ରାସ୍ତାରେ କାଠଗଣ୍ଡି ପକାଇ ଲୁଟ୍

ଡିପିସି ଅଫିସ କର୍ମଚାରୀଙ୍କ ସମେତ ୪ ଜଣଙ୍କୁ ଜଙ୍ଗଲରେ ଅଟକ ରଖିଥିଲେ

ରାସ୍ତାରେ କାଠଗଣ୍ଡି ପକାଇ ଲୁଟ୍

ଗୁରୁଣ୍ଡିଆ/ଲାଠିକଟା : ସୁନ୍ଦରଗଡ଼ର ନରେନ୍ଦ୍ର-କଲୁଙ୍ଗା ପୂର୍ତ୍ତ ବିଭାଗ ରାସ୍ତା ଏବେ ଲୁଟେରାଙ୍କ ଆଡ୍‌ଡାସ୍ଥଳୀ ପାଲଟିଛି। ରାସ୍ତା ଉପରେ ଗଛ ପକାଇ ନିୟମିତ ଲୁଟ୍ ହେଉଛି। ଗତ ରାତିରେ ‌ଲୁଟେରାଙ୍କ ଶିକାର ହୋଇଛନ୍ତି ସୁନ୍ଦରଗଡ଼ ସର୍ବଶିକ୍ଷ‌ା ଅଭିଯାନର ଦୁଇ ଜଣ ଅଧିକାରୀ। ସେମାନଙ୍କର ବଲେରୋ ଗାଡ଼ି ସହ ନଗଦ ୮୮ ହଜାର ଟଙ୍କା ଓ ୬ଟି ମୋବାଇଲ୍ ଫୋନ୍‌କୁ ଲୁଟି ନେଇଛନ୍ତି ‌ଲୁଟେରାମାନେ। ଦୁଇ ଅଧିକାରୀଙ୍କ ସମେତ ୪ ଜଣଙ୍କୁ ରାତି ସାରା ଜଙ୍ଗଲରେ ଅଟକ ରଖି ଏଟିଏମ୍‌ରୁ ଟଙ୍କା ଉଠାଇବା ପରେ ଛାଡ଼ି ଥିଲେ। ଏ ସମ୍ପର୍କରେ ଚାନ୍ଦିପୋଷ ଥାନାରେ ଏତଲା ହେବା ପରେ ପୁଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଛି।

ସୁନ୍ଦରଗଡ଼ ସର୍ବଶିକ୍ଷା ଅଭିଯାନ (ଡିପିସି) କାର୍ଯ୍ୟାଳୟର ଆଇଇଡି ସଂଯୋଜକ ଅମାତ୍ୟ ପ୍ରଧାନ, ଫାଇନାନ୍ସିଆଲ୍ ସଂଯୋଜକ ରାଜେନ୍ଦ୍ର ପାତ୍ର, କୋଇଡ଼ା ବ୍ଲକ୍ କେଜିବିଭି ସପ୍ଲାଏର୍ସ ବାଲକ୍ରିଷ୍ଣା ଅଗ୍ରୱାଲ ଓ ଗାଡ଼ି ଚାଳକ ରାଜେଶ କୁମାର ମହାକୁଡ଼ ଗତ ରାତିରେ କୋଇଡ଼ାରୁ ବଣାଇଁଗଡ଼ ହୋଇ ଗୁରୁଣ୍ଡିଆ ରାସ୍ତାରେ ସୁନ୍ଦରଗଡ଼ ଫେରୁଥିଲେ। ରାତି ପ୍ରାୟ ୧୨ଟା ବେଳେ ସେମାନଙ୍କ ବଲେରୋ ଗାଡ଼ି ତାମଡ଼ା ଅତିକ୍ରମ କରୁଥିବା ବେଳେ ବେଣୁଆମ ନିକଟରେ ରାସ୍ତା ଉପରେ ଏକ କାଠଗଣ୍ଡି ପଡ଼ିଥିବା ଦେଖି ଅଟକିଥିଲା। ବଲେରୋଟି ଅଟକି ଯିବା ପରେ ବିଭିନ୍ନ ମାରଣାସ୍ତ୍ରରେ ସୁସଜ୍ଜିତ ୮ ଜଣ ଲୁଟେରା ଗାଡ଼ି ପାଖରେ ପହଞ୍ଚି ‌‌େସମାନଙ୍କୁ ଭୟଭିତ କରି ୬ଟି ମୋବାଇଲ୍ ଫୋନ, ଏଟିଏମ୍‌ କାର୍ଡ ଛଡ଼ାଇ ନେଇଥିଲେ। ସମସ୍ତଙ୍କୁ ପିସ୍ତଲ୍‌ ଦେଖାଇ ଜଙ୍ଗଲ ଭିତରକୁ ନେଇ ଅଟକ ରଖିଥିଲେ। ଏଟିଏମ୍‌ କାର୍ଡର ଗୁପ୍ତ ନମ୍ବର ପଚାରି ୮ ଲୁଟେରାଙ୍କ ମଧ୍ୟରୁ ୪ ଜଣ ଟଙ୍କା ବାହାର କରିବାକୁ ଗୁରୁଣ୍ଡିଆ ଯାଇଥି‌ବା ବେଳେ ଅନ୍ୟମାନେ ବନ୍ଧକମାନଙ୍କୁ ଜଗି ରହିଥିଲେ। ଗୁରୁଣ୍ଡିଆରେ ଏଟିଏମ୍‌ ବନ୍ଦ ଥିବାରୁ ଲୁଟେରାମାନେ ସେଠାରୁ ଫେରି ଲୁଟ୍ ସ୍ଥାନ ଦେଇ ପୁଣି ରାଉରକେଲା ପାନପୋଷ ଯାଇଥିଲେ। ସେଠାରୁ ଟଙ୍କା ଉଠାଇ ଫେରିବା ପରେ ଭୋର ପ୍ରାୟ ୫ଟା ବେଳେ ସେମାନେ ଅଟକ ରହିଥିବା ସର୍ବଶିକ୍ଷା ଅଭିଯାନର କର୍ମଚାରୀମାନଙ୍କୁ ଛାଡ଼ି ଦେଇଥିଲେ ଏବଂ ବଲେରୋ ଧରି ଫେରାର୍‌ ହୋଇ ଯାଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe