ସୁସ୍ଥ ହେଉଛନ୍ତି ମହାପ୍ରଭୁ

Advertisment

ଶ୍ରୀମନ୍ଦିରକୁ ଗଲା ଦଶମୂଳ ମହୌଷଧୀ

ଶ୍ରୀମନ୍ଦିରକୁ ଗଲା ଦଶମୂଳ ମହୌଷଧୀ

ସୁସ୍ଥ ହେଉଛନ୍ତି ମହାପ୍ରଭୁ

ପୁରୀ : ଅଣସର ଘରେ ଶ୍ରୀବିଗ୍ରହମାନେ ବିଜେ କରୁଛନ୍ତି। ପରମ୍ପରା ମୁତାବକ ରବିବାର ମହାପ୍ରଭୁଙ୍କ ଚକାବିଜେ ନୀତି ଅନୁଷ୍ଠିତ ହୋଇଛି। ଶୟନରତ ଅବସ୍ଥାରେ ଅଣସର ପିଣ୍ଡିରେ ବିଶ୍ରାମ କରୁଥିବା ମହାପ୍ରଭୁ ରବିବାର ଚକା ଉପରେ ବିଜେ କରି ବସିଛନ୍ତି। ରବିବାର ନୀତି ମୁତାବକ ସମସ୍ତ କାର୍ଯ୍ୟ ସଂପନ୍ନ ହୋଇଛି। ବିଶ୍ରାମାବସ୍ଥାରୁ ଚକା ଉପରେ ବିଜେ(ଚକା ଉପରେ ବସିବା) ହେବା ସ୍ଥିତି ମହାପ୍ରଭୁଙ୍କ ସୁସ୍ଥ ହେଉଥିବାର ସୂଚନା ଦେଇଛି। ଚକାବିଜେ ହେବା ପରେ ଶ୍ରୀମନ୍ଦିରକୁ ଦଶମୂଳ(ମୋଦକ) ମହୌଷଧୀ ବିଜେ କରାଯାଇଛି। ମହାପ୍ରଭୁଙ୍କ କବିରାଜମାନେ ଏହି ଔଷଧକୁ ଶୁଦ୍ଧପୁତ ଭାବରେ ପ୍ରସ୍ତୁତ କରିଛନ୍ତି। ଆୟୁର୍ବେଦ ପଦ୍ଧତି ଏବଂ ଶାସ୍ତ୍ରାନୁସରଣରେ ଏହି ମହୌଷଧୀ ପ୍ରସ୍ତୁତ ହୋଇଛି।

ଏକାଦଶୀ ତିଥି ଅର୍ଥାତ୍ ଆଜି ଅସୁସ୍ଥ ଶ୍ରୀବିଗ୍ରହମାନଙ୍କୁ ଦଶମୂଳ ମୋଦକ ଲାଗି କରିବାର ବିଧି ରହିଛି। ସ୍ନାନପୂର୍ଣିମା ପରେ ଅସୁସ୍ଥ ଶ୍ରୀଜିଉମାନଙ୍କ ଆରୋଗ୍ୟ ଲାଗି ଶ୍ରୀମନ୍ଦିର ବୈଦ୍ୟମାନେ ପ୍ରଭୁଙ୍କ ଲାଗି ହେବାକୁ ଥିବା ଏହି ଦଶମୂଳକୁ ଦୀର୍ଘ ଦିନ ଧରି ପ୍ରସ୍ତୁତି କରିବାରେ ସପରିବାର ନିୟୋଜିତ ଥିଲେ। ଔଷଧ ତିଆରି ପୂର୍ବରୁ ବୈଦ୍ୟମାନେ ଚେରମୂଳ ସଂଗ୍ରହରେ ଗତ କିଛି ଦିନ ଧରି ବ୍ୟସ୍ତ ଥିଲେ। ଶ୍ରୀମନ୍ଦିର ବୈଦ୍ୟ ମାନ୍ୟତାପ୍ରାପ୍ତ କବିରାଜ ସେବକମାନେ ପୁରୁଷାନୁକ୍ରମେ ପ୍ରଭୁଙ୍କ ପାଇଁ ଏହି ମହୌଷଧୀ ପ୍ରସ୍ତୁତି ସେବାରେ ନିୟୋଜିତ ଅଛନ୍ତି।

କବିରାଜମାନଙ୍କ କହିବା ମୁତାବକ, ଶାଳପର୍ଣ୍ଣି, ଗମ୍ଭାରୀ, ଲବାଙ୍ଗ କୁଳି, ଫଣଫଣା, କୃଷ୍ଣ ପର୍ଣ୍ଣି, ବେଲ, ଖଣିବଥୁ, ପଟଳି, ଖୁଆ, ଅଙ୍କରାନ୍ତି, ଗୋଖରା, ଲମ୍ୱାଗୋତି, ଦେଶୀଘିଅ, ମହୁ, ନବାତ, ଖୁଆ ସର, ଭାଙ୍ଗ ଆଦି ପ୍ରକୃତିର ଉତ୍ପାଦ ସମ୍ମିଶ୍ରଣରେ ମହାପ୍ରଭୁଙ୍କ ପାଇଁ ଏହି ଔଷଧୀ ପ୍ରସ୍ତୁତ ହୋଇଛି। ହବିଷାନ୍ନ ବ୍ରତ ପାଳନ ସହ ଭକ୍ତିପୁତ ଚିତ୍ତରେ ନିଷ୍ଠାର ସହ ଏହି ଔଷଧ ପ୍ରସ୍ତୁତ କରାଯାଇଛି। ମହାପ୍ରଭୁଙ୍କ ଏହି ମହୌଷଧୀରେ ୩ କିଲୋରୁ ଅଧିକ ଚେରମୂଳି ବ୍ୟବହୃତ ହୋଇଛି। ବିଭିନ୍ନ ଭକ୍ତ ଓ କିଛି ଆୟୁର୍ବେଦ ଔଷଧ ଦୋକାନରୁ ଏହି ଦୁର୍ଲଭ ଚେରମୂଳିକୁ ବୈଦ୍ୟମାନେ ସଂଗ୍ରହ କରିଛନ୍ତି। ଧନ୍ୱନ୍ତରୀ ଆୟୁର୍ବେଦ ଶାସ୍ତ୍ର ଆଧାରରେ ଏହି ମୋଦକ ପ୍ରସ୍ତୁତ ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe