ପଦ୍ମବେଶରେ ଦର୍ଶନ ‌ଦେଲେ ମହାପ୍ରଭୁ, ଦୁର୍ଲଭ ବେଶ ଦର୍ଶନ ପାଇଁ ଶ୍ରୀମନ୍ଦିରରେ ଭକ୍ତଙ୍କ ଭିଡ଼

Advertisment
ପଦ୍ମବେଶରେ ଦର୍ଶନ ‌ଦେଲେ ମହାପ୍ରଭୁ, ଦୁର୍ଲଭ ବେଶ ଦର୍ଶନ ପାଇଁ ଶ୍ରୀମନ୍ଦିରରେ ଭକ୍ତଙ୍କ ଭିଡ଼

ପୁରୀ :‌ ଶ୍ରୀମନ୍ଦିରରେ ଆଜି ମହାପ୍ରଭୁଙ୍କ ପଦ୍ମବେଶ ଅନୁଷ୍ଠିତ ହୋଇଯାଇଛି। ତିନି ଠାକୁର ଆଜି ରତ୍ନ ସିଂହାସନରେ ପଦ୍ମବେଶରେ ଭକ୍ତମାନଙ୍କୁ ଦର୍ଶନ ଦେଇଛନ୍ତି। ଏ ନେଇ ଆଜି ଶ୍ରୀମନ୍ଦିରରେ ସ୍ବତନ୍ତ୍ର ନୀତି ଅନୁଷ୍ଠିତ ହେବା ସହ ଭକ୍ତଙ୍କ ଭିଡ଼ ଦେଖିବାକୁ ମିଳିଥିଲା। ଏହି ଦୁର୍ଲଭ ବେଶରେ ମହାପ୍ରଭୁ ଆସନ୍ତାକାଲି ମଙ୍ଗଳ ଆଳତି ପର୍ଯ୍ୟନ୍ତ ବି‌ ଦର୍ଶନ ଦେବେ।

ପ୍ରଚଳିତ ପରମ୍ପରା ଅନୁଯାୟୀ ମାଘମାସ ଶୁକ୍ଳ ପ୍ରତିପଦା ଠାରୁ ବସନ୍ତ ପଞ୍ଚମୀ ମଧ୍ୟରେ ବୁଧବାର କିମ୍ବା ଶନିବାରରେ ମହାପ୍ରଭୁଙ୍କ ପଦ୍ମବେଶ ଅନୁଷ୍ଠିତ ହୋଇଥାଏ। ଚନ୍ଦନଲାଗି ବଢ଼ିବା ପରେ ବଡ଼ସିଂହାର ନୀତିରେ ଏହି ବେଶ କରାଯାଇଥିଲା। ପଦ୍ମବେଶରେ ଠାକୁରମାନଙ୍କର ପହୁଡ଼ ନୀତି ଅନୁଷ୍ଠିତ ହୋଇଥିଲା। ଏହି ଅବସରରେ ବଡ଼ଛତା ମଠ ପକ୍ଷରୁ କୁଶଳୀ ପାରମ୍ପରିକ କାରିଗରମାନଙ୍କ ଦ୍ବାରା ସୋଲ, ଜରି, କଦଳିପଟ, କନା, କଇଥ ଅଠା ଓ ରଙ୍ଗ ସାହାଯ୍ୟରେ ପଦ୍ମ ଫୁଲ ଓ କଢ଼ିମାନ ପ୍ରସ୍ତୁତ ହୋଇ ଠାକୁରମାନଙ୍କୁ ଲାଗି କରାଯାଇଥାଏ।

ଏହି ବେଶ ପାଇଁ ସୋଲରେ ନିର୍ମିତ ପଦ୍ମ ପାଖୁଡ଼ାର ତିନିଟି ମୁଖା ତିଆରି ହୋଇଥିଲା। ମୁଖା ସହିତ ଚୁଳ ଓ କୀରିଟ ଲାଗିଥିଲା। ଶ୍ରୀଭୁଜରେ ପଦ୍ମକଳିକା ଲାଗି ହୋଇଥିଲା। ଜଳାଶୟର ସୂଚନା ସହିତ ସିଂହାସନ ଉପରେ ଦୁଇପଟେ ହଂସ ଶୋଭା ପାଇଥିଲେ। କରରେ କରପଲ୍ଲଭ, ହୃଦୟରେ ହୃଦ ପଦକ, ଶ୍ରୀପୟର ମାଳା, ଫୁଲର ଝୁମ୍ପା, ଫୁଲର ଚିତା ଠାକୁରମାନଙ୍କୁ ଲାଗି କରାଯାଇଥିଲା। ସିଂଘାରୀ ସେବକମାନଙ୍କ ସହିତ ଖୁଣ୍ଟିଆ, ଚାଙ୍ଗଡ଼ା, ଗରାବଡ଼ୁ ପ୍ରଭୃତି ସେବକମାନେ ମହାପ୍ରଭୁଙ୍କ ଏହି ଦୁର୍ଲଭ ବେଶ କରିବାରେ ସହଯୋଗ କରିଥିଲେ। ବଡ଼ଛତା ମଠ ତରଫରୁ ପ୍ରଦତ୍ତ ଦ୍ରବ୍ୟରେ ଶ୍ରୀମନ୍ଦିର କୋଠଭୋଗ ଚୁଲିରେ ପ୍ରସ୍ତୁତ ପଦ୍ମକେଶରୀ ଚାଉଳର ଖିରି ଓ ଅମାଲୁ ଠାକୁରମାନଙ୍କୁ ଭୋଗ କରାଯାଇଥିଲା। ଭକ୍ତ ମନୋହର ଦାସଙ୍କ ସ୍ମୃତିରେ ଏହି ବେଶ କରାଯାଉଥିବା କିମ୍ବଦନ୍ତୀ ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe