ମହିଳା ହୋମଗାର୍ଡଙ୍କୁ ପ୍ରେମ, ପ୍ରତାରଣା: ମାମଲା ରଫାଦଫା ପାଇଁ ଚାପ!

ମହିଳା ହୋମଗାର୍ଡଙ୍କୁ ପ୍ରେମ, ପ୍ରତାରଣା ଘଟଣା ଏବେ ନୂଆ ମୋ଼ଡ଼ ନେଇଛି। ମହିଳା ହୋମଗାର୍ଡ ଆଜି ଗଣମାଧ୍ୟମରେ ସଙ୍ଗିନ ଅଭିଯୋଗ ଆଣିଛନ୍ତି। ସେ କହିଛନ୍ତି ଯେ ମାମଲା ରଫାଦଫା ପାଇଁ ତାଙ୍କ ଉପରେ ଚାପ ପକାଯାଉଥିଲା।

sdsdcx

ଜଗତସିଂହପୁର: ମହିଳା ହୋମଗାର୍ଡଙ୍କୁ ପ୍ରେମ, ପ୍ରତାରଣା ଘଟଣା ଏବେ ନୂଆ ମୋ଼ଡ଼ ନେଇଛି। ମହିଳା ହୋମଗାର୍ଡ ଆଜି ଗଣମାଧ୍ୟମରେ ସଙ୍ଗିନ ଅଭିଯୋଗ ଆଣିଛନ୍ତି। ସେ କହିଛନ୍ତି ଯେ ମାମଲା ରଫାଦଫା ପାଇଁ ତାଙ୍କ ଉପରେ ଚାପ ପକାଯାଉଥିଲା। ମୋଟା ଅଙ୍କର ଟଙ୍କା ବି ଯଚା ଯାଇଥିଲା। ଏମିତିକି ଜୀବନରୁ ମାରି ଦେବାକୁ ଧମକ ଦିଆଯାଇଥିଲା ବୋଲି ସେ ଅଭିଯୋଗ କରିଛନ୍ତି।
ସେ କହିଛନ୍ତି ଯେ ଶନିବାର ହ୍ବାଟସ୍‌ଆପ୍ କଲ୍ ମାଧ୍ୟମରେ ଡିଆଇବି ଅଫିସରେ କାର୍ଯ୍ୟରତ କନେଷ୍ଟବଳ ସବ୍ୟସାଚୀ ମହାନ୍ତି ତାଙ୍କୁ ନବକୃଷ୍ଣ ଚୌଧୁରୀ ଷ୍ଟାଡିୟମ୍ ନିକଟକୁ ଡକାଇଥିଲେ। ଫୋନ୍ କଲ୍ ପାଇ ସେ ଷ୍ଟାଡିୟମ ଯାଇଥିଲେ। ଅତିରିକ୍ତ ଏସ୍‌ପି ତାଙ୍କୁ ପଠାଇଛନ୍ତି ବୋଲି ସେ କହିଥିବା ଅଭିଯୋଗ କରିଛନ୍ତି। 

ପୀଡ଼ିତାଙ୍କ କହିବା ଅନୁସାରେ କନେଷ୍ଟବଳ ତାଙ୍କୁ କହିଥିଲେ, ୨୫ ଲକ୍ଷ କି ୨୭ ଲକ୍ଷ ଟଙ୍କା ନିଅ। ତପନ ସାର (ତପନ କୁମାର ନାହାକ, ଅଭିଯୁକ୍ତ ଇନ୍‌ସ୍ପେକ୍ଟର) ଟଙ୍କା ଦେବେ। ମାମଲା ବନ୍ଦ କରିଦିଅ। ନ ହେଲେ ଚାକିରିରୁ ବିଦା କରିଦିଆଯିବ। ଜୀବନ ପ୍ରତି ବିପଦ ଥିବା ମଧ୍ୟ ସେ କହିଛନ୍ତି। ମହିଳା ହୋମଗାର୍ଡ କହିଛନ୍ତି, ମୋ ବାପା, ମା’ଙ୍କ ସହ କୌଣସି ସମ୍ପର୍କ ନଥିବା ବେଳେ ଗତକାଲି ମୋ ଘରକୁ ଦୁଇଜଣ ଅଜଣା ବ୍ୟକ୍ତି ଯାଇ ଧମକ ଦେଇଛନ୍ତି। ତମ ଝିଅକୁ କୁହ ମାମଲା ରଫାଦଫା କରିଦେବ। ନ ହେଲେ ତମକୁ ଓ ଝିଅକୁ ଜୀବନରୁ ମାରିଦେବୁ।  

ଅତିରିକ୍ତ ଏସ୍‌ପିଙ୍କ ନାଁ ନେଇ ଡିଲ୍  
ଜୀବନ ପ୍ରତି ବିପଦ ଥିବା କହିଲେ ମହିଳା ହୋମଗାର୍ଡ
ଯଚା ଯାଇଥିଲା ୨୭ ଲକ୍ଷ ଟଙ୍କା 
ଅଭିଯୁକ୍ତଙ୍କ ବିରୋଧରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନିଆଯାଇଛି: ଏସ୍‌ପି

ଏ ସମ୍ପର୍କରେ ଏସ୍‌ପି ଭବାନୀ ଶଙ୍କର ଉଦ୍‌ଗାତା କହିଛନ୍ତି ଯେ ଅଭିଯୋଗ ସମ୍ପୂର୍ଣ୍ଣ ଭିତ୍ତିହୀନ। ପୀଡ଼ିତା ଏତଲା ଦେବା ପରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନିଆଯାଇଛି। ଅଭିଯୁକ୍ତ ଇନ୍‌ସ୍ପେକ୍ଟରଙ୍କୁ ଗିରଫ କରାଯାଇଛି। ଯେଉଁ ଅତିରିକ୍ତ ଏସ୍‌ପିଙ୍କ କଥା କୁହାଯାଉଛି ତାଙ୍କୁ ପଚରାଉଚରା କରାଯିବ। ଇନ୍‌ସ୍ପେକ୍ଟର ତପନ ନାହାକ ପ୍ରାୟ ଦେଢ଼ ବର୍ଷରେ ଦୁଇ ଥର ଚାକିରିରୁ ନିଲମ୍ବିତ ହେଲେଣି। ୨୦୨୩ ଅଗଷ୍ଟରେ କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ଥାନାର ଦୁଇ ଜଣ ହୋମଗାର୍ଡ ପୁଲିସ ଗା଼ଡ଼ିରେ ଗଞ୍ଜେଇ ଭର୍ତ୍ତି କରି ବିକ୍ରି କରିବାକୁ ଯାଉଥିବା ଅଭିଯୋଗ ହୋଇଥିଲା। ତତ୍କାଳୀନ ଆଇଆଇସି ତପନ ନାହାକଙ୍କ ନିର୍ଦ୍ଦେଶରେ ଗଞ୍ଜେଇ କାରବାର ହେଉଥିବା ଲୋକେ ଅଭିଯୋଗ କରି ୨୦୨୩ ଅଗଷ୍ଟ ୫ରେ ରାଜରାସ୍ତାକୁ ଓହ୍ଲାଇଥିଲେ। ଫୁଲବାଣୀ-ବାଲିଗୁଡ଼ା ରାସ୍ତା ଅବରୋଧ କରି ଆନ୍ଦୋଳନ କରୁଥିବା ବେଳେ ଫିରିଙ୍ଗିଆ ଥାନାକୁ ପୋଡ଼ି ଦେଇଥିଲେ। ଏହାକୁ ନେଇ ବ୍ୟାପକ ଆଇନଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହୋଇଥିଲା। ଏହି ଘଟଣାରେ ଆଇଆଇସି ତପନ ନାହାକଙ୍କୁ କାର୍ଯ୍ୟରୁ ନିଲମ୍ବିତ କରାଯାଇଥିଲା। କୁଜଙ୍ଗ ଥାନା ଆଇଆଇସି ଥିବା ବେଳେ ମହିଳା ହୋମଗାର୍ଡଙ୍କ ସହ ପ୍ରେମ, ପ୍ରତାରଣା ମହଙ୍ଗା ପଡ଼ିଛି। ପୁଲିସ ତାଙ୍କୁ ଗିରଫ କରି ଜେଲ ହାଜତକୁ ପଠାଇଥିବା ବେଳେ ଚାକିରିରୁ ନିଲମ୍ବିତ କରାଯାଇଛି। ପ୍ରାୟ ଦେଢ଼ ବର୍ଷ ବ୍ୟବଧାନରେ ଜଣେ ଇନ୍‌ସ୍ପେକ୍ଟର ଦୁଇ ଥର ନିଲମ୍ବିତ ହେବା ଘଟଣା ପୁଲିସ ଇତିହାସରେ ବିରଳ ବୋଲି କୁହାଯାଉଛି। ସେପଟେ ଏଭଳି ଜଣେ ଅଫିସରଙ୍କ ବଦଳି ବାତିଲକୁ ନେଇ ବିବାଦ ମୁଣ୍ଡ ଟେକିଛି। ଶାସକ ଦଳ ନେତାଙ୍କ ଚାପରେ ବଦଳି ବାତିଲ କରାଯାଇଥିବା ଅଭିଯୋଗ ହେବା ପରେ ସନ୍ଦେହ ବଢ଼ିବାରେ ଲାଗିଛି। ଇନ୍‌ସ୍ପେକ୍ଟରଙ୍କର ପୁରୀ ବଦଳି ହୋଇଥିବା ବେଳେ କାହା ମାଧ୍ୟମରେ ବାତିଲ କରାଗଲା, ତାକୁ ନେଇ ଚର୍ଚ୍ଚା ଚାଲିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe