ଭାଙ୍ଗିଗଲା ଝାରସୁଗୁଡ଼ା ଜିଲ୍ଲା ବେଲପାହାଡ଼ରୁ ସୁନ୍ଦରଗଡ଼ ଜିଲ୍ଲା ହେମଗିରକୁ ସଂଯୋଗ କରୁଥିବା ଲୋଟସ୍‌ ବ୍ରିଜ୍‌

ଭାଙ୍ଗିଗଲା ଝାରସୁଗୁଡ଼ା ଜିଲ୍ଲା ବେଲପାହାଡ଼ରୁ ସୁନ୍ଦରଗଡ଼ ଜିଲ୍ଲା ହେମଗିରକୁ ସଂଯୋଗ କରୁଥିବା ଲୋଟସ୍‌ ବ୍ରିଜ୍‌

ବ୍ରଜରାଜନଗର : ଦିନ ୧୫ଟା ଯାଇନି। ଯାହା ଆଶଙ୍କା କରାଯାଇଥିଲା ତାହା ସତ ହୋଇଗଲା। ଝାରସୁଗୁଡ଼ା ଜିଲ୍ଲା ବେଲପାହାଡ଼ରୁ ସୁନ୍ଦରଗଡ଼ ଜିଲ୍ଲା ହେମଗିରକୁ ସଂଯୋଗ କରୁଥିବା ଗୁରୁତ୍ୱପୂର୍ଣ୍ଣ ଲୋଟସ ବ୍ରିଜ୍‌ ଭାଙ୍ଗି ପଡ଼ିଲା। ଏକ ଚିପ୍‌ସ ବୋଝେଇ ଟ୍ରକର ଓଜନ ସମ୍ଭାଳି ପାରିଲାନି ଏହି ପୁରୁଣା ବ୍ରିଜ୍‌। ଅଧାରୁ ଦବିଗଲା। ସୌଭାଗ୍ୟବଶତଃ କୌଣସି ଧନଜୀବନ କ୍ଷତି ସିନା ହେଲାନି, ମାତ୍ର ଏଠାରେ ଏକ ବଡ଼ ଅଘଟଣ ଟଳିଗଲା ବୋଲି ଆଲୋଚନା ହେଉଛି।

ସୂଚନାଯୋଗ୍ୟ ବେଲପାହାଡ଼ ଓ ହେମଗିର ଦେଇ ଝାରସୁଗୁଡ଼ା ଓ ସୁନ୍ଦରଗଡ଼ ଜିଲ୍ଲା ମଧ୍ୟରେ ଏକ ସିଧାସଳଖ, ଅଭ୍ୟନ୍ତର ରାସ୍ତା ରହିଛି। ଏହି ରାସ୍ତାରେ ପଡେ ଲୋଟସ୍‌ ନାଳ ଓ ଏହା ଉପରେ ଥିବା ବ୍ରିଜ୍‌କୁ ଲୋଟସ୍‌ ବ୍ରିଜ୍‌ କୁହାଯାଏ। ଲଖନପୁର ବ୍ଲକ୍‌ ଗ୍ରିନଡୋଲା ପଞ୍ଚାୟତ ଅନ୍ତର୍ଗତ ଏହି ବ୍ରିଜ୍‌ଟି ବେଲପାହାଡ଼ ବନ ବିଭାଗ କାର୍ଯ୍ୟାଳୟ ନିକଟ ଛକରୁ ୫ କିମି ଦୂରରେ ରହିଛି। ୧୯୯୬ରେ ଏମ୍‌ସିଏଲ୍‌ ପରିଚାଳିତ ବସୁନ୍ଧରା ଖଣି କର୍ତୃପକ୍ଷ ଏହି ବ୍ରିଜ୍‌ଟିର ନିର୍ମାଣ କରାଇଥିଲେ। ବୋର୍ଡର ରୋଡ୍‌ ଅର୍ଗନାଇଜେସନ୍‌ (ବିଆରଓ) ଏହାର ନିର୍ମାଣ କରିଥିଲା।

ତେବେ ଗତ ୧୩ ତାରିଖ ‘ସମ୍ବାଦ’ରେ ଏହି ବ୍ରିଜ୍‌ର ଦୁରବସ୍ଥା ନେଇ ‘ବିପଦ ଡାକୁଛି ଲୋଟସ୍‌ ବ୍ରିଜ୍‌’ ଶୀର୍ଷକ ରିପୋର୍ଟ ପ୍ରକାଶ ପାଇଥିଲା। ତେବେ ଏହାକୁ ବିପଦସଂକୁଳ ଘୋଷଣା କରାଯାଇନଥିଲା କି ଏହାର ସ୍ଥାୟିତ୍ୱ କଥା କେହି ଚିନ୍ତା କରିନଥିଲେ। ଶନିବାର ରାତିରେ ଏହା ଉପରେ ଏକ ଚିପ୍‌ସ ବୋଝେଇ ଟ୍ରକ୍‌ ଯାଉଥିବା ବେଳେ ଭାଙ୍ଗି ଯାଇଛି। ରଶି ସାହାଯ୍ୟରେ ଟ୍ରକ୍‌ଟିକୁ ଉପରକୁ ଟଣା ଯାଇଥିବା ବେଳେ ଚିପ୍‌ସ ସବୁ ଭଙ୍ଗା ବିି୍ରଜ୍‌ ଉପରେ ପଡ଼ିଛି। ଡ୍ରାଇଭର ଜଣକ ଅଳ୍ପକେ ରକ୍ଷା ପାଇ ଯାଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe