୨୦୨୦ରେ ପ୍ରଭୁଙ୍କ ‘ରଘୁନାଥ ବେଶ’

Advertisment

୧୧୫ ବର୍ଷ ପରେ ପ୍ରଭୁଙ୍କ ଦୁର୍ଲଭ ବେଶ

୧୧୫ ବର୍ଷ ପରେ ପ୍ରଭୁଙ୍କ ଦୁର୍ଲଭ ବେଶ

୨୦୨୦ରେ ପ୍ରଭୁଙ୍କ ‘ରଘୁନାଥ ବେଶ’

ଭୁବନେଶ୍ବର : ୨୦୨୦ ମସିହାରେ ଶ୍ରୀମନ୍ଦିରରେ ଅନୁଷ୍ଠିତ ହେବ ଦୁର୍ଲଭ ରଘୁନାଥ ବେଶ। ୧୧୫ ବର୍ଷ ପରେ ପ୍ରଭୁଙ୍କୁ ଏହି ବିରଳ ବେଶରେ ଦର୍ଶନ କରିବାର ଅବକାଶ ଜୁଟିବ। ହୀରା, ନୀଳା, ମୋତି, ମାଣିକରେ ସଜେଇ ହେବେ ଚତୁର୍ଧା ମୂର୍ତି। ରାମ ଅଭିଷେକ ସମୟର ବିରଳ ଦରବାର ଦୃଶ୍ୟ ଶୋଭା ପାଇବ। ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନର ମୁଖ୍ୟ ପ୍ରଶାସକ ପ୍ରଦୀପ୍ତ କୁମାର ମହାପାତ୍ର ଏନେଇ ସୂଚନା ଦେଇଛନ୍ତି।
ନୀଳାଦ୍ରି ଆଧ୍ୟାତ୍ମିକ ଟ୍ରଷ୍ଟ୍‌ ଏବଂ ‘ନାଲ୍‌କୋ ନଗର ମନ୍ଦିର କମିଟି’ ମିଳିତ ଆନୁକୂଲ୍ୟରେ ଆୟୋଜିତ ଏକ ବିଶେଷ ଉତ୍ସବରେ ଯୋଗଦେଇ ସେ କହିଛନ୍ତି ଯେ, ଏଥିପାଇଁ ଆମକୁ ଏବେଠୁ ସଂକଳ୍ପ ନେଇ ଆଗେଇବାକୁ ପଡ଼ିବ। ଏଥିସହ ଆସନ୍ତା ୩ରୁ ୪ ମାସ ମଧ୍ୟରେ ନୀତି ସବ୍‌ କମିଟିରେ ଏ ବିଷୟରେ ଆଲୋଚନା କରାଯିବ। ୧୯୦୫ ମସିହାରେ ଏହି ବେଶ ଶେଷଥର ପାଇଁ ଅନୁଷ୍ଠିତ ହୋଇଥିବା ବେଳେ ଏତେ ସଂଖ୍ୟକ ଭକ୍ତଙ୍କ ସମାଗମ ହୋଇଥିଲା ଯେ ଏହାକୁ ସମ୍ଭାଳି ହୋଇ ନଥିଲା। ତେଣୁ ଆଜିର ଦିନରେ ମଧ୍ୟ ଯେମିତି ଏହି ବେଶ ଦର୍ଶନକୁ ଶୃଙ୍ଖଳିତ ଭାବେ ପରିଚାଳନା କରାଯିବ ସେନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସମସ୍ତ ପଦକ୍ଷେପ ନିଆଯିବ। ଏଥିପାଇଁ ଏବେଠୁ ପ୍ରସ୍ତୁତି କରିବାକୁ ପଡ଼ିବ ବୋଲି ସେ କହିଛନ୍ତି। ଏଥିସହିତ ଏହି ବେଶ ସମ୍ବନ୍ଧରେ ଏତେ ଆଲୋଚନାଚକ୍ର ହେବା ଆବଶ୍ୟକ, ଯେମିତି ଆମ ଉପରେ ୨୦୨୦ ମସିହା ବେଳକୁ ଏହି ବେଶ କରିବା ପାଇଁ ଚାପ ପଡ଼ିବ।

ଶ୍ରୀମନ୍ଦିର ରେକର୍ଡ ଅଫ୍‌ ରାଇଟ୍‌ସ, ମାଦଳାପାଞ୍ଜି ଓ ଅନ୍ୟାନ୍ୟ ସୂତ୍ରରୁ ମିଳିଥିବା ସୂଚନା ମୁତାବକ ୧୫୭୭ ମସିହାରେ ରେ ପ୍ରଥମ ଥର ପାଇଁ ଏହି ବେଶ ଅନୁଷ୍ଠିତ ହୋଇଥିଲା। ସେହିଭଳି ୧୭୩୯ ମସିହାରେ ଦ୍ବିତୀୟଥର ଏବଂ ପରେ ୧୮୦୯, ୧୮୩୩, ୧୮୪୨, ୧୮୯୩, ୧୮୯୬ ଏବଂ ୧୯୦୫ ମସିହାରେ ଏହି ବେଶ ଅନୁଷ୍ଠିତ ହୋଇଥିବା ସୂଚନା ମିଳେ। ଇତି ମଧ୍ୟରେ ୯ଥର ବେଶ ଅନୁଷ୍ଠିତ ହୋଇସାରିଛି। ୧୯୬୯ ମସିହାରେ ଏହି ବେଶ ପାଇଁ ବାବା ଜଗତାନନ୍ଦ ଦାସ ଅପିଲ୍ କରିଥିଲେ। କିନ୍ତୁ ଆୟୋଜନରେ ସଫଳ ନହେବାରୁ ବେଶ ସମ୍ଭବ ହୋଇପାରି ନଥିଲା। ୧୯୮୩ ମସିହାରେ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ପ୍ରଶାସନିକ ଅଧିକାରୀ, ସେବାୟତ ଏବଂ ଅନ୍ୟ ଅଧିକାରୀମାନଙ୍କୁ ନେଇ ଏହି ବେଶ କରିବା ପାଇଁ ଆଲୋଚନା ହୋଇଥିଲା। ତାହା ବି ସଫଳ ହୋଇପାରିନଥିଲା। ତେଣୁ ୨୦୨୦ ମସିହାରେ ଯଦି ଏହି ବେଶ ହୁଏ ତେବେ ଦୀର୍ଘ ୧୧୫ ବର୍ଷ ପରେ ଶ୍ରଦ୍ଧାଳୁ ମହାପ୍ରଭୁଙ୍କ ଏହି ବିରଳ ବେଶ ଦର୍ଶନର ସୁଯୋଗ ପାଇବେ।

ଆସନ୍ତା ସପ୍ତାହରେ ଆଉ ୩ଥର ଦିବା ପହୁଡ଼

ଉତ୍ସବରେ ସେ ପ୍ରଭୁଙ୍କ ଦିବା ପହୁଡ଼ ସମ୍ପର୍କରେ ସୂଚନା ଦେଇ କହିଲେ, ପ୍ରଥମ ଥର ପାଇଁ କାର୍ତିକ ମାସରେ ଦିବା ପହୁଡ଼ ହୋଇଥିଲା। ଏଥିପାଇଁ ୩ ଘଣ୍ଟା ନୀତି ବନ୍ଦ ହେବାରୁ କିଛି ଭକ୍ତ ଦର୍ଶନ ନପାଇ ଅସନ୍ତୋଷ ବ୍ୟକ୍ତ କରିଥିଲେ। ତେବେ ଆସନ୍ତା ସପ୍ତାହରେ ଆଉ ୨ରୁ ୩ ଥର ଦିବା ପହୁଡ଼ ହେବ‌ ବୋଲି ସେ କହିଛନ୍ତି। ଏଥିସହ ସେ ସୁପ୍ରମିକୋର୍ଟଙ୍କ ନିର୍ଦେଶ କାର୍ଯ୍ୟକାରୀ କରାଯାଉଥିବା ନେଇ ସୂଚନା ଦେବା ସହିତ ଆସନ୍ତା ୫ରୁ ୬ ମାସ ମଧ୍ୟରେ ବହୁତ କିଛି ପରିବର୍ତନ ଆସିବ ବୋଲି ସୂଚନା ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe