ଶକ୍ତିଶାଳୀ ହେଉଛି ଲଘୁଚାପ, ୧୦ ଜିଲ୍ଲାକୁ ରେଡ୍‌ ୱାର୍ଣ୍ଣିଂ

Advertisment
ରାଜ୍ୟରେ ପୁଣି ପ୍ରବଳ ବର୍ଷା ସମ୍ଭାବନା, ୩ ସପ୍ତାହରେ ୩ ଲଘୁଚାପ

ଭୁବନେଶ୍ବର : ଶନିବାର ସକାଳେ ଉତ୍ତର ବଙ୍ଗୋପସାଗରରେ ଆଉ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଏହା ଅଧିକ ଶକ୍ତିଶାଳୀ ହେବାରେ ଲାଗିଥିବା ‌ବେଳେ ଆଜି(ରବିବାର) ସକାଳ ସୁଦ୍ଧା ଅଧିକ ଘନୀଭୂତ ‌ହୋଇ ସୁଦୃଶ୍ୟ ଲଘୁଚାପର ରୂପ ନେବ ଓ ଧୀରେଧୀରେ ପଶ୍ଚିମ-ଉତ୍ତରପଶ୍ଚିମ ଆଡ଼କୁ ଗତି କରିବ। ଏହା ପ୍ରଭାବରେ ଆଜି ସମ୍ବଲପୁର, ଝାରସୁଗୁଡ଼ା, ଦେବଗଡ଼, ବରଗଡ଼, ଅନୁଗୁଳ, ବୌଦ୍ଧ, ସୋନପୁର, ବଲାଙ୍ଗୀର, ନୂଆପଡ଼ା ଓ କଳାହାଣ୍ଡି ଆଦି ୧୦ ଜିଲ୍ଲାରେ ଭୀଷଣରୁ ଅତିଭୀଷଣ ବର୍ଷା ହେବ। ଏହାକୁ ଦୃଷ୍ଟିରେ ରଖି ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଏହି ସବୁ ଜିଲ୍ଲାକୁ ରେଡ୍‌ୱାର୍ଣ୍ଣିଂ ଜାରି କରାଯାଇଛି।

ଅପରପକ୍ଷେ, ପଶ୍ଚିମ ଓଡ଼ିଶାରେ ଅତ୍ୟଧିକ ବର୍ଷା ଯୋଗୁଁ ଏବେ ନଦୀଗୁଡ଼ିକର ଜଳସ୍ତର ଉଦ୍‌ବେଗଜନକ ସ୍ଥିତିରେ ରହିଛି। ତେବେ ଆଜି ବର୍ଷା ହେଲେ, ସ୍ଥିତି ବିଗିଡ଼ିବାର ଆଶଙ୍କା ରହିଛି। ତେବେ ଖାଲି ଏହି ୧୦ ଜିଲ୍ଲା ନୁହେଁ, ସୁନ୍ଦରଗଡ଼, କେନ୍ଦୁଝର, ଢେଙ୍କାନାଳ, ଯାଜପୁର, କଟକ, ନୟାଗଡ଼, କନ୍ଧମାଳ, ରାୟଗଡ଼ା, କୋରାପୁଟ, ମାଲକାନଗିରି ଓ ନବରଙ୍ଗପୁର ଆଦି ଜିଲ୍ଲାରେ ବି ଆସନ୍ତାକାଲି ଅତିପ୍ରବଳ ବର୍ଷା ସମ୍ଭାବନା ଥିବାରୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି। ଅତ୍ୟଧିକ ବର୍ଷା ଯୋଗୁଁ ନଦୀଗୁଡ଼ିକରେ ବନ୍ୟା ଆସିବା, ତଳିଆ ଅଞ୍ଚଳ ବୁଡ଼ିଯିବା ଓ ମାଟି ରାସ୍ତା ତଥା ଘର ଭୁଶୁଡ଼ି ପଡ଼ିବା ଭଳି ସମସ୍ୟା ସୃଷ୍ଟି ହୋଇପାରେ। ତେଣୁ ଏସବୁ ଉପରେ ସତର୍କ ଦୃଷ୍ଟି ରଖିବାକୁ ତଥା ସାମ୍ଭାବ୍ୟ ପରିସ୍ଥିତିକୁ ସାମ୍ନା କରିବାକୁ ପ୍ରସ୍ତୁତି ସାରିବାକୁ ପାଣିପାଗ କେନ୍ଦ୍ର ପକ୍ଷରୁ ପରାମର୍ଶ ଦିଆଯାଇଛି।

publive-image
ଲଘୁଚାପ ପ୍ରଭାବରେ ପ୍ରଭାବରେ ରାଜ୍ୟରେ ଶନିବାର ଦିନ ତମାମ ବର୍ଷା ଲାଗି ରହିଥିବା ବେଳେ ଅନେକ ଜିଲ୍ଲାରେ ପ୍ରବଳରୁ ଅତିପ୍ରବଳ ବର୍ଷା ହୋଇଯାଇଛି। ପୁରୀ, ଜଗତସିଂହପୁର, କେନ୍ଦ୍ରାପଡ଼ା, କଟକ, ଭଦ୍ରକ, ଯାଜପୁର ଓ ଢେଙ୍କାନାଳ ଜିଲ୍ଲାରେ ଭୀଷଣ ବର୍ଷା ହୋଇଥିବା ବେଳେ ମୟୂରଭଞ୍ଜ, କେନ୍ଦୁଝର, ବାଲେଶ୍ବର, ଖୋର୍ଧା, ଗଜପତି, ଗଞ୍ଜାମ, ନୟାଗଡ଼, ଅନୁଗୁଳ, ସମ୍ବଲପୁର, ସୋନପୁର, ବରଗଡ଼, ବୌଦ୍ଧ, କନ୍ଧମାଳ, କଳାହାଣ୍ଡି ଓ ରାୟଗଡ଼ା ଆଦି ଜିଲ୍ଲାରେ ଅତିପ୍ରବଳ ବର୍ଷା ହୋଇଛି। ସଂଧ୍ୟା ସାଢ଼େ ୫ଟା ସୁଦ୍ଧା ସମ୍ବଲପୁରରେ ସର୍ବାଧିକ ୧୨୯.୨ ମିମି ବର୍ଷା ରେକର୍ଡ ହୋଇଥିବା ବେଳେ ହୀରାକୁଦରେ ୮୦.୮ ମିମି, ଜଗତସିଂହପୁରରେ ୭୫.୮ ମିମି, ପୁରୀରେ ୬୦.୯ ମିମି ଓ ବାଲେଶ୍ବର‌ରେ ୪୫.୮ ମିମି ଲେଖାଏଁ ବର୍ଷା ରେକର୍ଡ ହୋଇଯାଇଛି। ଫଳରେ ବିଭିନ୍ନ ନଦୀର ଜଳସ୍ତର ବଢ଼ିବାରେ ଲାଗିଛି। ଚାଷ ଜମିରେ ପାଣି ଜମି ରହିବା ଓ ତଳିଆ ଅଞ୍ଚଳରେ ବନ୍ୟା ପାଣି ପଶିବା ଆଦି ସମସ୍ୟା ଦେଖିବାକୁ ମିଳିଛି।

ପାଣିପାଗ କେନ୍ଦ୍ର ପକ୍ଷରୁ କୁହାଯାଇଛି, ଶନିବାର ଦିନ ସୃଷ୍ଟି ହୋଇଥିବା ଲଘୁଚାପ କ୍ଷେତ୍ରଟି ଧୀରେଧୀରେ ପଶ୍ଚିମ-ଉତ୍ତରପଶ୍ଚିମ ଆଡ଼କୁ ଗତି କରିବା ସହ ଆସନ୍ତା ୧୨ ଘଣ୍ଟା ମଧ୍ୟରେ ଏହା ଅଧିକ ଘନୀଭୂତ ହୋଇ ସ୍ପଷ୍ଟଚିହ୍ନିତ ଲଘୁଚାପ ଓ ପରବର୍ତୀ ୨୪ ଘଣ୍ଟାରେ ଅଧିକ ଘନୀଭୂତ ହୋଇ ଅବପାତର ରୂପ ନେବ। ଏହା ପ୍ରଭାବରେ ଓଡ଼ିଶାରେ ଆସନ୍ତାକାଲି ଭୀଷଣ ବର୍ଷା ହେବ। ଏବେ ସମୁଦ୍ର ଅଶାନ୍ତ ଥିବାରୁ ଓଡ଼ିଶା ଉପକୂଳବର୍ତ୍ତୀ ଉତ୍ତର ଓ ସଂଲଗ୍ନ ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗର ଅଞ୍ଚଳ ମଧ୍ୟକୁ ଆସନ୍ତା ୧୫ ତାରିଖ ଯାଏ ପ୍ରବେଶ ନ କରିବାକୁ ମତ୍ସ୍ୟଜୀବୀମାନଙ୍କୁ ବାରଣ କରାଯାଇଛି।

ତେବେ ୧୫ ତାରିଖରୁ ରାଜ୍ୟରେ ବର୍ଷାର ପରିମାଣ ଓ ବିସ୍ତୃତି କମିବ। ‌ସେ ଦିନ ବରଗଡ଼, ସୁନ୍ଦରଗଡ଼, ଝାରସୁଗୁଡ଼ା ଓ ନୂଆପଡ଼ା ଆଦି ଜିଲ୍ଲାର କିଛି କିଛି ଅଞ୍ଚଳରେ ବର୍ଷା ହୋଇପାରେ। ୧୬ରୁ ରାଜ୍ୟର ପାଗ ଶୁଖିଲା ରହିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe