ଖାଦ୍ୟ ଅନୁପଯୋଗୀ ପିଡିଏସ୍‌ ଚାଉଳ, ଗହମ ଘଟଣା; ନଛୋଡ଼ବନ୍ଧା କେନ୍ଦ୍ର, ଯାଞ୍ଚ ପାଇଁ ଆସୁଛନ୍ତି ୨ ଟିମ୍‌

୯ ଜିଲ୍ଲାର ଚାଉଳର ଗୁଣାତ୍ମକମାନ ସମୀକ୍ଷା କରିବ କେନ୍ଦ୍ରୀୟ ଟିମ୍‌

କଟକ/କେସିଙ୍ଗା: ସାଧାରଣ ବଣ୍ଟନ ବ୍ୟବସ୍ଥାରେ ଦିଆଯାଉଥିବା ଚାଉଳର ମାନକୁ ନେଇ କେନ୍ଦ୍ର ଖାଉଟି କଲ୍ୟାଣ ମନ୍ତ୍ରାଳୟ ପ୍ରଶ୍ନ ଉଠାଇବା ପରେ ତନାଘନା ଆରମ୍ଭ ହୋଇଛି। ଆଜି ରାଜ୍ୟ ଯୋଗାଣ ନିଗମର ଏକ ସ୍ବତନ୍ତ୍ର  ଟିମ୍‌ କଟକ, ଭୁବନେଶ୍ବର ଓ ଢେଙ୍କାନାଳ ଜିଲ୍ଲାରେ ପହଞ୍ଚି ଚାଉଳର ମାନ ପରୀକ୍ଷା ପାଇଁ ନମୁନା ସଂଗ୍ରହ କରିଛନ୍ତି। କେନ୍ଦ୍ରୀୟ ଟିମ୍‌ ଯେଉଁ ଯେଉଁ ଗୋଦାମରୁ ଚାଉଳ ନେଇ ଏଭଳି ରିପୋର୍ଟ ଦେଇଛନ୍ତି, ସେସବୁ ଗୋଦାମର ଚାଉଳ ସଂଗ୍ରହ କରି ପରୀକ୍ଷା ପାଇଁ ପଠାଯିବ ବୋଲି ଜଣାପଡିଛି। ଅନ୍ୟପଟେ ଏହି ଘଟଣାରେ କେନ୍ଦ୍ର ନଛୋଡ଼ବନ୍ଧା ରହିଛି। ଗଚ୍ଛିତ ସମସ୍ତ ଚାଉଳ ଓ ଗହମର ମାନ ନିରୀକ୍ଷଣ ପାଇଁ କେନ୍ଦ୍ର ସରକାରଙ୍କ ଖାଉଟି କଲ୍ୟାଣ ମନ୍ତ୍ରାଳୟ ଦୁଇଟି ଟିମ୍‌ ଗଠନ କରିଛି। ଏହି ଦୁଇଟି ଟିମ୍‌ ଚଳିତ ମାସ ୪ ତାରିଖରୁ ଭୁବନେଶ୍ବର-କଟକର ଏଫ୍‌ସିଆଇ ଅଧୀନରେ ଥିବା ଜିଲ୍ଲା ଅର୍ଥାତ୍‌ କଟକ, କେନ୍ଦ୍ରାପଡା, ଜଗତ୍‌ସିଂହପୁର, ଯାଜପୁର, ପୁରୀ, ଖୋର୍ଦ୍ଧା, ନୟାଗଡ, ଢେଙ୍କାନାଳ ଆଦି ୮ଟି ଜିଲ୍ଲାକୁ ପରିଦର୍ଶନରେ ଆସିବେ ବୋଲି ରାଜ୍ୟ ଯୋଗାଣ ବିଭାଗ ସଚିବଙ୍କୁ ଚିଠି ପଠାଇଥିବା ଜଣାପଡ଼ିଛି। ୪ ଜଣିଆ ଦଳରେ ବିଭକ୍ତ ଏହି ୨ଟି ଟିମ୍‌ରେ ଭୋପାଳ, ଦିଲ୍ଲୀର ଅଧିକାରୀମାନେ ରହିବେ ବୋଲି ଚିଠିରେ ଉଲ୍ଲେଖ କରାଯାଇଛି । ମିଳିଥିବା ସୂଚନା ଅନୁସାରେ, ଏ ସଂକ୍ରାନ୍ତରେ କେନ୍ଦ୍ର ଖାଉଟି ମନ୍ତ୍ରାଳୟର ଡେପୁଟି କମିସନର ବିଶ୍ବଜିତ ହଳଧର ଗତ ୩୧ତାରିଖ ଚିଠିରେ ରାଜ୍ୟ ଯୋଗାଣ ସଚିବଙ୍କୁ ତଦନ୍ତ ସମୟରେ ସମସ୍ତ ସହଯୋଗ କରିବାକୁ ନିର୍ଦେଶ ଦେଇଛନ୍ତି। ଏହି ଟିମ୍‌ରେ ୪ ଜଣ ଲେଖାଏଁ ସଦସ୍ୟ ରହିଛନ୍ତି। ଟିମ୍‌ ‘ଏ’ର ରିଜିଓନାଲ ନିର୍ଦେଶକ ହାଇଦ୍ରାବାଦର ଏମ. ଜେଡ୍‌. ଖାଁ ଏବଂ ଟିମ ‘ବି’ର ଦିଲ୍ଲୀ କ୍ୟୁସିସିର ଅତିରିକ୍ତ ନିର୍ଦେଶକ ଡ. ପ୍ରୀତି ଶୁକ୍ଳା ନେତୃତ୍ୱ ନେଇଛନ୍ତି।

୨ଟି ଟିମ୍‌ ଗଠନ କଲା କେନ୍ଦ୍ର ଖାଉଟି କଲ୍ୟାଣ ମନ୍ତ୍ରାଳୟ
ରାଜ୍ୟ ଯୋଗାଣ ବିଭାଗ ଅଧିକାରୀ ଓ ମିଲର୍ସଙ୍କ ମଧ୍ୟରେ ଭାଳେଣି
କଟକରେ ନମୁନା ସଂଗ୍ରହ କଲା ଯୋଗାଣ ବିଭାଗ ଟିମ୍‌

ଅନ୍ୟପଟେ, କଟକକୁ ରାଜ୍ୟ ଯୋଗାଣ ନିଗମର କ୍ବାଲିଟି ସେଲ୍‌ ଇନ୍‌ଚାର୍ଜ ଦିବାକର ବାରିକଙ୍କ ନେତୃତ୍ବରେ ଆସିଥିବା ୪ଜଣିଆ ଟିମ୍‌ରେ କ୍ବାଲିଟି ଆନାଲିସିଷ୍ଟ ଗଣେଶ ଚନ୍ଦ୍ର ପାଣି, ଆସିଷ୍ଟାଣ୍ଟ୍ ମ୍ୟାନେଜର ସିଲ୍‌କି ମହାନ୍ତି, ଶୁଭଲକ୍ଷ୍ମୀ ସାହୁ ପ୍ରମୁଖ ସିଡବ୍ଲୁସି ଗୋଦାମ ଓ ଜଗତ୍‌ପୁରସ୍ଥତ ଯୋଗାଣ ନିଗମର ନିଜସ୍ବ ଗୋଦାମରୁ ଚାଉଳ ସଂଗ୍ରହ କରିଛନ୍ତି। ଏହି ଚାଉଳର ମାନ ପରୀକ୍ଷା କରାଯିବ ବୋଲି ଜଣାପଡିଛି। ଉକ୍ତ ଟିମ୍‌ ସହ କଟକ ଜିଲ୍ଲାର ଯୋଗାଣ ବିଭାଗ ଅଧିକାରୀମାନେ ମଧ୍ୟ ନମୁନା ସଂଗ୍ରହ ସମୟରେ ଉପସ୍ଥିତି ଥିଲେ।

ଏଠାରେ ସୂଚନାଯୋଗ୍ୟ ଯେ, ଗତ ୨୭ ତାରିଖ ଦିନ କେନ୍ଦ୍ର ଖାଉଟି କଲ୍ୟାଣ ମନ୍ତ୍ରାଳୟ ଚାଉଳ ଅତି ନିମ୍ନମାନର ଏବଂ ଏହା ମଣିଷ ଖାଇବା ଉପଯୋଗୀ ନୁହେଁ ରିପୋର୍ଟ ଦେଇଥିଲେ। ତଦନ୍ତ ରିପୋର୍ଟକୁ ନେଇ ଅଧିକାରୀ ଓ ମିଲର୍ସଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ଯୋଗାଣ ସଚିବଙ୍କୁ ନିର୍ଦେଶ ଦେଇଛନ୍ତି। ଏପରିକି, ସଂପୃକ୍ତ ମିଲ୍‌କୁ କଳା ତାଲିକାଭୁକ୍ତ କରିବା ସହ ଦାୟି‌ତ୍ୱରେ ଥିବା ଅଧିକାରୀଙ୍କ ବିରୋଧରେ ଅତ୍ୟାବଶ୍ୟକ ସାମଗ୍ରୀ ଆଇନ ସଂଶୋଧିତ ୨୦୨୦ ଅନୁଯାୟୀ ମାମଲା ରୁଜୁ ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ଏହାକୁ କେନ୍ଦ୍ର ଓ ରାଜ୍ୟର ଝଗଡ଼ା ବୋଲି ଚର୍ଚ୍ଚା ହେଉଥିବା ବେଳେ କେନ୍ଦ୍ର କିନ୍ତୁ ଏହି ପ୍ରସଙ୍ଗକୁ ନେଇ କଟକରେ ବି ସାଧାରଣ ବଣ୍ଟନ ବ୍ୟବସ୍ଥାରେ ଅନ୍ୟ ଜିଲ୍ଲାରୁ ଚାଉଳ ଆଣି ଦେବା ପାଇଁ ଚିଠିରେ ରାଜ୍ୟ ଯୋଗାଣ ବିଭାଗକୁ ନିର୍ଦ୍ଦେଶ ଦେଇଥିଲେ କେନ୍ଦ୍ରୀୟ ଟିମ୍‌। ‌କିନ୍ତୁ ଖାଉଟିଙ୍କୁ ଏହି ଚାଉଳ ନଦେଇ ଅନ୍ୟ ଜିଲ୍ଲାରୁ ଚାଉଳ ଆଣିବା ସଂପର୍କରେ କୌଣସି ଚିଠି ରାଜ୍ୟ ସରକାରଙ୍କ ପକ୍ଷରୁ ଏଯାଏ ଜିଲ୍ଲାକୁ ଆସି ନଥିବା ଯୋଗାଣ ବିଭାଗ ପକ୍ଷରୁ କୁହାଯାଇଛି। କଟକ ଜିଲ୍ଲାର ପ୍ରାୟ ୧୬ ଲକ୍ଷ ହିତାଧିକାରୀ ଏହି ଚାଉଳ ବ୍ୟବହାର କରି ଆସୁଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe