୨୨ରେ ଲଘୁଚାପ, ୨୪ରେ ଅବପାତ: ବଙ୍ଗୋପସାଗରରେ ଦାନା ବାନ୍ଧୁଛି ଘୂର୍ଣ୍ଣିବଳୟ

Advertisment

ଗତି ସମ୍ପର୍କରେ ସ୍ପଷ୍ଟ ସୂଚନା ମିଳିନି, ୨୦ରୁ ୨୨ ଯାଏ ଗ୍ରୀଷ୍ମ ପ୍ରବାହ

ଗତି ସମ୍ପର୍କରେ ସ୍ପଷ୍ଟ ସୂଚନା ମିଳିନି, ୨୦ରୁ ୨୨ ଯାଏ ଗ୍ରୀଷ୍ମ ପ୍ରବାହ

ସୃଷ୍ଟି ହେଲା ଲଘୁଚାପ, ୨୪ରେ ଅବପାତ: ବାଲେଶ୍ବର, ଭଦ୍ରକରେ ୨୫ ଓ ୨୬ରେ ବର୍ଷା

Image Courtesy of Times of India

ଭୁବନେଶ୍ବର: ଆସନ୍ତା ୨୨ ତାରିଖ ବେଳକୁ ଦକ୍ଷିଣ ପଶ୍ଚିମ ବଙ୍ଗୋପସାଗର ଅଞ୍ଚଳରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବ। ପ୍ରାଥମିକ ସ୍ତରରେ ଏହା ଉତ୍ତର ପୂର୍ବ ଦିଗରେ ଗତି କରିବ। ପରବର୍ତ୍ତୀ ସମୟରେ କେନ୍ଦ୍ରୀୟ ବଙ୍ଗୋପସାଗର ଅଞ୍ଚଳରେ ଆହୁରି ଘନୀଭୂତ ହୋଇ ୨୪ ତାରିଖ ବେଳକୁ ଅବପାତରେ ପରିଣତ ହେବାର ସମ୍ଭାବନା ରହିଛି। ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଆଜି ଏଭଳି ପୂର୍ବାନୁମାନ କରାଯାଇଥିଲେ ମଧ୍ୟ ଅବପାତର ଗତିପଥ ସମ୍ପର୍କରେ କୌଣସି ସ୍ପଷ୍ଟ ସୂଚନା ଦିଆଯାଇ ନାହିଁ। ପାଣିପାଗ କେନ୍ଦ୍ରର ବୈଜ୍ଞାନିକ ଉମା‌ଶଙ୍କର ଦାସଙ୍କ କହିବାନୁଯାୟୀ ଘୂର୍ଣ୍ଣିବଳୟ ଅବପାତରେ ପରିଣତ ହେବା ନେଇ ଆକଳନ କରାଯାଇଛି। ପରବର୍ତ୍ତୀ ସମୟରେ ଏହାର ରୂପରେଖ କ’ଣ ରହିବ ସେନେଇ ଜଣା‌ପଡ଼ି ନାହିଁ। ଗତ ୨୪ ଘଣ୍ଟା ମଧ୍ୟରେ ଦକ୍ଷିଣ ଓଡ଼ିଶାର କେତେକ ସ୍ଥାନରେ ବର୍ଷା ହୋଇଛି। ଗୋଟିଏ ନିମ୍ନଚାପ ରେଖା ଦକ୍ଷିଣ ଛତିଶଗଡ଼ରୁ କର୍ଣ୍ଣାଟକ ପର୍ଯ୍ୟନ୍ତ ବ୍ୟାପିଥିବାରୁ ଦକ୍ଷିଣ ଓଡ଼ିଶାରେ ବିଜୁଳି ଘଡ଼ଘଡ଼ି ସହ ଘଣ୍ଟା ପ୍ରତି ୪୦ରୁ ୫୦ କିମି ବେଗରେ ପବନ ବହିପାରେ। ଆସନ୍ତା ୪ରୁ ୫ ଦିନ ମଧ୍ୟରେ ଦିନର ତାପମାତ୍ରା ୨ରୁ ୪ ଡିଗ୍ରି ପର୍ଯ୍ୟନ୍ତ ବଢ଼ିବ। ୨୦ରୁ ୨୨ ତାରିଖ ମଧ୍ୟରେ କେତେକ ସ୍ଥାନରେ ଗ୍ରୀଷ୍ମ ପ୍ରବାହ ସ୍ଥିତି ଉପୁଜିବ। ତାହାକୁ ଦୃଷ୍ଟିରେ ରଖି ଉତ୍ତର ଆଭ୍ୟନ୍ତରୀଣ ଓ ଦକ୍ଷିଣ ଆଭ୍ୟନ୍ତରୀଣ ଓଡ଼ିଶାର ଜିଲ୍ଲାଗୁଡ଼ିକ ପାଇଁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି।

ଗତ ସପ୍ତାହରେ ଘୂର୍ଣ୍ଣିବଳୟ ସମ୍ପର୍କରେ ଆଗୁଆ ଆକଳନ କରିଥିବା ପାଣିପାଗ ବିଶେଷଜ୍ଞ ପ୍ରଫେସର ସୁରେନ୍ଦ୍ରନାଥ ପଶୁପାଳକ କହିଛନ୍ତି ଯେ ୨୧ ତାରିଖ ବେଳକୁ ପୋର୍ଟ ବ୍ଲେୟର ନିକଟ ଦକ୍ଷିଣ ଓ ସଂଲଗ୍ନ କେନ୍ଦ୍ରୀୟ ବଙ୍ଗୋପସାଗରରେ ଏକ ଘୁର୍ଣ୍ଣିବଳୟ ସୃଷ୍ଟି ହେବ। ପରବର୍ତ୍ତୀ ସମୟରେ ଅଧିକ ଘନୀଭୂତ ହୋଇ ଲଘୁଚାପ ଓ ସମୁଦ୍ରରେ ଥିବା ସମୟରେ ଗଭୀର ଅବପାତରେ ପରିଣତ ହେବ। ଏହା ଉତ୍ତର ଆନ୍ଧ୍ର ଉପକୂଳ ଓ ସଂଲଗ୍ନ ଓଡ଼ିଶାକୁ ପ୍ରଭାବିତ କରିପାରେ। ଏହାଦ୍ବାରା ରାଜ୍ୟର ଦକ୍ଷିଣ ଓଡ଼ିଶା ଉପକୂଳ(ପୁରୀଠାରୁ ଦକ୍ଷିଣ ଆଡ଼କୁ) ଭାରୀ ବର୍ଷା ହେବାର ସମ୍ଭାବନା ରହିଛି। ପାଣିପାଗ ବିଶେଷଜ୍ଞ ସାର୍ଥକ ମିଶ୍ରଙ୍କ ସୂଚନା ଅନୁଯାୟୀ ୨୧ ତାରିଖ ବେଳକୁ ଦକ୍ଷିଣ ବଙ୍ଗୋପ ସାଗରରେ ସୃଷ୍ଟି ହେବାକୁ ଥିବା ଘୂର୍ଣ୍ଣିବଳୟ ୨୨ ତାରିଖରେ ଦକ୍ଷିଣ ପଶ୍ଚିମ ବଙ୍ଗୋପସାଗରରେ ଲଘୁଚାପ କ୍ଷେତ୍ରରେ ପରିଣତ ହେବ। ପରବର୍ତ୍ତୀ ସମୟରେ ଏହି କ୍ଷେତ୍ରଟି ଉତ୍ତର ପୂର୍ବ ଦିଗରେ ଅଗ୍ରସର ହୋଇ ପରବର୍ତ୍ତୀ ୪୮ ଘଣ୍ଟାରେ କେନ୍ଦ୍ରୀୟ ବଙ୍ଗୋପସାଗର ଅଞ୍ଚଳରେ ଅବପାତରେ ପରିଣତ ହୋଇପାରେ। ଏହି ସମୟରେ ସମୁଦ୍ର ପୃଷ୍ଠ ତାପମାତ୍ରା, ଏମଜେଓର ଉପସ୍ଥିତି, ଅନ୍ୟ ସମସ୍ତ ବାୟୁମଣ୍ଡଳୀୟ, ସାମୁଦ୍ରିକ ଉପାଦାନ ସିଷ୍ଟମ୍‌କୁ ଅଧିକ ବଳ ଯୋଗାଇବାରେ ସହାୟକ ହେବ। ତେଣୁ ସିଷ୍ଟମ୍‌ଟି ପରବର୍ତ୍ତୀ ୩ରୁ ୪ ଦିନ ସମୁଦ୍ରରେ ଅଧିକ ଘନୀଭୂତ ହେବାର ସମ୍ଭାବନା ରହିଥିବା ବିଭିନ୍ନ ମଡେଲମାନେ ଦର୍ଶାଇଛନ୍ତି। ଏହାର ଗତିପଥ ଉତ୍ତର/ଉତ୍ତର ପୂର୍ବକୁ ରହିବାର ସମ୍ଭାବନା ରହିଛି। ତେବେ କେଉଁ ଉପକୂଳ ଆଡକୁ ଏହା ଗତି କରିବ ସିଷ୍ଟମ୍ ସୃଷ୍ଟି ହେବା ପରେ ସ୍ପଷ୍ଟତା ଆସିବ।

ଅନ୍ୟପକ୍ଷରେ ଆଜି ସକାଳ ସାଢ଼େ ୮ଟା ସୁଦ୍ଧା ଭୁବନେଶ୍ବର ସହରର ତାପମାତ୍ରା ୩୪ ଡିଗ୍ରି ଡେଇଁବା ସହ ପ୍ରବଳ ଗୁଳୁଗୁଳି ଅନୁଭୂତ ହୋଇଥିଲା। ତେବେ ପରବର୍ତ୍ତୀ ସମୟରେ ତାପମାତ୍ରା ବିଶେଷ ବୃଦ୍ଧି ହୋଇ ନ ଥିଲା। ଭୁବନେଶ୍ବର ସମେତ ରାଜ୍ୟର ସମସ୍ତ ସହରର ତାପମାତ୍ରା ୪୦ ଡିଗ୍ରି ତଳେ ରହିଥିଲା। ଚାନ୍ଦବାଲିରେ ରାଜ୍ୟର ସର୍ବୋଚ୍ଚ ତାପମାତ୍ରା ୩୫.୯ ଡିଗ୍ରି ରେକର୍ଡ ହୋଇଥିବା ବେଳେ ବୌଦ୍ଧରେ ୩୯.୩, ଭୁବନେଶ୍ବର ଓ ବାଲେଶ୍ବରରେ ୩୯.୨, ନୂଆପଡ଼ା, କେନ୍ଦ୍ରାପଡ଼ା ଓ ଜଗତ୍‌ସିଂହପୁରରେ ୩୯ ଡିଗ୍ରି ରେକର୍ଡ ହୋଇଛି। ଦିନ ସମୟରେ ଦାରିଙ୍ଗବାଡ଼ିରେ ସର୍ବାଧିକ ୫୬ ମିମି ବର୍ଷା ହୋଇଥିବା ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ କୁହାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe