ଫେସ୍‌ବୁକ୍‌ରୁ ବନ୍ଧୁତା, ପ୍ରେମ…:ଯୁବତୀଙ୍କୁ ପ୍ରତାରଣା କରି ଡାକ୍ତର ଗିରଫ

Advertisment
ଫେସ୍‌ବୁକ୍‌ରୁ ବନ୍ଧୁତା, ପ୍ରେମ…:ଯୁବତୀଙ୍କୁ ପ୍ରତାରଣା କରି ଡାକ୍ତର ଗିରଫ

OrissaPOST

ବିଶୋଇ: ଜଣେ ଡାକ୍ତର, ଆଉଜଣେ ଏମ୍‌ଟେକ୍‌ ପଢ଼ୁଆ ଯୁବତୀ। ଫେସ୍‌ବୁକ୍‌ରୁ ପ୍ରେମ। ବିବାହର ପ୍ରତିଶ୍ରୁତି ଦେଇ ଶାରୀରିକ ସଂପର୍କ। ପରେ ଯୁବତୀ ଜଣକ ପ୍ରତାରଣାର ଶିକାର ହେଲେ। ଯାହା ଡାକ୍ତରଙ୍କୁ ମହଙ୍ଗା ପଡ଼ିଛି। ସେ କୋର୍ଟ ଚାଲାଣ ହୋଇଛନ୍ତି। ଏପରି ଏକ ଘଟଣା ଘଟିଛି ମୟୂରଭଞ୍ଜ ଜିଲ୍ଲା ବିଶୋଇ ଥାନା ଅଞ୍ଚଳରେ।

ମୟୂରଭଞ୍ଜ ଜିଲ୍ଲା ଖୁଣ୍ଟା ଥାନା ଅନ୍ତର୍ଗତ ସାହାରାବେଡ଼ା ଗ୍ରାମର ଡା. ବଳରାମ ଟୁଡୁ (୩୧) ବିଶୋଇ ବ୍ଲକ୍‌ ସୁଲେଇପାଟ ପ୍ରାଥମିକ ଚିକିତ୍ସାଳୟରେ କାର୍ଯ୍ୟରତ ଥିଲେ। ୨୦୨୦ ମସିହ‌ାର କଥା‌...। ଭୁବନେଶ୍ୱରର ଏକ ଘରୋଇ ଇଞ୍ଜିନିୟରିଂ କଲେଜରେ ଏମ୍‌ଟେକ୍‌ ପଢ଼ୁଥିବା ବିଶୋଇ ଥାନା ଅଞ୍ଚଳର ୨୮ ବର୍ଷୀୟ ଜଣେ ଛାତ୍ରୀଙ୍କ ସହ ତାଙ୍କର ଫେସ୍‌ବୁକ୍‌ରୁ ବନ୍ଧୁତା ବଢ଼ିଥିଲା। ପରେ ସେମାନଙ୍କ ମଧ୍ୟରେ ଥିବା ବନ୍ଧୁତା ପ୍ରେମରେ ପରିଣତ ହୋଇଥିଲା। ଶ୍ରୀ ଟୁଡୁ ବିବାହର ପ୍ରତିଶ୍ରୁତି ଦେଇ ଯୁବତୀଙ୍କ ସହ ଶାରୀରିକ ସମ୍ପର୍କ ରଖିଆସୁଥିଲେ।

ଜଣାପଡ଼ିଲା, ଯୁବତୀ ଜଣକ ଗର୍ଭବତୀ ହୋଇଛନ୍ତି। କିଛି ଉପାୟ ନ ପାଇ ଶ୍ରୀ ଟୁଡୁ ଗର୍ଭ ନଷ୍ଟ କରାଇଥିଲେ ଏବଂ ଯୁବତୀଙ୍କ ଠାରୁ ଦୂରେଇ ଯାଇଥିଲେ। ହେଲେ ଯୁବତୀ ଜଣକ ଶ୍ରୀ ଟୁଡୁଙ୍କୁ ବିବାହ ପାଇଁ ଜିଦ୍‌ ଧରିଥିଲେ। ଫଳରେ ଶ୍ରୀ ଟୁଡୁ ଯୁବତୀଙ୍କୁ ପୁରୀ ଡାକି ନେଇ ଅନ୍ୟତ୍ର ବିବାହ ଠିକ୍‌ ହୋଇଯାଇଛି, ଏବେ ସେ ତାଙ୍କ ଠାରୁ ଦୂରେଇ ଯାଆନ୍ତୁ ବୋଲି କହିଥିଲେ। ହେଲେ ଯୁବତୀ ଜଣକ କିଛି ଶୁଣି ନ ଥିଲେ। ତେଣୁ ସେ ବାଧ୍ୟ ହୋଇ ଶ୍ରୀ ଟୁଡୁଙ୍କ ସାହାରାବେଡ଼ା ସ୍ଥିତ ଘରକୁ ଯାଇ ପରିବାର ଲୋକଙ୍କୁ ସବୁକଥା କହିଥିଲେ। କିନ୍ତୁ ଶ୍ରୀ ଟୁଡୁଙ୍କ ପରିବାର ଲୋକ ଯୁବତୀଙ୍କ କଥା ନ ଶୁଣି ଓଲଟା ଧମକଚମକ ଦେଇଥିଲେ।

ଏପରି ସମୟରେ ଯୁବତୀ ଜଣକ କିଛି ଉପାୟ ନ ପାଇ ଫେବ୍ରୁଆରି ୨୧ ତାରିଖ ଦିନ ଶ୍ରୀ ଟୁଡୁଙ୍କ ନାମରେ ବିଶୋଇ ଥାନାରେ ଏତଲା ଦେଇଥିଲେ। ଫଳରେ ୨୭/୨୨ରେ ଏକ ମାମଲା ରୁଜୁ ହେବା ସହ ଥାନା ଅଧିକାରୀ ଫଣୀନ୍ଦ୍ରଭୂଷଣ ନାଏକଙ୍କ ତତ୍ତ୍ୱାବଧାନରେ ଏସ୍‌ଆଇ କୁମୁଦ ବାଗ ଘଟଣାର ତଦନ୍ତ ଆରମ୍ଭ କରିଥିଲେ। ଶେଷରେ ଅଭିଯୁକ୍ତ ଡାକ୍ତର ଶ୍ରୀ ଟୁଡୁଙ୍କୁ ପୁଲିସ ଗିରଫ କରିଥିଲା ଏବଂ ଗତ ୧୩ ତାରିଖ ଦିନ ସେ କୋର୍ଟ ଚାଲାଣ ହୋଇଥିବା ଜଣାପଡ଼ିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe