Cyclone threat increasing: ସୃଷ୍ଟି ହେଲା ଲଘୁଚାପ ୨୪ରେ ଅବପାତ: ବଢ଼ୁଛି ବାତ୍ୟା ଆଶଙ୍କା

ସକ୍ରିୟ ଘୂର୍ଣ୍ଣିବଳୟ ପ୍ରଭାବରେ ଆଜି ମାଲାକ୍କା ସମୁଦ୍ର ସନ୍ଧି ପାର୍ଶ୍ୱବର୍ତ୍ତୀ ଦକ୍ଷିଣ ଆଣ୍ଡାମାନ ସାଗର ଉପରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଯାହାର ବ୍ୟାପ୍ତି ସମୁଦ୍ର ପତ୍ତନଠାରୁ ବାୟୁମଣ୍ଡଳରେ ୫.୮ କିମି ଉଚ୍ଚତା ପର୍ଯ୍ୟନ୍ତ ରହିଛି।

 odishabytes

ଭୁବନେଶ୍ୱର: ସକ୍ରିୟ ଘୂର୍ଣ୍ଣିବଳୟ ପ୍ରଭାବରେ ଆଜି ମାଲାକ୍କା ସମୁଦ୍ର ସନ୍ଧି ପାର୍ଶ୍ୱବର୍ତ୍ତୀ ଦକ୍ଷିଣ ଆଣ୍ଡାମାନ ସାଗର ଉପରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଯାହାର ବ୍ୟାପ୍ତି ସମୁଦ୍ର ପତ୍ତନଠାରୁ ବାୟୁମଣ୍ଡଳରେ ୫.୮ କିମି ଉଚ୍ଚତା ପର୍ଯ୍ୟନ୍ତ ରହିଛି। ଆସନ୍ତା ୨୪ ତାରିଖ ବେଳକୁ ଏହା ଆହୁରି ଘନୀଭୂତ ହୋଇ ଦକ୍ଷିଣପୂର୍ବ ବଙ୍ଗୋପସାଗର ଉପରେ ଏକ ଅବପାତରେ ପରିଣତ ହେବାର ସମ୍ଭାବନା ରହିଛି। ପରବର୍ତ୍ତୀ ୪୮ ଘଣ୍ଟା ମଧ୍ୟରେ ଏହା ଗତିଶୀଳ ହେବା ସହ ଉତ୍ତରପଶ୍ଚିମ ଦିଗକୁ ଅଗ୍ରସର ହୋଇ ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ଆହୁରି ଅଧିକ ଘନୀଭୂତ ହେବାର ଆଶଙ୍କା ରହିଛି। ଏହା ବାତ୍ୟା ରୂପ ନେବ କି ନାହିଁ ସେ ସମ୍ପର୍କରେ ଭାରତୀୟ ପାଣିପାଗ ବିଭାଗ ଏପର୍ଯ୍ୟନ୍ତ କୌଣସି ପୂର୍ବାନୁମାନ କରି ନାହିଁ। ତେବେ ଅବପାତ ପରେ ଅଧିକ ଘନୀଭୂତ ହେବାକୁ ଥିବାରୁ ବାତ୍ୟାରେ ପରିଣତ ହୋଇପାରେ ବୋଲି ପାଣିପାଗ ବିଜ୍ଞାନୀମାନେ ଆକଳନ କରିଛନ୍ତି।

ଉତ୍ତର ଆନ୍ଧ୍ରରୁ ମିଆଁମାର ମଧ୍ୟରେ ଛୁଇଁପାରେ
ଦୁଇ ଦିନ ପରେ ସ୍ପଷ୍ଟ ହେବ ଚିତ୍ର

ସମ୍ଭାବ୍ୟ ବାତ୍ୟାକୁ ନେଇ ବିଭିନ୍ନ ପାଣିପାଗ ମଡେଲ୍‌ ପୃଥକ ଆକଳନ କରିଛନ୍ତି। ବର୍ତ୍ତମାନ ସମୟରେ ଘୂର୍ଣ୍ଣିବଳୟ ଶ୍ରୀଲଙ୍କା ଉପକୂଳ ନିକଟରେ ସକ୍ରିୟ ଥିବା ବେଳେ ଅନ୍ୟଟି ମାଲାକ୍କା ସମୁଦ୍ର ସନ୍ଧି ଅଞ୍ଚଳରେ ସକ୍ରିୟ ରହିଛି। ଏଆଇ ମଡେଲ୍‌ ଶ୍ରୀଲଙ୍କା ଘୂର୍ଣ୍ଣିବଳୟକୁ ସଶକ୍ତ କରୁଥିବା ବେଳେ ଗାଣିତିକ ମଡେଲ୍‌ଗୁଡ଼ିକ ମାଲାକ୍କା ନିକଟ ଲଘୁଚାପକୁ ସଶକ୍ତ କରୁଛନ୍ତି। ଶ୍ରୀଲଙ୍କା ପାଖରେ ଥିବା ଘୂର୍ଣ୍ଣିବଳୟ ଯଦି ଅଧିକ ଘନୀଭୂତ ହୁଏ ତେବେ ତାମିଲନାଡୁ କିମ୍ୱା ଶ୍ରୀଲଙ୍କା ଉପକୂଳକୁ ସ୍ପର୍ଶ କରିବାର ସମ୍ଭାବନା ରହିଛି। ମାଲାକ୍କା ସମୁଦ୍ର ସନ୍ଧି ଅଞ୍ଚଳରେ ସୃଷ୍ଟି ହୋଇଥିବା ଲଘୁଚାପ ଅଧିକ ଘନୀଭୂତ ହୋଇ ଉତ୍ତର ଆନ୍ଧ୍ରପ୍ରଦେଶରୁ ମିଆଁମାର ନିକଟରେ ସ୍ଥଳଭାଗ ସ୍ପର୍ଶ କରିବ। ଅଧିକାଂଶ ମଡେଲ୍‌ ମାଲାକ୍କା ସମୁଦ୍ର ସନ୍ଧି ଅଞ୍ଚଳରେ ସୃଷ୍ଟି ହୋଇଥିବା ଲଘୁଚାପ ଅଧିକ ଘନୀଭୂତ ହେବା ନେଇ ପୂର୍ବାନୁମାନ କରିଛନ୍ତି। ତେବେ ଏହା କେତେ ଘନୀଭୂତ ହେବ, କେଉଁ ରୂପରେ କେଉଁଠି ସ୍ଥଳଭାଗ ଛୁଇଁବ, ତାହା ଆକଳନ କରିବାକୁ ସମୟ ଲାଗିବ ବୋଲି ପାଣିପାଗ ବିଜ୍ଞାନୀମାନେ କହିଛନ୍ତି।

ଅନ୍ୟପକ୍ଷରେ ସାରା ରାଜ୍ୟରୁ ଶୀତ ଗାଏବ ହୋଇଛି। ଅଧିକାଂଶ ସ୍ଥାନରେ ପାରଦ ପୁଣିଥରେ ୧୫ ଡିଗ୍ରି ଉପରକୁ ଚାଲି ଯାଇଛି। କୋରାପୁଟରେ ରାଜ୍ୟର ସର୍ବନିମ୍ନ ତାପମାତ୍ରା ୧୩.୫ ଡିଗ୍ରି ରେକର୍ଡ କରାଯାଇଥିବା ବେଳେ ଘୁ ଉଦୟଗିରିରେ ୧୩.୮ ଡିଗ୍ରି, ଦାରିଙ୍ଗବାଡିରେ ୧୪ ଡିଗ୍ରି, ଝାରସୁଗୁଡ଼ାରେ ୧୪.୪ ଡିଗ୍ରି ରହିଥିଲା। ଅନ୍ୟ ସମସ୍ତ ସ୍ଥାନରେ ସର୍ବନିମ୍ନ ତାପମାତ୍ରା ୧୫ ଡିଗ୍ରି ଉପରେ ଥିଲା। ଆସନ୍ତା ୭ ଦିନ ମଧ୍ୟରେ ପାଗରେ କୌଣସି ପ୍ରକାର ପରିବର୍ତ୍ତନ ହେବ ନାହିଁ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ପୂର୍ବାନୁମାନ କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe