ସ୍ବାସ୍ଥ୍ୟକେନ୍ଦ୍ରରେ ସମସ୍ୟାର ଲମ୍ବା ତାଲିକା

Advertisment

ଏକ୍ସ-ରେ ରୁମ୍‌ରେ ତାଲା, ଡାକ୍ତର ଅଭାବ, ଚାଳକ ଅଛନ୍ତି , ଗାଡ଼ି ନାହିଁ

ଏକ୍ସ-ରେ ରୁମ୍‌ରେ ତାଲା, ଡାକ୍ତର ଅଭାବ, ଚାଳକ ଅଛନ୍ତି , ଗାଡ଼ି ନାହିଁ

ସ୍ବାସ୍ଥ୍ୟକେନ୍ଦ୍ରରେ ସମସ୍ୟାର ଲମ୍ବା ତାଲିକା

ବାଲିପାଟଣା: ସମ୍ପ୍ରତି ବାଲିପାଟଣା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ବିବିଧ ସମସ୍ୟା ଦେଇ ଗତିକରୁଛି। ବର୍ଷ ବର୍ଷ ଧରି କିଛି ଶିଶୁ ରୋଗ ବିଶେଷଜ୍ଞ, ଡାକ୍ତର, ରେଡିଓଗ୍ରାଫର ଓ ଅନ୍ୟାନ୍ୟ କର୍ମଚାରୀ ପଦବି ଖାଲି ପଡ଼ିଛି। ଫଳରେ ଛୋଟ ଛୋଟ କାରଣ ପାଇଁ ବି ଗରିବ ଲୋକେ ଭୁବନେଶ୍ବର ଧାଇଁ ଅଯଥା ଖର୍ଚ୍ଚାନ୍ତ ହେଉଛନ୍ତି। ‌ସେହିଭଳି ଗାଡ଼ି ଚାଳକ ଥିବା ସତ୍ତ୍ବେ ନିଜସ୍ବ ଗାଡ଼ି ନଥିବାରୁ ୧୦୮ ଆମ୍ବୁଲାନ୍‌ସ ଭରସାରେ ଚାଲିଛି ଏହି ସ୍ବାସ୍ଥ୍ୟକେନ୍ଦ୍ର।

ବଡ଼ ସମସ୍ୟା ହେଉଛି ଏଠାରେ ବର୍ଷେ ହେଲା ଏକ୍‌ସ-ରେ ରୁମ୍‌ରେ ତାଲା ପଡ଼ିଛି। ରେଡିଓଗ୍ରାଫର ଶିଶିର ପାତ୍ରଙ୍କ ବଦଳି ପରେ ଏହି ପଦବି ପୂରଣ ହୋଇପାରିନାହିଁ। ଏକ୍ସ-ରେ ଯନ୍ତ୍ରପାତି ଖତ ହେଉଥିବା ବେଳେ ସ୍ଥାନୀୟ ଲୋକେ ଛୋଟମୋଟ ଘଟଣାରେ ଏକ୍ସ-ରେ କରିବାକୁ ଭୁବନେଶ୍ବର ଯିବାକୁ ବାଧ୍ୟ ହେଉଛନ୍ତି। ଗରିବ ଲୋକମାନେ ଅଯଥାରେ ଖର୍ଚ୍ଚାନ୍ତ ହେଉଛନ୍ତି। ସେହିପରି ୩ଟି ଆଟେଣ୍ଡାଣ୍ଟ ପଦବି ଖାଲି ରହିଛି।

ତେଣୁ ପ୍ରାଥମିକ ଚିକିତ୍ସା ପାଇଁ ଧାଇଁ ଆସୁଥିବା ‌ସ୍ଥାନୀୟ ‌ରୋଗୀମାନେ ବଡ଼ କଲବଲ ହେଉଛନ୍ତି। ଦୀର୍ଘ ଦିନ ହେଲା ଶିଶୁରୋଗ ଓ ସର୍ଜରୀ ବିଶେଷଜ୍ଞ ପଦବି ଖାଲି ପଡ଼ିଛି। ଫଳରେ ସ୍ଥାନୀୟ ଶିଶୁମାନଙ୍କ ଚିକିତ୍ସାରେ ଘୋର ଅବ୍ୟବସ୍ଥା ଲାଗି ରହିଛି ବୋଲି ଅଭିଯୋଗ ହେଉଛି। ଜରୁରୀ ସେବାକେନ୍ଦ୍ର ନଥିବାରୁ ରାତି ଡ୍ୟୁଟିରେ ରହୁଥିବା ଡାକ୍ତର ଓ ନର୍ସମାନେ ସମସ୍ୟାରେ ପଡ଼ୁଛନ୍ତି। ଅନ୍ୟ ଏକ ପ୍ରମୁଖ ସମସ୍ୟା ହେଲା ବହୁ ଦିନ ହେଲା ମେଡିକାଲର ନିଜସ୍ୱ ରୋଗୀ ବୁହା ଯାନ ଅଚଳ ହୋଇ ପଡ଼ିଛି।

ଜଣେ ଚାଳକ ଅଛନ୍ତି, କିନ୍ତୁ ଗାଡ଼ି ନାହିଁ। ତେଣୁ ଏଠାରେ ୧୦୮ ଆମ୍ବୁଲାନ୍ସ ହିଁ ଭରସା। ବହୁ ସମୟରେ ଆମ୍ବୁଲାନ୍‌ସ ମିଳେନି, ତେଣୁ ଲୋକେ ଅଧିକ ଭଡ଼ା ଗଣି ଘରୋଇ ଆମ୍ବୁଲାନ୍‌ସ ସେବା କିଣିବାକୁ ବାଧ୍ୟ ହୁଅନ୍ତି। ଏଥିଯୋଗୁଁ ଗରିବ ଲୋକେ ବେଶି ହଇରାଣ ହେଉଛନ୍ତି। କୋଭିଡ୍‌ ପାଇଁ ଏଠାରେ ଏକ ପ୍ରି-ଫେବ୍ରିକ୍ ୟୁନିଟ୍‌ ଗଠନ କରାଯିବ ବୋଲି ପ୍ରସ୍ତାବ ଆସିଛି, ମାତ୍ର ଜମି ମିଳୁନାହିଁ। ସରକାରୀ ଜମି ଥିବା ସତ୍ତ୍ବେ ଏଥିପାଇଁ ଜମି ଚିହ୍ନଟ ହୋଇପାରୁନାହିଁ। ଏହା ବାଦ୍‌ ଏହି ସ୍ବାସ୍ଥ୍ୟକେନ୍ଦ୍ରର ପରିସରରେ ଆହୁରି ଅନେକ ସମସ୍ୟା ରହିଛି।

ଫନିରେ ଭାଙ୍ଗି ଯାଇଥିବା ପାଚେରି ମରାମତି ହୋଇପାରିନାହିଁ। ପରିସର ଭିତରେ ଥିବା ରାସ୍ତା ଅବସ୍ଥା ବି ଶୋଚନୀୟ। ଏନେଇ ସ୍ବାସ୍ଥ୍ୟକେନ୍ଦ୍ର ଅଧିକାରୀ ଡା. ଶ୍ରୀକାନ୍ତ ବେହେରାଙ୍କ କହିବା କଥା ସବୁ ସମସ୍ୟା ବାବଦରେ କର୍ତ୍ତୃପକ୍ଷଙ୍କୁ ଅବଗତ କରାଯାଇଛି। ସୂଚନାଯୋଗ୍ୟ, ବାଲିପାଟଣା, ବାଲିଅନ୍ତା ବ୍ଲକ୍‌ର ହଜାର ହଜାର ଲୋକ ଏହି ହସ୍ପିଟାଲ‌ ଉପରେ ନିର୍ଭର କରନ୍ତି। ଅଥଚ ବହୁ ସମସ୍ୟା ଦେଇ ଗତି କରୁଥିବା ଏହି ହସ୍ପିଟାଲ ଏବେ ଲୋକଙ୍କ ଭରସା ହରାଉଛି ବୋଲି ଜଳଜଳ ହୋଇ ଦେଖାଯାଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe