ପୁରୀ: ଶ୍ରୀମନ୍ଦିର ଦକ୍ଷିଣ ଦ୍ୱାରରେ ଥିବା ଦାନବାକ୍ସ ଲୁଟ। ଦାନବାକ୍ସକୁ ଉଦ୍ଧାର କରି ଗାରଦରେ ଜିମା ଦେଲେ ଜେଟିପି। ଗତକାଲି ବିଳମ୍ବିତ ରାତିରେ ଶ୍ରୀମନ୍ଦିର ଦକ୍ଷିଣ ଦ୍ୱାରରେ ଥିବା ଦାନବାକ୍ସକୁ ତାଡ଼ି ଲୁଟ ହୋଇଥିଲା। ଦୁର୍ବୃତ୍ତମାନେ ଦାନବାକ୍ସରୁ ଲୁଟ କରିବା ପରେ ଶ୍ରୀମନ୍ଦିର ଭିତର ବେଢା ନୃସିଂହ ମନ୍ଦିର ନିକଟରେ ଫୋପାଡ଼ି ଦେଇଥିଲେ। ସକାଳୁ ଦ୍ୱାର ଫିଟିବା ପରେ କିଛି ସେବାୟତ ଗାରଦରେ ଜଣାଇଥିଲେ। ଏହାପରେ ଜେଟିପି ଦାନବାକ୍ସକୁ ଉଦ୍ଧାର କରି ଗାରଦରେ ଜିମା ଦେଇଥିଲେ।
ଏଘଟଣା ସମ୍ପର୍କରେ ଶ୍ରୀମନ୍ଦିର ପ୍ରଶାସକଙ୍କୁ ଅବଗତ କରାଯିବା ସହ ସିସିଟିଭି ଫୁଟେଜକୁ ଯାଞ୍ଚ କରାଯାଉଛି। ସେପଟେ ପୂର୍ବରୁ ମଧ୍ୟ ମନ୍ଦିର ଭିତରୁ ଚୋରି ହେବାର ନଜିର ରହିଛି। ଦକ୍ଷିଣ ଦ୍ୱାର ନିକଟ ରାମମନ୍ଦିର ଓ କୋଇଲି ବୈକୁଣ୍ଠ ନିକଟ ସୁଆର ନିଯୋଗ କାର୍ଯ୍ୟାଳୟରୁ ମଧ୍ୟ ଚୋରି ହୋଇଥିଲା। ଆଜିର ଘଟଣାକୁ ନେଇ ଶ୍ରୀମନ୍ଦିର ସୁରକ୍ଷା ଅଧିକାରୀ, ସିଂହଦ୍ୱାର ଥାନା ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି।
Follow Us