Sambad English
ଆଳି : କେନ୍ଦ୍ରାପଡ଼ା ଜିଲ୍ଲା ଆଳି ଥାନା ଗୋବିନ୍ଦପୁର ଗାଁରେ ଗତକାଲି ରାତିରେ ଅଭାବନୀୟ ଘଟଣା ଘଟିଛି। ଜଣେ ଡାକ୍ତରଙ୍କୁ କଟୁରିରେ ହାଣିବା ସହ ବନ୍ଧୁକ ଦେଖାଇ ୨ଜଣ ଦୁର୍ବୃତ୍ତ ସୁନା, ଟଙ୍କା ଲୁଟି ନେଇ ଫେରାର ହୋଇ ଯାଉଥିବା ବେଳେ ଲୋକଙ୍କ ହାତରେ ଧରା ପଡ଼ିଯାଇଛନ୍ତି। ଲୋକେ ଦୁହିଁଙ୍କୁ ନିସ୍ତୁକ ମାଡ଼ ମାରି ପୁଲିସ ଜିମା ଦେଇଛନ୍ତି।
ସୂଚନା ଅନୁସାରେ, ଗୋବିନ୍ଦପୁର କଚେରି ବଜାରରେ ରହୁଥିବା ଡାକ୍ତର ବଂଶୀଧର ମହାପାତ୍ର ଓ ତାଙ୍କ ପତ୍ନୀ ଗତକାଲି ରାତି ପ୍ରାୟ ସାଢେ ୧୧ଟାରେ ଘରେ ଖାଇବାକୁ ଯାଉଥିଲେ। ଏହି ସମୟରେ ପଛ ଦ୍ୱାର ଦେଇ ଦୁଇ ମୁଖାପିନ୍ଧା ଦୁର୍ବୃତ୍ତ ଘର ଭିତରକୁ ଧସେଇ ପଶିଥିଲେ। ଡାକ୍ତର ମହାପାତ୍ର ସେମାନଙ୍କୁ ବିରୋଧ କରିବାରୁ ସେମାନେ ତାଙ୍କ ମୁଣ୍ଡରେ ବନ୍ଧୁକ ଲଗାଇ ଭୟଭୀତ କରିଥିଲେ। ଏହା ପରେ କଟୁରିରେ ଆକ୍ରମଣ କରିଥିଲେ। କଟୁରି ଚୋଟରେ ଡାକ୍ତର ମହାପାତ୍ର ଆହତ ହୋଇଥିଲେ। ସେମାନେ ଡାକ୍ତରଙ୍କ ପତ୍ନୀଙ୍କୁ ଏକ ରଶିରେ ବାନ୍ଧି ପକାଇ ଘରେ ଥିବା ୫ ଲକ୍ଷ ଟଙ୍କା ମୂଲ୍ୟର ସୁନା ଗହଣା ସମେତ ନଗଦ ୨୦ହଜାର ଟଙ୍କା ଲୁଟି ନେଇଥିଲେ। ଘର ଛାଡି ଯିବା ସମୟରେ ଡାକ୍ତରଙ୍କ ସ୍ମାର୍ଟଫୋନକୁ ମଧ୍ୟ ଫୋପାଡ଼ି ଭାଙ୍ଗି ଦେଇଥିଲେ।
ଘର ଭିତରେ ଘଣ୍ଟାଏ କାଳ ଏଭଳି ଲୁଟତରାଜ କରିବା ପରେ ଦୁହେଁ ଗୋବିନ୍ଦପୁର ଗାଁ ନିକଟରେ କୌଣସି ଅଜ୍ଞାତ ସ୍ଥାନରେ ଲୁଚି ରହିଥିଲେ। ସକାଳ ହେବା ପରେ ସେମାନେ ଏକ ଅଟୋ ଚାଳକଙ୍କୁ ଫୋନ୍ କରି ଡ଼କାଇଥିଲେ। ତେବେ ଏହା ଭିତରେ ଡାକ୍ତରଙ୍କ ଘରୁ ଚୋରି ହୋଇଥିବା କଥା ଗାଁ ଲୋକେ ଜାଣି ସାରିଥିଲେ। ଗାଁ ପାଖରୁ ଦୁଇ ଜଣ ଅଜଣା ବ୍ୟକ୍ତି ଅଟୋରେ ଯାଉଥିବା ଖବର ଲୋକଙ୍କ ପାଖରେ ପହଞ୍ଚି ଯାଇଥିଲା। ଲୋକେ ଅଟୋକୁ ପିଛା କରି ୨ ଦୁର୍ବୃ୍ତ୍ତଙ୍କୁ ମାଡ଼ି ବସି ନିସ୍ତୁକ ମାଡ଼ ମାରିଥିଲେ। ସେମାନଙ୍କଠାରୁ ସୁନା ଗହଣା ଓ ଟଙ୍କା ଜବତ କରି ଦୁହିଁଙ୍କୁ ଡାକ୍ତର ମହାପାତ୍ରଙ୍କ ଘରକୁ ନେଇଥିଲେ। ଡାକ୍ତର ସେମାନଙ୍କୁ ଚିହ୍ନଟ କରିବା ପରେ ପୁଲିସକୁ ଖବର ଦିଆଯାଇଥିଲା। ପୁଲିସ ସେମାନଙ୍କୁ ଥାନାରେ ରଖି ଜେରା କରୁଛି। ଡାକ୍ତର ମହାପାତ୍ର ଘଟଣା ସଂପର୍କରେ ଥାନାରେ ଏତଲା ଦେବା ପରେ ପୁଲିସ ଦୁର୍ବୃତ୍ତଙ୍କୁ ପଚରାଉଚୁରା କରୁଥିବା ଜଣାପଡିଛି।
Follow Us