ପାଖେଇଲା ଅବପାତ : ଉପକୂଳ, ଉତ୍ତରରେ ଆଉ ୨୪ ଘଣ୍ଟା ବର୍ଷା

Advertisment
ଚକଡ଼ା ପରେ ବର୍ଷା; ଚିନ୍ତାରେ ଚାଷୀ

Photo by : hindustantimes.com

ଭୁବନେଶ୍ୱର : ଲଘୁଚାପରୁ ଘନୀଭୂତ ହୋଇଥିବା ଅବପାତ ଓଡ଼ିଶା ଉପକୂଳକୁ ପାଖେଇ ଆସୁଛି। ସନ୍ଧ୍ୟା ୭ଟା ସୁଦ୍ଧା ଏହା ଗୋପାଳପୁରରୁ ଆଉ ୧୨୦ କି.ମି. ଦୂରରେ ରହିଛି। ଓଡ଼ିଶା ଉପକୂଳରେ ଏହା ଆଉ ପ୍ରାୟ ୧୨ ଘଣ୍ଟା ଧରି ଗତି କରିବ। ଏହା ପ୍ରଭାବରେ ତେବେ ରାଜ୍ୟର ଉପକୂଳ, ଉତ୍ତର ଏବଂ ଆଭ୍ୟନ୍ତରୀଣ କିଛି ସ୍ଥାନରେ ଆଉ ୨୪ ଘଣ୍ଟା ପର୍ଯ୍ୟନ୍ତ ବର୍ଷା ଲାଗି ରହିବ ବୋଲି ପୂର୍ବାନୁମାନ କରିଛି ଭାରତୀୟ ପାଣିପାଗ ବିଭାଗ। ଲଘୁଚାପ ଜନିତ ବର୍ଷା ଯୋଗୁଁ ଏବେ ରାଜ୍ୟର ସମସ୍ତ ସ୍ଥାନରେ ଦିନର ତାପମାତ୍ରା ୩୦° ତଳକୁ ଖସିଛି। ବଢ଼ିଛି ରାତିର ତାପମାତ୍ରା। ତେବେ ୨୦ ତାରିଖ ସୁଦ୍ଧା ଏଭଳି ଅଦିନିଆ ମେଘୁଆ ପାଗ ସୁଧୁରିପାରେ। ରାତିର ପାରଦ ବି କମିପାରେ ଏବଂ ଫେରିପାରେ ସ୍ୱାଭାବିକ ଶୀତ।

ସୂଚନା ମୁତାବକ ଅବପାତଟି ପଶ୍ଚିମ କେନ୍ଦ୍ରୀୟ ଏବଂ ଆଖପାଖ ଉତ୍ତର ପଶ୍ଚିମ ବଙ୍ଗୋପ ସାଗରର ଉତ୍ତର ଆନ୍ଧ୍ର ପ୍ରଦେଶ ଏବଂ ଦକ୍ଷିଣ ଓଡ଼ିଶା ଉପକୂଳରୁ ଗତି କରୁଛି। ଘଣ୍ଟାକୁ ଏହାର ଗତି ପ୍ରାୟ ୧୫ କି.ମି.। ଆଉ ପ୍ରାୟ ୧୨ ଘଣ୍ଟା ଗତି କରିବା ପରେ ଏହା କ୍ରମଶଃ ଦୁର୍ବଳ ହୋଇପଡ଼ିବ। ଏହା ସତ୍ତ୍ୱେ ଆଗାମୀ ୨୪ ଘଣ୍ଟା ମଧ୍ୟରେ ଏହା ଉପକୂଳ, ଉତ୍ତର ଏବଂ ଅଭ୍ୟନ୍ତରର କିଛି ସ୍ଥାନରେ ବର୍ଷିବ। ଗୋଟିଏ କି ୨ଟି ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା, ଅଳ୍ପ କିଛି ସ୍ଥାନରେ ପ୍ରବଳ ବର୍ଷା ହେବ ବୋଲି ପୂର୍ବାନୁମାନ କରିଛି ଭାରତୀୟ ପାଣିପାଗ ବିଭାଗ। ଉପକୂଳରେ ପବନର ବେଗ ଘଣ୍ଟାକୁ ୪୦ କି.ମି.ରୁ ସର୍ବାଧିକ ୬୦ କି.ମି. ରହିଛି। ଫଳରେ ଅଶାନ୍ତ ହୋଇରହିଛି ସମୁଦ୍ର। ଏଣୁ ମତ୍ସ୍ୟଜୀବୀମାନଙ୍କୁ ସମୁଦ୍ର ଭିତରକୁ ନ ଯିବା ପାଇଁ ପରାମର୍ଶ ଦେଇଛି ପାଣିପାଗ ବିଭାଗ। ପାରାଦୀପ ଏବଂ ଗୋପାଳପୁର ବନ୍ଦରରେ ୩ ନମ୍ବର ସତର୍କସୂଚନା ଜାରି କରାଯାଇଛି।

ଗତ ୨୪ ଘଣ୍ଟା ଭିତରେ ପୁରୀ ଜିଲ୍ଲା ଗୋପରେ ସର୍ବାଧିକ ୯୦ ମିଲିମିଟର ବର୍ଷା ହୋଇଥିଲା। ସେହିପରି ପୁରୀ, ପାରାଦୀପରେ ୮୦ ମି.ମି., ଦିଗପହଣ୍ଡି, ପାରଳାଖେମୁଣ୍ଡି, ମହେନ୍ଦ୍ରଗଡ଼, ତିର୍ତୋଲ, ବାଲିକୁଦା, କୁଜଙ୍ଗ, ନିଶ୍ଚିନ୍ତକୋଇଲିରେ ୭୦ ମି.ମି., ଚାନ୍ଦବାଲି, ନିମାପଡ଼ା, ସତ୍ୟବାଦୀରେ ୬୦ ମି.ମି., ଆଳିପିଙ୍ଗଳ, କାକଟପୁର, ଚଣ୍ଡିଖୋଲ, ରଘୁନାଥପୁର, ମାର୍ଶାଘାଇ, ଗୋପାଳପୁର, ଯାଜପୁର, ବାଲିପାଟଣା, କୃଷ୍ଣପ୍ରସାଦ, କେନ୍ଦ୍ରାପଡ଼ା, ଟାଙ୍ଗିରେ ୫୦ ମି.ମି., ଦଶପଲ୍ଲା, ମୋହନା, ରାକକନିକା, ବ୍ରହ୍ମଗିରି, ପିପିଲି, ବିଞ୍ଝାରପୁର, ଆସ୍କା, ଜଗତ୍‌ସିଂହପୁର, ଉଦଳା, ଭୋଗରାଇ ପ୍ରଭୃତି ସ୍ଥାନରେ ପ୍ରାୟ ୪୦ ମି.ମି. ପର୍ଯ୍ୟନ୍ତ ବର୍ଷା ହୋଇଥିଲା। ଆଜି ସନ୍ଧ୍ୟା ସୁଦ୍ଧା ଚାନ୍ଦବାଲିରେ ସର୍ବାଧିକ ୩୩ ମି.ମି. ବର୍ଷା ହୋଇଥିବା ବେଳେ ଗୋପାଳପୁରରେ ୧୧ ମି.ମି., ପାରାଦୀପରେ ୧୦ ମି.ମି. ଏବଂ କଟକ, ଭୁବନେଶ୍ୱର, ପୁରୀରେ ସାମାନ୍ୟ ବର୍ଷା ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe