ଲମ୍ବି ଚାଲିଛି ପିଏଆଇଟିଡିଏ ଦୁର୍ନୀତିର ତାଲିକା: ମରାମତି ନାଁରେ ବାଣ୍ଟିଦେଲେ କାମ

Advertisment
ଆଇଟିଡିଏରେ ଟେଣ୍ଡର ନିୟମ ଉଲ୍ଲଂଘନ! ଫାଇଲ୍ ଖୋଲିନି, ପ୍ରକଳ୍ପ ଫଳକ ଲାଗିଲାଣି

ରାଉରକେଲା : ପାନପୋଷ ସମନ୍ବିତ ଆଦିବାସୀ ଉନ୍ନୟନ ସଂସ୍ଥା (ଆଇଟିଡିଏ)ରେ ଚାଲିଥିବା ପ୍ରାୟ ପ୍ରତ୍ୟେକ କାମରେ ଦୁର୍ନୀତିର ଗନ୍ଧ ଆସୁଛି। ଅଧିକାଂଶ ସ୍ଥଳରେ ଟେଣ୍ଡର ଏଡାଇବାକୁ ବିଭାଗୀୟ ଯନ୍ତ୍ରୀ ଓ ଠିକାଦାରମାନଙ୍କ ମଧ୍ୟରେ ଭିତିରିଆ ବୁଝାମଣା ହେଉଛି। ଜାଣିଶୁଣି କୋଟି କୋଟିର କାମକୁ ବିଭାଗୀୟ କାମ ନାଁରେ ଭାଗ ଭାଗ କରି ଠିକାଦାରଙ୍କୁ ବାଣ୍ଟି ଦିଆଯାଉଛି।

ନିକଟରେ ‘ମୋ ସ୍କୁଲ ଅଭିଯାନ’ରେ ୧୦ଟି ସ୍କୁଲର ଭିତ୍ତିଭୂମିର ବିକାଶ ପାଇଁ ୩ କୋଟି ୭୧ ଲକ୍ଷ ୮୦ ହଜାର ଟଙ୍କା ମଞ୍ଜୁର ହୋଇଛି। ସ୍କୁଲ ପିଛା ୩୦ଲକ୍ଷରୁ ଆରମ୍ଭ କରି ୫୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଖର୍ଚ୍ଚ କରାଯାଉଛି। ଆଶ୍ଚର୍ଯ୍ୟର କଥା, ଗୋଟିଏ ହେଲେ କାମର ଖୋଲା ଇ-ଟେଣ୍ଡର କରାଯାଇ ନାହିଁ। ଡିପାର୍ଟମେଣ୍ଟାଲ କାମ ନାଁରେ ପ୍ରତ୍ୟେକ ସ୍କୁଲକୁ ୪ ଜଣ କରି, ୧୦ଟି ସ୍କୁଲକୁ ପ୍ରାୟ ୪୦ ଠିକାଦାରଙ୍କୁ ବାଣ୍ଟି ଦିଆଯାଇଛି। ଅପରପକ୍ଷେ ନିଜ ଦାୟିତ୍ବରେ ଥିବା ୩ଟି ସ୍କୁଲରେ ସେହି ସମାନ କାମ ପାଇଁ ରାଉରକେଲା ମହାନଗର ନିଗମ (ଆର୍‌ଏମ୍‌ସି) ଖୋଲା ଇ-ଟେଣ୍ଡର କରିବାକୁ ଯାଉଛି।

ଉପରୋକ୍ତ ୩ କୋଟି ୭୧ ଲକ୍ଷ ୮୦ ହଜାର ଟଙ୍କା ଭିତରେ ରହିଛି ଲାଠିକଟା ଓ କୁଆରମୁଣ୍ଡା ବ୍ଳକରେ ସ୍କୁଲ ଓ ଶୌଚାଳୟ ମରାମତି, ନଳକୂପ ବସାଇବା ଓ ଛାତ୍ରାବାସ କାମ ପାଇଁ ମଞ୍ଜୁର ହୋଇଥିବା ପ୍ରାୟ ୨ କୋଟିରୁ ଅଧିକ ଟଙ୍କା। ଆଇଟିଡିଏ ଏଠାରେ ପୂର୍ବଭଳି ସମାନପନ୍ଥା ଆପଣେଇଛି। ଗୋଟିଏ ହେଲେ କାମର ଖୋଲା ଇ-ଟେଣ୍ଡର କରାଯାଇ ନାହିଁ। ପ୍ରତ୍ୟେକ କାମକୁ ୩ ଲକ୍ଷରୁ ଆରମ୍ଭ କରି ୫ ଲକ୍ଷ ଟଙ୍କା କରି ନିଜ ଠିକାଦାରମାନଙ୍କୁ ବାଣ୍ଟି ଦିଆଯାଇଛି। ଆଶ୍ଚର୍ଯ୍ୟ କଥା, ପ୍ରତ୍ୟେକ କାମ ଚାଲିଛି ବୋଲି କାଗଜପତ୍ରରେ ଦର୍ଶାଯାଇଛି। କିନ୍ତୁ ଅର୍ଦ୍ଧାଧିକ ସ୍ଥାନରେ ଏଯାଏଁ କାମ ଆରମ୍ଭ ହୋଇ ନାହିଁ। ପୁଣି କେଉଁଠି ଆରମ୍ଭ ହୋଇଥିଲେ ହେଁ ଅଧପନ୍ତରିଆ ହୋଇ ପଡିଛି।

ଅଭିଯୋଗ ହେଉଛି ଯେ ଟେଣ୍ଡର ନକରି ନିଜ ଠିକାଦାରମାନଙ୍କ ଦ୍ବାରା କାମ କରାଯାଉଥିବାରୁ ମାମଲା ସବୁବେଳେ ଗୋପନୀୟ ଓ ରହସ୍ୟମୟ ରହି ଯାଉଛି। ବର୍ଷ ବର୍ଷ ଧରି ମରାମତି ନାଁରେ ଆସୁଥିବା କୋଟି ‌କୋଟି ଟଙ୍କା ଏହିଭଳି ଠିକ୍‌ ଭାବେ ବିନିଯୋଗ ହେଉ ନଥିବା ବାରମ୍ବାର ଅଭିଯୋଗ ହେଉଛି। ତଥାପି ନିୟମ ଭଙ୍ଗକାରୀ ଯନ୍ତ୍ରୀ ଓ ଅଧିକାରୀଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରା ଯାଉନାହିଁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe