ବନ୍ଧୁକ ମୁନରେ ଲୁଟ୍‌ ଘଟଣା: ୫ ଗିରଫ: ରାଇଫଲ ସହ ୨୬ ରାଉଣ୍ଡ ଗୁଳି ଜବତ

Advertisment
ବନ୍ଧୁକ ମୁନରେ ଲୁଟ୍‌ ଘଟଣା: ୫ ଗିରଫ: ରାଇଫଲ ସହ ୨୬ ରାଉଣ୍ଡ ଗୁଳି ଜବତ

ବଡ଼ବିଲ/ଯୋଡ଼ା: କେନ୍ଦୁଝର ଜିଲ୍ଲା ବଡ଼ବିଲ ଖଣି ଅଞ୍ଚଳରେ ବିଭିନ୍ନ ପରିବହନ ସଂସ୍ଥାରୁ ବନ୍ଧୁକ ମୁନରେ ହୋଇଥିବା ଲୁଟ୍‌ ଘଟଣାର ପର୍ଦ୍ଦଫାସ କରିଛି ପୁଲିସ। ଉଭୟ କେନ୍ଦୁଝର ଓ ମୟୂରଭଞ୍ଜ ପୁଲିସ ମିଳିତଭାବେ ଚଢ଼ଉ କରି ୫ଜଣ ଅନ୍ତଃରାଜ୍ୟ ଡକାୟତଙ୍କୁ ଗିରଫ କରିଛି। ଅଭିଯୁକ୍ତଙ୍କ ଘର ଝାଡ଼ଖଣ୍ଡ ହାଟଗମ୍ଭାରିଆ ଥାନା ଅଞ୍ଚଳରେ। ତଦନ୍ତରେ ବାଧା ସୃଷ୍ଟି ହେବା ଆଶଙ୍କାରେ ପୁଲିସ ଅଭିଯୁକ୍ତଙ୍କ ନାମ ପ୍ରକାଶ କରିବାକୁ ମନା କରିଛି। ଅଭିଯୁକ୍ତଙ୍କଠାରୁ ଏକ ଅତ୍ୟାଧୁନିକ ଇନ୍‌ସାସ୍‌ ରାଇଫଲ ସହିତ ୨୬ ରାଉଣ୍ଡ ଗୁଳି, ବଡ଼ବିଲସ୍ଥିତ ଠାକୁରାଣୀ ଓ ଭାଦ୍ରସ।ହିରେ ଡକାୟତି ସମୟରେ ବ୍ୟବହାର କରିଥିବା ଏକ ସ୍କୁଟିକୁ ପୁଲିସ ଜବତ କରିଛି।

ବଡ଼ବିଲ ପୁଲିସର ସୂଚନା ଅନୁଯାୟୀ, ଅଭିଯୁକ୍ତମାନେ କିଛିମାସ ହେବ କେନ୍ଦୁଝର ଜିଲ୍ଲାର ବଡ଼ବିଲ ଓ ମୟୂରଭଞ୍ଜ ରାଇରଙ୍ଗପୁର ଅଞ୍ଚଳରେ ଆତଙ୍କ ଖେଳାଇଥିଲେ। ଏହି ଗ୍ୟାଙ୍ଗର ଜଣେ ସଦସ୍ୟ ଟ୍ରକ୍‌ ଡ୍ରାଇଭର ଥିଲା। ସେ ଯୋଡ଼ା ଖଣି ଅଞ୍ଚଳରେ ଥିବା ବିଭିନ୍ନ ପରିବହନ ସଂସ୍ଥାର କାର୍ଯ୍ୟାଳୟ ଦେଖିଥିଲା। ଏହି ଗ୍ୟାଙ୍କ ବିଶେଷ କରି ପରିବହନ ସଂସ୍ଥାର କର୍ମଚାରୀ ଓ ବ୍ୟବସାୟୀଙ୍କୁ ଟାର୍ଗେଟ କରି ଟଙ୍କା ଲୁଟ୍‌ କରୁଥିଲେ। ଏପ୍ରିଲ ୧୮ ତାରିଖରେ ବଡ଼ବିଲସ୍ଥିତ ଠାକୁରାଣୀର ଆର୍ସେଲର ମିତ୍ତଲ ଖଣି ନିକଟରେ ଥିବା କେପି ଟ୍ରାନ୍ସପୋର୍ଟ କାର୍ଯ୍ୟାଳୟରେ ପଶି ଦୁର୍ବୃତ୍ତମାନେ ଗୋଟିଏ ରାଉଣ୍ଡ ଗୁଳି ଫୁଟାଇ କର୍ମଚାରୀଙ୍କଠାରୁ ୨ ଲକ୍ଷ ୭୦ ହଜାର ଟଙ୍କା ଲୁଟି ନେଇଥିଲେ। ସେହିପରି ମେ ୨୩ ତାରିଖ ରାତିରେ ଭଦ୍ରାସାହିରେ ଥିବା ଈଶ୍ୱର ଝାଂଜରିଆଙ୍କ ପରିବହନ କାର୍ଯ୍ୟାଳୟରେ ପଶି ଗୁଳି ଫୁଟାଇ ୩ ଲକ୍ଷ ୯୬ ହଜାର ୫ ଶହ ଟଙ୍କା ଲୁଟି ନେଇଥିଲେ। ପୁଲିସ ବିଭିନ୍ନ ସ୍ଥାନରେ କିଛିମାସ ଧରି ଚଢ଼ଉ ଜାରି ରଖିଥିଲା। ଶେଷରେ ସେମାନଙ୍କୁ ଧରିବାରେ ସକ୍ଷମ ହୋଇଛି।

ଏହି ଗ୍ୟାଙ୍ଗର ସଦସ୍ୟମାନେ ମୟୂରଭଞ୍ଜ ଜିଲ୍ଲାରେ ହୋଇଥିବା ବିଭିନ୍ନ ଡକାୟତି ଘଟଣାରେ ସମ୍ପୃକ୍ତ ଅଛନ୍ତି। ରାଇରଙ୍ଗପୁର ଥାନା ହାଟବାଦଡ଼ାରେ ମେ ୨୫ ତାରିଖରେ ଜଣେ ଗୋରୁ ବ୍ୟବସାୟୀଙ୍କୁ ହତ୍ୟା କରି ୨୦ ଲକ୍ଷ ଟଙ୍କା ଲୁଟ୍‌ ଘଟଣାରେ ମଧ୍ୟ ଏମାନେ ସମ୍ପୃକ୍ତ ଥିଲେ। ଅଭିଯୁକ୍ତଙ୍କୁ କୋର୍ଟଚାଲାଣ କରାଯାଇଥିବା ବଡ଼ବିଲ ଥାନା ଆଇଆଇସି ସୁଶାନ୍ତ କୁମାର ଦାଶ ପ୍ରକାଶ କରିଛନ୍ତି। ସେହିପରି ମେ ୨୦ ତାରିଖରେ ଯୋଡ଼ା ବିଚାକୁଣ୍ଡିସ୍ଥିତ ଶାରଦା ଲଜିଷ୍ଟିକ୍‌ର କର୍ମଚାରୀମାନେ ବାଇକ୍‌‌ରେ  ଯୋଡ଼ାରୁ ଖଣ୍ଡବନ୍ଧ ଯାଉଥିବା ସମୟରେ ଏହି ଗ୍ୟାଙ୍ଗର ସଦସ୍ୟମାନେ ବାଟରେ ବନ୍ଧୁକ ଦେଖାଇ ୫ ଲକ୍ଷ ଟଙ୍କା ଲୁଟି ନେଇଥିଲେ। ଏହାଛଡ଼ା ମେ ୨୨ ତାରିଖରେ ଯୋଡ଼ା କଲ୍ୟାଣ୍ଡମଣ୍ଡପ ନିକଟରେ ଦୋକାନ କର୍ମଚାରୀ ରାଜେଶ ମହାକୁଡ଼ଙ୍କୁ ଗୁଳିମାଡ଼ ଏବଂ ୨୭ ତାରିଖରେ ନାରଦପୁରସ୍ଥିତ ମଦ ଦୋକାନରୁ ୧ ଲକ୍ଷ ୫୬ ହଜାର ଟଙ୍କା ଲୁଟ୍‌ ଘଟଣାରେ ଏହି ଗ୍ୟାଙ୍ଗର ସଦସ୍ୟମାନେ ସମ୍ପୃକ୍ତ ଥିବା ଏସ୍‌ଡିପିଓ ସୁଧାଂଶୁ ଭୂଷଣ ବେହେରା କହିଛନ୍ତି। ଏହି ଗ୍ୟାଙ୍ଗ କେନ୍ଦୁଝର ଓ ମୟୂରଭଞ୍ଜ ଜିଲ୍ଲାରେ ୮ଟି ବଡ଼ଧରରଣ ଡକାୟତି କରିଛନ୍ତି। ଗ୍ୟାଙ୍ଗର ଅନ୍ୟ ସଦସ୍ୟଙ୍କୁ ଧରିବା ପାଇଁ ପୁଲିସ ଛାନ୍‌ଭିନ୍‌ ଚଳାଇଥିବା ଶ୍ରୀ ବେହେରା କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe