ଦୁର୍ବଳ ସ୍ଥିତିରେ ଲଘୁଚାପ: ୨୮ ପର୍ଯ୍ୟନ୍ତ ସ୍ବଳ୍ପରୁ ମଧ୍ୟମ ବର୍ଷା

ଉତ୍ତର-ପଶ୍ଚିମ ବଙ୍ଗୋପସାଗର ଓ ପଶ୍ଚିମବଙ୍ଗ-ଉତ୍ତର ଓଡ଼ିଶା ନିକଟବର୍ତ୍ତୀ ଉପକୂଳ ଅଞ୍ଚଳରେ ସୃଷ୍ଟି ହୋଇଥିବା ଲଘୁଚାପ ଆଜି ଗାଙ୍ଗେୟ ପଶ୍ଚିମବଙ୍ଗ ଓ ସଂଲଗ୍ନ ଉତ୍ତର ଓଡ଼ିଶା....

rain
ଭୁବନେଶ୍ବର: ଉତ୍ତର-ପଶ୍ଚିମ ବଙ୍ଗୋପସାଗର ଓ ପଶ୍ଚିମବଙ୍ଗ-ଉତ୍ତର ଓଡ଼ିଶା ନିକଟବର୍ତ୍ତୀ ଉପକୂଳ ଅଞ୍ଚଳରେ ସୃଷ୍ଟି ହୋଇଥିବା ଲଘୁଚାପ ଆଜି ଗାଙ୍ଗେୟ ପଶ୍ଚିମବଙ୍ଗ ଓ ସଂଲଗ୍ନ ଉତ୍ତର ଓଡ଼ିଶା, ଉତ୍ତର-ପଶ୍ଚିମ ବଙ୍ଗୋପସାଗର ଉପକୂଳରେ ରହିଛି। ଆସନ୍ତା ୧୨ ଘଣ୍ଟା ପର୍ଯ୍ୟନ୍ତ ଏହି ଅଞ୍ଚଳରେ ରହିବା ପରେ ଏହାର ପ୍ରଭାବ କମିବ।  ତେବେ ୨୫ ତାରିଖ ବେଳକୁ ଉତ୍ତର-ପଶ୍ଚିମ ଓ ସଂଲଗ୍ନ କେନ୍ଦ୍ରୀୟ ବଙ୍ଗୋପସାଗର ଉପରେ ଆଉ ଏକ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି। ଏହା ପଶ୍ଚିମ ଦିଗକୁ ଗତି କରି ୨୬ ତାରିଖରେ ଦକ୍ଷିଣ ଓଡ଼ିଶା-ଉତ୍ତର ଆ‌ନ୍ଧ୍ରପ୍ରଦେଶ ଉପକୂଳରେ ଉତ୍ତର-ପଶ୍ଚିମ ଓ ସଂଲଗ୍ନ ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗର ଉପରେ ଅବପାତରେ ପରିଣତ ହୋଇପାରେ। ୨୭ ତାରିଖ ବେଳକୁ ଏହା ଦକ୍ଷିଣ ଓଡ଼ିଶା ଓ ଉତ୍ତର ଆ‌ନ୍ଧ୍ରପ୍ରଦେଶ ଉପକୂଳ ଅତିକ୍ରମ କରିବାର ସମ୍ଭାବନା ରହିଛି।
ଦୁଇଟି ଲଘୁଚାପ ପ୍ରଭାବରେ ଆସନ୍ତା ୨୮ ତାରିଖ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ଜାରି ରହିବ। ଆସନ୍ତା ୨୪ ଘଣ୍ଟା ମଧ୍ୟରେ କେନ୍ଦୁଝର, ମୟୂରଭଞ୍ଜ, ସୁନ୍ଦରଗଡ଼, କୋରାପୁଟ, ମାଲକାନଗିରି, ଝାରସୁଗୁଡ଼ା, ସମ୍ବଲପୁର ଜିଲ୍ଲାରେ ପ୍ରବଳ ବର୍ଷା ସହ ୩୦ରୁ ୪୦ କିମି ବେଗରେ ପବନ ହେବାକୁ ଥିବାରୁ ଆଞ୍ଚଳିକ ପା‌ଣିପାଗ କେନ୍ଦ୍ର ପକ୍ଷରୁ ଅରେଞ୍ଜ ୱାର୍ଣ୍ଣିଂ ଜାରି ହୋଇଛି।
ପାଣିପାଗ ବିଶେଷଜ୍ଞ ପ୍ରଫେସର ସୁରେନ୍ଦ୍ରନାଥ ପଶୁପାଳକ କହିଛନ୍ତି ଯେ ଗତ ୨୦ ତାରିଖରେ ବାଂଲାଦେଶ ଓ ସଂଲଗ୍ନ ଉତ୍ତର ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ଲଘୁଚାପରେ ପରିଣତ ହୋଇଛି। ଏହି ଦୁର୍ବଳ ଲଘୁଚାପ ୨୪ ଓ ୨୫ ତାରିଖରେ ଓଡ଼ିଶା ଉପକୂଳଠାରୁ ଦୂରରେ ସମୁଦ୍ରରେ ରହିବ। ୨୬ ତାରିଖରେ ଗୋପାଳପୁର ଓ ବିଶାଖାପାଟଣା ମଝିରେ(ସମ୍ଭବତଃ ଶ୍ରୀକାକୁଲମ୍‌) ସ୍ଥଳ ଭାଗ ଛୁଇଁବ। ଆସନ୍ତା ୩୦ ତାରିଖରେ ଓଡ଼ିଶା ସଂଲଗ୍ନ ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ଆଉ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ସହ ଲଘୁଚାପରେ ପରିଣତ ହେବ। ଏହା ଓଡ଼ିଶା ଉପକୂଳ ନିକଟରେ ସମୁଦ୍ରରେ ଉତ୍ତର ଆଡ଼କୁ ଗତି କରିବ ଏବଂ ଅକ୍ଟୋବର ୪ରେ ପଶ୍ଚିମବଙ୍ଗର ଦୀଘାର ନିକଟବର୍ତ୍ତୀ ହେବ। ଏହା ମଧ୍ୟ ଅଧିକ ଘନୀଭୂତ ହେବ ନାହିଁ।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe