ଆଉ ଗୋଟିଏ ଘୂର୍ଣ୍ଣିବଳୟ ସୃଷ୍ଟି : ୧୨ ଯାଏଁ ଉତ୍ତରରେ ବର୍ଷା ସମ୍ଭାବନା

Advertisment
ଆଉ ଗୋଟିଏ ଘୂର୍ଣ୍ଣିବଳୟ ସୃଷ୍ଟି : ୧୨ ଯାଏଁ ଉତ୍ତରରେ ବର୍ଷା ସମ୍ଭାବନା

Photo by : skymetweather.com

ଭୁବନେଶ୍ୱର : ଗତକାଲି ପଶ୍ଚିମ କେନ୍ଦ୍ରୀୟ ଉତ୍ତର ପଶ୍ଚିମ ବଙ୍ଗୋପ ସାଗର ଆଖପାଖ ରାଜ୍ୟର ଦକ୍ଷିଣ ଉପକୂଳରେ ଥିବା ଘୂର୍ଣ୍ଣିବଳୟ ଆଜି ଉତ୍ତର ଓଡ଼ିଶାର ସ୍ଥଳଭାଗକୁ ଗତି କରିଛି। ଏହା କ୍ରମଶଃ ଦୁର୍ବଳ ହେବାରେ ଲାଗିଛି। ଆଜି ପଶ୍ଚିମବଙ୍ଗର ସୁନ୍ଦରବନ ଏବଂ ବାଂଲାଦେଶ ଆଖପାଖ ଉତ୍ତର ବଙ୍ଗୋପ ସାଗରରେ ଆଉ ଗୋଟିଏ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି। ଏହି ୨ଟି ଘୂର୍ଣ୍ଣିବଳୟ ପ୍ରଭାବରେ ଉତ୍ତର ଓଡ଼ିଶାର କିଛି ସ୍ଥାନରେ ପ୍ରବଳ ବର୍ଷା ହେବ। ଅନ୍ୟ ସ୍ଥାନମାନଙ୍କରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ହେବ। ଆସନ୍ତା ୧୨/୧୩ ତାରିଖ ପର୍ଯ୍ୟନ୍ତ ଉତ୍ତର ଏବଂ ଉପକୂଳ ଓଡ଼ିଶାରେ ବର୍ଷା ଲାଗି ରହିବ ବୋଲି ପୂର୍ବାନୁମାନ କରିଛି ପାଣିପାଗ କେନ୍ଦ୍ର।

ସୂଚନାନୁସାରେ ଉତ୍ତର ଓଡ଼ିଶାର ସ୍ଥଳଭାଗକୁ ଗତି କରିଥିବା ଘୂର୍ଣ୍ଣିବଳୟ ଦୁର୍ବଳ ହୋଇଥିବାରୁ ଏହା ଲଘୁଚାପରେ ପରିଣତ ହେବାର ସମ୍ଭାବନା କମ୍‌। ଆଜି ଉପକୂଳବର୍ତୀ ଆକାଶରେ ଖଣ୍ଡ ଖଣ୍ଡ ବାଦଲ ଥିଲେ ମଧ୍ୟ ପବନର ବେଗ ଅଧିକ ନ ଥିବାରୁ ଏହା ବର୍ଷିପାରିନଥିଲା। ତେବେ ଏହି ଘୂର୍ଣ୍ଣିବଳୟର ପ୍ରଭାବରେ ଉତ୍ତର ଓଡ଼ିଶାର ବାଲେଶ୍ୱର, ଭଦ୍ରକ, ଯାଜପୁର, ମୟୂରଭଞ୍ଜ, କେନ୍ଦୁଝର ଜିଲ୍ଲାର କିଛି ସ୍ଥାନରେ ଆସନ୍ତାକାଲିଠାରୁ ୨/୩ ଦିନ ଯାଏଁ ବର୍ଷା ହେବ। ଏହାବ୍ୟତୀତ, ଅନ୍ୟ ଘୂର୍ଣ୍ଣିବଳୟର ସିଧାସଳଖ ପ୍ରଭାବ ପଶ୍ଚିମବଙ୍ଗ, ବିହାର, ଛତିଶଗଡ଼ ଉପରେ ପଡ଼ୁଥିଲେ ବି ଉତ୍ତର ଓଡ଼ିଶାରେ କେତେକାଂଶରେ ପ୍ରଭାବ ଅନୁଭୂତ ହେବ। ଫଳରେ ଉତ୍ତରର ବିଭିନ୍ନ ସ୍ଥାନରେ ବର୍ଷା ହେବ। ସେହିପରି ଆସନ୍ତା ୧୧ ତାରିଖରେ ଉତ୍ତର ପ୍ରଦେଶରୁ ଏକ ଟ୍ରଫ୍‌ ଲାଇନ ଓଡ଼ିଶା ଦେଇ ବଙ୍ଗୋପ ସାଗରକୁ ଯିବ ବୋଲି ପୂର୍ବାନୁମାନ କରିଛି ପାଣିପାଗ କେନ୍ଦ୍ର। ମୌସୁମୀ ସକ୍ରିୟ ଥିବା ଯୋଗୁଁ ବାୟୁମଣ୍ଡଳରେ ଜଳୀୟବାଷ୍ପ ଭରି ରହିଛି।

ଏଣୁ ଟ୍ରଫ୍‌ ଲାଇନ ପ୍ରଭାବରେ ୧୨/୧୩ ତାରିଖ ପର୍ଯ୍ୟନ୍ତ କିଛି ସ୍ଥାନରେ ବର୍ଷା ହୋଇପାରେ। ପ୍ରାୟ ୧୫ ତାରିଖ ବେଳକୁ ଓଡ଼ିଶାରୁ ମୌସୁମୀ ବିଦାୟ ନେବାର ସମ୍ଭାବନା ରହିଥିବା କହିଛନ୍ତି ପାଣିପାଗ ନିର୍ଦେଶକ ଡ. ଶରତ ଚନ୍ଦ୍ର ସାହୁ। ଗତ ୨୪ ଘଣ୍ଟା ମଧ୍ୟରେ ନିମାପଡ଼ାରେ ସର୍ବାଧିକ ୮୦ ମିଲିମିଟର ବର୍ଷା ହୋଇଥିଲା। ଦିଗପହଣ୍ଡିରେ ୭୦ ମି.ମି., ଦାରିଙ୍ଗିବାଡ଼ି, ମହେନ୍ଦ୍ରଗଡ଼ରେ ୬୦ ମି.ମି., ବାଣପୁର, ନୟାଗଡ଼, କୋଟ୍ରାଗୁଡ଼ା, ମଦନପୁର-ରାମପୁର, ଚାନ୍ଦବାଲି, କଣ୍ଟାପଡ଼ା, ନିଶ୍ଚିନ୍ତକୋଇଲି, କୃଷ୍ଣପ୍ରସାଦ, ପିପିଲିରେ ୫୦ ମି.ମି., ଗୋପାଳପୁର, ମୋହନା, ଗୋପ, ବଲାଙ୍ଗୀରର ବେଲ୍‌ଗାଁରେ ୪୦ ମି.ମି., ଗରଦପୁର, ବୋଲଗଡ଼, କଳିଙ୍ଗା, ଓଡ଼ଗାଁ, ମୁନିଗୁଡ଼ା, ବୋଡେନ୍‌, ଭୁବନେଶ୍ୱର ସହିତ କିଛି ସ୍ଥାନରେ ପ୍ରାୟ ୩୦ ମି.ମି.ର ବର୍ଷା ହୋଇଥିଲା। ଆଜି ବାରିପଦାରେ ୨୩ ମି.ମି. ବର୍ଷା ହୋଇଥିବା ବେଳେ ଅନ୍ୟ ସ୍ଥାନରେ ସ୍ୱଳ୍ପ ପରିମାଣର ବର୍ଷା ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe