ଯ୍ୟାଳୟ ବିରୋଧରେ ଲୋକାୟୁକ୍ତଙ୍କ ନିକଟରେ ଗତ ଅକ୍ଟୋବର ମାସ ୧୪ ତାରିଖ ବିଧିବଦ୍ଧ ଅଭିଯୋଗ ହୋଇଥିଲା। ଲୋକାୟୁକ୍ତଙ୍କ ନିକଟରେ ଆବେଦନକାରୀ ନ୍ୟାୟିକ ତଦନ୍ତ ଦାବି କରିଥିଲେ। ବିଭିନ୍ନ ତଥ୍ୟାବଳୀକୁ ଅନୁଧ୍ୟାନ କରିବା ପରେ ଲୋକାୟୁକ୍ତ ସେହି ମାସ ୨୫ ତାରିଖ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦେଶକ(ପିଡି), ସୁକିନ୍ଦା ବିଡିଓ, ଯାଜପୁରଟାଉନସ୍ଥିତ ଗ୍ରାମ୍ୟ ଉନ୍ନୟନ ବିଭାଜନ-୧ର ନିର୍ବାହୀ ଯନ୍ତ୍ରୀ, ଧବଳଗିରିସ୍ଥିତ ନେସୁ ନିର୍ବାହୀ ଯନ୍ତ୍ରୀ, ଚଣ୍ଡିଖୋଲସ୍ଥିତ ଆର୍‌ଡବ୍ଲ୍ୟୁଏସ୍‌ଏସ୍‌ ଡିଭିଜନ ନିର୍ବାହୀ ଯନ୍ତ୍ରୀ ଓ ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀଙ୍କୁ ସମନ ଜାରି କରିଥିଲେ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe