ସରକାରୀ ଚାଉଳ ପାଇଁ ଲମ୍ବା ଯାତ୍ରା: ଡେଇଁବାକୁ ପଡ଼ୁଛି ୨ ପାହାଡ଼, ୪ ଅନ୍ୟ ପଞ୍ଚାୟତ

Advertisment

ଟ୍ରାକ୍ଟର ଭଡ଼ା ପାଇଁ ୪୫୦୦ ଟଙ୍କା, ଜଣକ ପିଛା ୧୩୫

ଟ୍ରାକ୍ଟର ଭଡ଼ା ପାଇଁ ୪୫୦୦ ଟଙ୍କା, ଜଣକ ପିଛା ୧୩୫

ସରକାରୀ ଚାଉଳ ପାଇଁ ଲମ୍ବା ଯାତ୍ରା: ଡେଇଁବାକୁ ପଡ଼ୁଛି ୨ ପାହାଡ଼, ୪ ଅନ୍ୟ ପଞ୍ଚାୟତ

ଦେବଗଡ଼,(ଶକ୍ତି ସୌରଭ ନନ୍ଦ): ସରକାର ସିନା ମାଗଣା ଚାଉଳ ଦେଉଛନ୍ତି, ଏହାକୁ ଆଣିବା ପାଇଁ ଏକ ଲମ୍ବା ଯାତ୍ରାରେ ଯିବାକୁ ପଡ଼ୁଛି ସେମାନଙ୍କୁ। ୨ଟି ପାହାଡ଼ ସହ ୪ଟି ପଞ୍ଚାୟତ ଅତିକ୍ରମ କରିବାକୁ ପଡ଼ୁଛି। ଏତେ ବାଟ ଅତିକ୍ରମ କଲାପରେ ଯେଉଁ ସ୍ଥାନରେ ଚାଉଳ ବଣ୍ଟନ ହେଉଛି ତାହା ପୁଣି ନିଜ ପଞ୍ଚାୟତରେ ଯାଉଛି। ଏଥିପାଇଁ ଗୋଟିଏ ଦିନର ମୂଲମଜୁରୀ ବନ୍ଦ କରିବାକୁ ପଡ଼ୁଛି, ତା’ ସାଙ୍ଗକୁ ଆର୍ଥିକ ବୋଝ ବି ମୁଣ୍ଡେଇବାକୁ ପଡ଼ୁଛି। ଚାଉଳ ପାଇଁ ଯାଉଥିବା ଟ୍ରାକ୍ଟର ନେଉଛି ୪୫୦୦ ଟଙ୍କା। ଜଣକ ପିଛା ଖର୍ଚ୍ଚ ହେଉଛି ୧୩୫ ଟଙ୍କା। ଏହା ହେଉଛି, ଦେବଗଡ଼ ଜିଲ୍ଲା ବାରକୋଟ ବ୍ଲକ ଅନ୍ତର୍ଗତ ସରୁଆଳୀ ପଞ୍ଚାୟତ ପାଉଡି ଭୂୟାଁ ଅଂଚଳର ବାଲିଡିହିର ବାସିନ୍ଦାଙ୍କ ଏହି ଦୁଃଖଦ କାହାଣୀ। ସେମାନଙ୍କ ଭାଗ୍ୟରେ ବର୍ଷବର୍ଷ ଧରି ଏହି କାହାଣୀ ଲେଖାହୋଇଛି ଯେମିତି!

ବାଲିଡିହିରେ ପ୍ରାୟ ୩୫ ପରିବାର ବସବାସ କରୁଛନ୍ତି। ପାହାଡ଼ିଆ ଅଙ୍କାବଙ୍କା ରାସ୍ତାରେ ଗଲାପରେ ପଡ଼େ ଜନବସତି। ୨ଟି ପାହାଡ଼ ପରେ ଏହି ଗ୍ରାମ। ସମସ୍ତେ ଅାଦିମ ଜନଜାତି ପାଉଡ଼ି ଭୂୟାଁ ସଂପ୍ରଦାୟର। ପ୍ରକୃତି କୋଳର ମଣିଷ ସେମାନେ। ଜଙ୍ଗଲ ଓ ଜଙ୍ଗଲଜାତ ଦ୍ରବ୍ୟ ଉପରେ ନିର୍ଭର କରି ସେମାନଙ୍କ ପରିବାର ଚଳେ। ହେଲେ, ଉକ୍ତ ଜନଜାତିର ବିକାଶ ନିମନ୍ତେ ବିଭିନ୍ନ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି। ତଥାପି ଉକ୍ତ ଅଂଚଳକୁ ଯାତାୟାତ ପାଇଁ ଭଲ ରାସ୍ତା ନାହିଁ। ରାସ୍ତା ନଥିବାରୁ ଲୋକମାନେ ନାହିଁ ନଥିବା‌ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ପାହାଡ଼ିଆ ରାସ୍ତା ଅତିକ୍ରମ କରି ଯିବାବେଳେ ବନ୍ୟଜନ୍ତୁଙ୍କ ଭୟ ରହୁଛି। ତେବେ ଉକ୍ତ ଗ୍ରାମକୁ ଯିବା ପାଇଁ ଉପଯୁକ୍ତ ରାସ୍ତା ନଥିବା ଏବଂ ଗତ କିଛିଦିନ ତଳେ ରାସ୍ତା ନିର୍ମାଣ ହୋଇଥିଲେ ମଧ୍ୟ ନାମକୁ ମାତ୍ର ରାସ୍ତା ତିଆରି ଯୋଗୁଁ ଏହି ରାସ୍ତାରେ ଏବେ ବାଇକ୍‌ ଓ ଟ୍ରାକ୍ଟର ବ୍ୟତୀତ ଅନ୍ୟକିଛି ଗାଡ଼ି ଚାଲିବା ଅସମ୍ଭବ ହୋଇପଡ଼ିଛି।

ଫଳରେ, ନିଜ ପଞ୍ଚାୟତକୁ ଚାଉଳ ଆଣିବା ପାଇଁ ଏହି ଗ୍ରାମର ଲୋକମାନଙ୍କୁ ୪ଟି ପଞ୍ଚାୟତ ଅତିକ୍ରମ କରିବାକୁ ପଡ଼ୁଛି।

publive-image Mint

ସବୁଠୁ ଗୁରୁତ୍ବପୂର୍ଣ୍ଣ ବିଷୟ ହେଉଛି, ଏହି ସରକାରୀ ଚାଉଳ ପାଇଁ ବି ଅଧିକ ଖର୍ଚ୍ଚାନ୍ତ ହେବାକୁ ପଡ଼ୁଛି। ଅନ୍ତ୍ୟୋଦୟ ଅନ୍ନ ଯୋଜନାରେ ପ୍ରତି ପରିବାରକୁ ମାସକୁ ୩୫ କେଜି ଲେଖାଏଁ ଚାଉଳ ଯୋଗା‌ଇ ଦିଆଯାଉଛି। ମାତ୍ର, ମାଗଣା ଚାଉଳ ଆଣିବାକୁ ଟ୍ରାକ୍ଟର ଭଡ଼ା ବାବଦକୁ ଗଣୁଛନ୍ତି ସାଢ଼େ ଚାରି ହଜାର ଟଙ୍କା। ଯାହାକି ତାଙ୍କ ଉପରେ ବୋଝ ଉପରେ ନଳିତା ବିଡ଼ା ସଦୃଶ ହେଉଛି। ବର୍ଷ ବର୍ଷ ଧରି ଏଭଳି ସ୍ଥିତି ଲାଗି ରହିଛି। ଗାଁ ସମସ୍ୟା ସମାଧାନ ହେବ ଏବଂ ବିଭିନ୍ନ ଲୋକାଭିମୁଖୀ ଯୋଜନା ଲୋକମାନଙ୍କ ପାଖରେ ବୋଲି ସରକାର ଘୋଷଣା କରୁଥିବାରୁ ଏହି ଅଂଚଳବାସୀ ମଧ୍ୟ ଆଶା ବାନ୍ଧିଥିଲେ। କିନ୍ତୁ ଆଜି ବି ଗ୍ରାମକୁ ଭଲ ରାସ୍ତା ନଥିବାରୁ ଗ୍ରାମବାସୀମାନେ ନିଜ ପଞ୍ଚାୟତକୁ ବହୁ କଷ୍ଟରେ ଆସି ଚାଉଳ ନେବାକୁ ବାଧ୍ୟ ହେଉଛନ୍ତି।

ଉପାନ୍ତ ଅଂଚଳରେ ପ୍ରଶାସନ କି ଜନପ୍ରତିନିଧିଙ୍କ ନଜର ପଡୁ ନଥିବାରୁ ଗ୍ରାମବାସୀ ଏଭଳି ପରିସ୍ଥତିରେ ଭାଗ୍ୟକୁ ଆଦରି ବଂଚିବା ପାଇଁ ସଂଘର୍ଷ ଜାରି ରଖିଛନ୍ତି। ଏଥିପ୍ରତି ଜିଲ୍ଲାପ୍ରଶାସନ ସ୍ବତନ୍ତ୍ର ଦୃଷ୍ଟି ଦେବା ପାଇଁ ସାଧାରଣରେ ଦାବି ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe