ବଙ୍ଗୋପସାଗରରେ ଲଘୁଚାପ, ଉପକୂଳରେ ବର୍ଷିବ

କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ପ୍ରଭାବରେ ଆଜି ପଶ୍ଚିମକେନ୍ଦ୍ରୀୟ ବଙ୍ଗୋପସାଗର ଓ ସଂଲଗ୍ନ ଉତ୍ତର ଆ‌ନ୍ଧ୍ରପ୍ରଦେଶ ଓ ଦକ୍ଷିଣ ଓଡ଼ିଶା ଉପକୂଳରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି।

rain

ଭୁବନେଶ୍ବର: କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ପ୍ରଭାବରେ ଆଜି ପଶ୍ଚିମକେନ୍ଦ୍ରୀୟ ବଙ୍ଗୋପସାଗର ଓ ସଂଲଗ୍ନ ଉତ୍ତର ଆ‌ନ୍ଧ୍ରପ୍ରଦେଶ ଓ ଦକ୍ଷିଣ ଓଡ଼ିଶା ଉପକୂଳରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଲାଗିରହିଛି। ବୁଧବାର ପୂର୍ବାହ୍ନ ସୁଦ୍ଧା ଉପକୂଳ ଓଡ଼ିଶା ସମେତ ସୁନ୍ଦରଗଡ଼, ଝାରସୁଗୁଡ଼ା, ବରଗଡ଼, ସମ୍ବଲପୁର, ଦେବଗଡ଼, ଅନୁଗୁଳ, ଢେଙ୍କାନାଳ, କେନ୍ଦୁଝର, ମୟୂରଭଞ୍ଜ, ନୟାଗଡ଼, ଗଜପତି ଜିଲ୍ଲାରେ ଘଡ଼ଘଡ଼ି, ବଜ୍ରପାତ ସହ ପ୍ରବଳ ବର୍ଷା ହୋଇପାରେ। ପରବର୍ତ୍ତୀ ୨୪ ଘଣ୍ଟାରେ ସୁନ୍ଦରଗଡ଼, କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ବର, ଭଦ୍ରକ, କେନ୍ଦ୍ରାପଡ଼ା, ଯାଜପୁର, ଝାରସୁଗୁଡ଼ା, ସମ୍ବଲପୁର ଓ ବରଗଡ଼ରେ ପ୍ରବଳ ବର୍ଷା ହେବାକୁ ଥିବାରୁ ସତର୍କତା ଅବଲମ୍ବନ କରିବାକୁ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ପରାମର୍ଶ ଦିଆଯାଇଛି।

ପାଣିପାଗ ବିଶେଷଜ୍ଞ ପ୍ରଫେସର ସୁରେନ୍ଦ୍ରନାଥ ପଶୁପାଳକ କହିଛନ୍ତି, ଆଜି ସୃଷ୍ଟି ହୋଇଥିବା ଲଘୁଚାପ ଦ୍ବାରା ୨୭ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ବର୍ଷା ଲାଗିରହିବ। ୨୫ ଓ ୨୬ ତାରିଖରେ ରାଜ୍ୟର ଅଧିକାଂଶ ସ୍ଥାନରେ ବର୍ଷା ହେବାକୁ ଥିବା ବେଳେ ୨୭ରେ ପଶ୍ଚିମ ଓଡ଼ିଶାରେ ବର୍ଷା ପ୍ରଭାବ ରହିବ। ଅନ୍ୟାନ୍ୟ ସ୍ଥାନଗୁଡ଼ିକରେ ବିକ୍ଷିପ୍ତ ବର୍ଷା ହୋଇପାରେ। ମଙ୍ଗଳବାର ସନ୍ଧ୍ୟାରେ ଲଘୁଚାପ କ୍ଷେତ୍ରଟି ଦକ୍ଷିଣ ଓଡ଼ିଶା ଓ ସଂଲଗ୍ନ ଆନ୍ଧ୍ର ଉପକୂଳରେ ରହିଛି। ଆସନ୍ତାକାଲି ସନ୍ଧ୍ୟା ବେଳକୁ ଛତିଶଗଡ଼ ଉପରେ ରହିବ। ଲଘୁଚାପ ପ୍ରଭାବରେ ଉପକୂଳ ଓଡ଼ିଶାରେ ସବୁଠାରୁ ଅଧିକ ବର୍ଷା ଏବଂ ସମୁଦାୟ ବର୍ଷା ପରିମାଣ ଆସନ୍ତା ତିନି ଦିନ‌ରେ ୬୦ରୁ ୭୦ ମିମି ହୋଇପାରେ। ଭଦ୍ରକ ଓ ବାଲେଶ୍ବର ସମେତ ସଂଲଗ୍ନ ଜିଲ୍ଲାଗୁଡ଼ିକରେ ମଧ୍ୟମରୁ ପ୍ରବଳ ବର୍ଷା ହୋଇପାରେ। ସମୁଦାୟ ବର୍ଷା ତିନି ଦିନରେ ୮୦ ମିମିରୁ ଅଧିକ ରହିବ। ଗଞ୍ଜାମ, ନୟାଗଡ଼, ଗଜପତି, କନ୍ଧମାଳ, ମାଲକାନଗିରି, କୋରାପୁଟ, ରାୟଗଡ଼ା ଜିଲ୍ଲାରେ ହାଲୁକାରୁ ସ୍ବଳ୍ପ ବର୍ଷା ହେବ। ମଡେଲ୍‌ରୁ ଜଣାପଡ଼ୁଛି ଯେ ଏହି ଲଘୁଚାପଟି ଏକ ବର୍ତ୍ତୃଳାକାର ପଥରେ ଯିବ; ଓଡ଼ିଶା, ଛତିଶଗଡ଼, ମଧ୍ୟପ୍ରଦେଶ, ଉତ୍ତରପ୍ରଦେଶ ଦେଇ ଅକ୍ଟୋବର ୧ ବେଳକୁ ଝାଡ଼ଖଣ୍ଡ ଉପରେ ରହିବ। ଏହାଦ୍ବାରା ଅକ୍ଟୋବର ୧ରୁ ୩ ମଧ୍ୟରେ ସୁନ୍ଦରଗଡ଼, ଝାରସୁଗୁଡ଼ା, ମୟୂରଭଞ୍ଜ, ଦେବଗଡ଼, ସମ୍ବଲପୁର ଜିଲ୍ଲାରେ ବର୍ଷା ହେବ। ଉପକୂଳ ଓ ଦକ୍ଷିଣ ଓଡ଼ିଶରେ ବିକ୍ଷିପ୍ତ ବର୍ଷାର ଆକଳନ କରାଯାଇଛି।

ଗତକାଲି ସକାଳଠାରୁ ଆଜି ପୂର୍ବାହ୍ନ ମଧ୍ୟରେ ଯାଜପୁର ଜିଲ୍ଲାର ବଞ୍ଝାରପୁରରେ ୧୦୫ ମିମି ବର୍ଷା ହୋଇଛି। ଏହାବ୍ୟତୀତ ଗଞ୍ଜାମ ଜିଲ୍ଲାର ଗୋପାଳପୁରରେ ୯୮.୩, ନୟାଗଡ଼ାର ନୂଆଗାଁରେ ୯୪.୯, ଅନୁଗୁଳ ଜିଲ୍ଲାର ଆଠମଲ୍ଲିକରେ ୮୭.୨, ଢେଙ୍କାନାଳ ଜିଲ୍ଲାର ପର୍ଜଙ୍ଗରେ ୮୫, ଗଞ୍ଜାମର ହିଞ୍ଜିଳିରେ ୮୫ ମିମି ବର୍ଷା ରେକର୍ଡ କରାଯାଇଥିଲା। ଆଜି ସକାଳଠାରୁ ସନ୍ଧ୍ୟା ମଧ୍ୟରେ ଉପକୂଳ ଓଡ଼ିଶା‌ରେ କୋହଲା ପାଗ ସାଙ୍ଗକୁ ହାଲୁକା ବର୍ଷା ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe