Sambad English
ତାରପୁର : ଜଗତ୍ସିଂହପୁର ଜିଲ୍ଲା ତିର୍ତୋଲ ଥାନା ରଘୁନାଥପୁର ବ୍ଲକ୍ ଛପଡ଼ା ପଂଚାୟତ କେରେକେରାସ୍ଥିତ ପ୍ରସିଦ୍ଧ ବିଭୂତି କ୍ଷେତ୍ର ପ୍ରଭୁ ଗୋରଖନାଥ ମନ୍ଦିର ସମ୍ମୁଖରୁ ହୁଣ୍ତି ଭାଙ୍ଗି ଟଙ୍କା ଚୋରି ଘଟଣା ଚାଞ୍ଚଲ୍ୟ ସୃଷ୍ଟି କରିଛି। କୋଭିଡ୍ କଟକଣା ଉଠିବା ପରେ ମନ୍ଦିରରେ ଭକ୍ତଙ୍କ ସଂଖ୍ୟା ବୃଦ୍ଧି ପାଇଥିବାରୁ ଅନ୍ୟୂନ ୧୦ ଲକ୍ଷ ଟଙ୍କା ଚୋରି ଯାଇଥିବା ଆକଳନ କରାଯାଉଛି। ଏ ବିଷୟରେ ମନ୍ଦିର ଟ୍ରଷ୍ଟବୋର୍ଡ ପକ୍ଷରୁ ଥାନାରେ ଲିଖିତ ଅଭିଯୋଗ ହୋଇଥିବା ବେଳେ ପୁଲିସ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି।
ସୂଚନା ଅନୁସାରେ, ୩ ଜଣ ଦୁର୍ବୃତ୍ତ ଶାବଳରେ ହୁଣ୍ଡିକୁ ତାଡ଼ି ବସ୍ତାରେ ଟଙ୍କାପଇସା ଭର୍ତ୍ତି କରି ଚାଲିଯାଇଥିଲେ। ବସ୍ତା ଓଜନ ଥିବାରୁ ସେମାନେ ଟଙ୍କା ବସ୍ତାକୁ ବହୁ କଷ୍ଟରେ ଉଠାଇ ନେଉଥିବା ଦେଖିବାକୁ ମିଳୁଛି। ରାତି ପ୍ରାୟ ୧୨ଟା ୨୦ରୁ ୧୨ଟା ୪୦ ମିନିଟ୍ ଭିତରେ ଏହି ଚୋରି ଘଟଣା ସିସି କ୍ୟାମେରାରେ କଏଦ୍ ହୋଇଛି। ସବୁଠୁ ଆଶ୍ଚର୍ଯ୍ୟର କଥା ମନ୍ଦିରରେ ନିୟୋଜିତ ୨ ଜଣ ହୋମଗାର୍ଡ଼, ଜଣେ ରାତ୍ରି ଜଗୁଆଳିଙ୍କର ସେତେବେଳେ ଦେଖା ମିଳିନଥିଲା। ତେବେ ରାତି ପ୍ରାୟ ଗୋଟାଏ ବେଳେ ରାତ୍ରି ଜଗୁଆଳି ସଂଜୟ କୁମାର ବିଶ୍ବାଳ ପ୍ରଥମେ ମନ୍ଦିର କାର୍ଯ୍ୟ ନିର୍ବାହୀ ଅଧିକାରୀ ସୌର୍ଯ୍ୟରଂଜନ ପରିଜାଙ୍କୁ ଏହି ଚୋରି ବିଷୟରେ ଜଣାଇଥିଲା। ପରେ ପୁଲିସ୍କୁ ଖବର ଦେବାରୁ ସକାଳେ ପୁଲିସ୍ ପହଞ୍ଚି ତଦନ୍ତ କରିଛି। ମନ୍ଦିର ନିର୍ବାହୀ ଅଧିକାରୀ ଶ୍ରୀ ପରିଜାଙ୍କ ସୂଚନା ଅନୁଯାୟୀ, ଗତ ବର୍ଷ ଅପ୍ରେଲ ମାସରେ ଶେଷଥର ପାଇଁ ହୁଣ୍ତି ଖୋଲାଯାଇଥିଲା।
Follow Us