ନାବାଳିକା ପ୍ରେମିକା ସହ ବିଷପାନ କଲା ପ୍ରେମିକ, ଡାକ୍ତରଖାନା ନେବା ବାଟରେ ମୃତ୍ୟୁ

Advertisment
ନାବାଳିକା ପ୍ରେମିକା ସହ ବିଷପାନ କଲା ପ୍ରେମିକ, ଡାକ୍ତରଖାନା ନେବା ବାଟରେ ମୃତ୍ୟୁ

ଝରିଗାଁ: ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକ କଟ୍ରିଛାପର ପଂଚାୟତର ଗୌଡ଼ଗୁଡା ଗ୍ରାମରେ ଗତକାଲି ରାତିରେ ପ୍ରେମୀ ଯୁଗଳ ବିଷପାନ କରି ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ସୂଚନାନୁଯାୟୀ ଗୌଡ଼ଗୁଡା ଗ୍ରାମର କାମସିଂ ଗୌଡ଼ଙ୍କର ଦ୍ୱିତୀୟ ପୁଅ ଇନ୍ଦ୍ର ଗୌଡ଼ (୧୯)ଙ୍କ ସେହି ଗ୍ରାମର ଜଣେ ନାବାଳିକା ସହ ବହୁ ଦିନ ଧରି ପ୍ରେମ ସମ୍ପର୍କ ରହିଥିଲା। ଗତ ୧୫ଦିନ ତଳେ ଦୁହେଁ ମିଶି ଫେରାର ହୋଇଯାଇଥିଲେ। କିଛି ଦିନ ପରେ ପୁଣି ଦୁହେଁ ଗୌଡ଼ଗୁଡା ଗ୍ରାମକୁ ଆସି ନିଜ ସମ୍ପର୍କୀୟ ଘରେ ରହି ଆସୁଥିଲେ। ପରେ ଗ୍ରାମରେ ଉଭୟ ପକ୍ଷର ଲୋକ ଓ ଗ୍ରାମର ଭଦ୍ର ଲୋକ ମିଶି ଏକ ବୈଠକ କରି ନାବାଳିକା ଝିଅର ବୟସ ହେବା ପରେ ଦୁହିଁଙ୍କ ବିବାହ କରିବା ପାଇଁ ନିଷ୍ପତ୍ତି ନେଇଥିଲେ।

ବିବାହ ପାଇଁ ଉଭୟ ପୁଅ ଓ ଝିଅର ପରିବାର ସଦସ୍ୟ ମଧ୍ୟ ସହମତି ପ୍ରକାଶ କରିଥିଲେ। ବୈଠକରେ ନିଷ୍ପତ୍ତି ନେବାପରେ ଉଭୟ ପୁଅ ଓ ଝିଅ ଘରଲୋକେ ହସଖୁସିରେ ରହି ଆସୁଥିଲେ। ଅନ୍ୟପକ୍ଷରେ ସେହି ଗୌଡ଼ଗୁଡା ଗ୍ରାମରେ ଗତକାଲି ପବିତ୍ର ଗୌଡ଼ଙ୍କ ଝିଅର ବାହାଘର କାର୍ଯ୍ୟକ୍ରମ ଚାଲିଥିଲା। ବାହାଘର କାର୍ଯ୍ୟକ୍ରମରେ କାମସିଂ ଗୌଡ଼ଙ୍କ ପରିବାର ଯାଇଥିବା ବେଳେ ପୁଅ ଇନ୍ଦ୍ର ଏବଂ ନାବାଳିକା ଦୁହେଁ ମିଶି ରାତିରେ ଘରେ ରହିଥିଲେ। କାମସିଂଙ୍କ ପରିବାର ବିଳମ୍ବିତ ରାତିରେ ଘରେ ପହଂଚିବା ବେଳେ ଦେଖିଲେ ଯେ ପୁଅ ଇନ୍ଦ୍ର ବାନ୍ତି କରି ଅଚେତ ଅବସ୍ଥାରେ ପଡିଛି। କିଛି ସମୟ ପରେ ନାବାଳିକା ବୋହୂ ମଧ୍ୟ ବାନ୍ତି କରି ଅଚେତ ଅବସ୍ଥାରେ ପଡ଼ିଥିବା ଦେଖିଥିଲେ। ଶେଷରେ ପରିବାର ଗ୍ରାମର ଏକ ଅଟୋରେ ଦୁହିଁଙ୍କୁ ଗୁରୁତର ଅବସ୍ଥାରେ ଝରିଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନିଆଯିବା ବାଟରେ ମୃତ୍ୟୁ ହୋଇଥିଲା।

ଘଟଣା ନେଇ ଉଭୟ ପକ୍ଷରୁ ଝରିଗାଁ ଥାନାରେ ଏତଲା ଦେବାପରେ ସ୍ଥାନୀୟ ପୁଲିସ ଓ ମାଜିଷ୍ଟ୍ରେଟ ତଥା ଝରିଗାଁ ତହସିଲଦାର ହୃଷିକେଶ ଗଣ୍ଡଙ୍କ ଉପସ୍ଥିତରେ ଶବ ବ୍ୟବଛେଦ କରି ପରିବାରକୁ ହସ୍ତାନ୍ତର କରିଥିଲେ। ତେବେ ଦୁଇ ପ୍ରେମୀ ଯୁଗଳଙ୍କ ପରିବାର ସଦସ୍ୟଙ୍କ ସହମତିରେ ମିଳନ ସମ୍ଭବପର ହେବାକୁ ଯାଉଥିବାବେଳେ କେଉଁ ପରିସ୍ଥିତିରେ ଦୁହେଁ ବିଷପାନ କରି ଆତ୍ମହତ୍ୟା କରିଥିଲେ ତାହା ସ୍ପଷ୍ଟ ହୋଇନାହିଁ। ଝରିଗାଁ ପୁଲିସ ଦୁଇଟି ଅପମୃତ୍ୟୁ ମାମଲା ରୁଜ୍ଜୁ କରି ଘଟଣାର ତଦନ୍ତ ଜାରି ରଖିଛନ୍ତି। ଦୁଇପ୍ରେମୀଙ୍କ ମୃତ୍ୟୁ ଖବର ପ୍ରଚାର ହେବା ପରେ ଗୌଡ଼ଗୁଡା ଗ୍ରାମରେ ଶୋକର ଛାୟା ଖେଳିଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe