ମଦ ଦୋକାନରୁ ୮୬ ପେଟି ମଦ ଲୁଟ୍‌

Advertisment
ମଦ ଦୋକାନରୁ ୮୬ ପେଟି ମଦ ଲୁଟ୍‌
ଗଞ୍ଜାମ : ଗଞ୍ଜାମ ଜିଲ୍ଲା ରମ୍ଭା ଥାନା ଅଧୀନ ହୁମ୍ମା-ବଟେଶ୍ବର ସଂଲଗ୍ନ ୧୬ ନମ୍ବର ଜାତୀୟ ରାଜପଥରେ ଥିବା ଏକ ବିଦେଶୀ ମଦ ଦୋକାନରେ ବଡ଼ ଧରଣର ଲୁଟ୍‌ ହୋଇଛି। ଗତକାଲି କିଛି ଦୁର୍ବୃତ୍ତ ଦୋକାନ ଭିତରୁ ୧୦ ଲକ୍ଷ ଟଙ୍କାର ମଦ ଚୋରି କରିନେବା ଘଟଣା ଚାଞ୍ଚଲ୍ୟ ସୃ‌ଷ୍ଟି କରିଛି।
ସୂଚନାନୁସାରେ, ଗତକାଲି ରାତି ୯ଟାରେ ଦୋକାନ ବନ୍ଦ କରି ନିକଟରେ ଥିବା ଏକ କୋଠରିରେ ୩ଜଣ କର୍ମଚାରୀ ଶୋଇଥିଲେ। ସେମାନଙ୍କ ମଧ୍ୟରୁ ସୁଧୀର ସାହୁ ନାମକ ଜଣେ କର୍ମଚାରୀ ଭୋର୍ ସାଢ଼େ ୩ଟାରେ ହଠାତ୍ ଉଠି  ଦୋକାନ ଆଗପଟକୁ ଆସିଥିଲେ। ଦୋକାନ ସମ୍ମୁଖରେ ଝୁଲୁଥିବା ଦୁଇଟି ତାଲା ଓ ଗ୍ରିଲ୍‌ର ଗୋଟିଏ ତାଲା ଭଙ୍ଗାଯାଇଥିବା ଦେଖିଥିଲେ। ସଂଗେ ସଂଗେ ସେ ଅନ୍ୟ ସହଯୋଗୀଙ୍କୁ ଆଣି କବାଟ ଖୋଲି ଦେଖିଲା ବେଳକୁ ଗଚ୍ଛିତ ସମସ୍ତ ମଦ ପେଟି ଓ ନଗଦ ୧୦ହଜାର ଟଙ୍କା ଲୁଟ୍‌ ହୋଇ ଯାଇଥିଲା। ଦୋକାନରୁ ୮୬ ପେଟି ବିଭିନ୍ନ ବ୍ରାଣ୍ଡ୍‌ର ମଦ ଓ ବିୟର୍ ଚୋରି ହୋଇଥିବା ଜଣାପଡ଼ିଛି। ଯାହାର ମୂଲ୍ୟ ୧୦ଲକ୍ଷରୁ ଅଧିକ ହେବ। ଏହାସହ କ୍ୟାସ୍ କାଉଣ୍ଟର୍‌ରୁ ୧୦ହଜାର ୫୦ ଟଙ୍କା ‌ଦୁର୍ବୃତ୍ତ ମାନେ ନେଇଯାଇଥିଲେ।
ସେଲସମ୍ୟାନ୍ ମାନସରଞ୍ଜନ ସାହୁ ରମ୍ଭା ଥାନାରେ ଏତଲା ‌ଦେଇଥିଲେ। ଗଞ୍ଜାମ ଅତିରିକ୍ତ ଏସ୍‌.ପି. ଠାକୁର ପ୍ରସାଦ ପାତ୍ର, ଛତ୍ରପୁର ଏସଡିପିଓ ଗୌତମ କିଷାନ , ରମ୍ଭା ଥାନାଧିକାରୀ କୃଷ୍ଣଚନ୍ଦ୍ର ସେଠୀ, ଗଞ୍ଜାମ ଥାନାଧିକାରୀ ଦିଲ୍ଲୀପ କୁମାର ସାହୁ , ଛତ୍ରପୁର ଥାନାଧିକାରୀ ପ୍ରିୟରଞ୍ଜନ ଛୋଟରାୟ ଓ ହୁମ୍ମା ଫାଣ୍ଡି ଅଧିକାରୀ ଶରତ ଚନ୍ଦ୍ର ଦାଶ ପ୍ରମୁଖ ପହଞ୍ଚି ତନାଘନା ଆରମ୍ଭ କରିଥିଲେ। ଏହାସହ ସାଇଣ୍ଟିଫିକ୍ ଟିମ୍ ସରଜମିନ୍ ତଦନ୍ତ କରି ଫେରିଛନ୍ତି। ତେବେ କିଛି ସୁରାକ୍ ମିଳିପାରିନି। ବଟେଶ୍ବର ଅଭିମୁଖେ ଏକ ବୋଲେରୋ ପିକଅପ୍ ଛିଡ଼ା ହୋଇଥିଲା। ଏହାଏକ ସୁପରିକଳ୍ପିତ ଯୋଜନା ବୋଲି ପାରିପାର୍ଶ୍ବିକ ସ୍ଥିତିରୁ ଅନୁମାନ କରାଯାଉଛି। ବ୍ୟାବସାୟିକ ଶତ୍ରୁତାରୁ କିଛି ସ୍ଥାନୀୟ ଲୋକ ଏହି ଯୋଜନା କରିଥାଇ ପାରନ୍ତି। ଏନେଇ କେସ୍ ନମ୍ବର ୧୫ ଅନୁସାରେ ଏକ ମାମଲା ରୁଜୁ ହୋଇଛି।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe