ଆଇଏମ୍‌ଡିର ପୂର୍ବାନୁମାନ: ଅଗଷ୍ଟରେ ଓଡ଼ିଶାରେ କମ୍‌ ବର୍ଷା ହେବ, ଦେଶରେ ସ୍ୱାଭାବିକ ରହିବ

Advertisment
ଏପର୍ଯ୍ୟନ୍ତ ସାରା ଦେଶରେ ସ୍ବାଭାବିକଠାରୁ ୮% ଅଧିକ ବର୍ଷା : ସ୍କାଏମେଟ୍

ଭୁବନେଶ୍ବର : ଅଗଷ୍ଟରେ ଓଡ଼ିଶାରେ ନିଅଣ୍ଟିଆ ବର୍ଷା ହେବ। ଭାରତୀୟ ପାଣିପାଗ ବିଭାଗ (ଆଇଏମ୍‌ଡି) ଆଜି ଅଗଷ୍ଟ ମାସର ମୌସୁମୀ ବର୍ଷା ସମ୍ପର୍କିତ ପ୍ରେସ୍‌ ବିବୃତିରେ ସୂଚନା ଦେଇଛି। ଆଇଏମ୍‌ଡିର ସୂଚନା ମୁତାବକ, ଅଗଷ୍ଟରେ ରାଜ୍ୟରେ ବିଶେଷ ବର୍ଷା ହେବ ନାହିଁ। ଯେତିକି ହେବ, ତାହା ସ୍ବାଭାବିକଠାରୁ କମ୍‌ ରହିବ। ଦେଶରେ କିନ୍ତୁ ବର୍ଷା ସ୍ବାଭାବିକ ରହିବ। ଦକ୍ଷିଣ ଭାରତର ଅଧିକାଂଶ ସ୍ଥାନରେ ସ୍ବାଭାବିକଠାରୁ ଅଧିକ ରହିବ। ପଶ୍ଚିମ-କେନ୍ଦ୍ରୀୟ ଭାରତ ଓ ଉତ୍ତର-ପଶ୍ଚିମ ଭାରତରେ ମଧ୍ୟ ଭଲ ବର୍ଷାର ସମ୍ଭାବନା ରହିଛି। ପଶ୍ଚିମ ଉପକୂଳ, ପୂର୍ବ-କେନ୍ଦ୍ରୀୟ, ପୂର୍ବ ଓ ଉତ୍ତରପୂର୍ବ ଭାରତରେ ବର୍ଷାର ପରିମାଣ କମ୍‌ ରହିବ। ଏହି ସବୁ ଅଞ୍ଚଳରେ ବର୍ଷା ସ୍ବାଭାବିକଠାରୁ କମ୍‌ ହେବ। ଏହି ଅଞ୍ଚଳ ଭିତରେ ଓଡ଼ିଶା ଯାଉଥିବାରୁ ଅଗଷ୍ଟରେ ରାଜ୍ୟରେ ଭଲ ବର୍ଷା ହେବ ନାହିଁ ବୋଲି ପାଣିପାଗ ବିଜ୍ଞାନୀମାନେ କହିଛନ୍ତି।

ଅପରପକ୍ଷେ ରାଜ୍ୟରେ ଏବେ ବି ମୌସୁମୀ ବିରତି ଜାରି ରହିଛି। ତେବେ ଆଜି ପୁରୀ, ଖୋର୍ଧା, ନୟାଗଡ଼, ଗଞ୍ଜାମ, ଗଜପତି, ସୋନପୁର, ବୌଦ୍ଧ, ନୂଆପଡ଼ା, ବଲାଙ୍ଗୀର, କଳାହାଣ୍ଡି, କନ୍ଧମାଳ, ନବରଙ୍ଗପୁର, ରାୟଗଡ଼ା, କୋରାପୁଟ, ମାଲକାନଗିରି, ନବରଙ୍ଗପୁର, ରାୟଗଡ଼ା, କୋରାପୁଟ, ମାଲକାନଗିରି, ବରଗଡ଼, ଝାରସୁଗୁଡ଼ା, ସୁନ୍ଦରଗଡ଼, କେନ୍ଦୁଝର ଓ ମୟୂରଭଞ୍ଜ ଆଦି ଜିଲ୍ଲାର କିଛି ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହୋଇପାରେ। ଏଥିସହ ମାଲକାନଗିରି, କୋରାପୁଟ, ନବରଙ୍ଗପୁର ଓ କଳାହାଣ୍ଡି ଆଦି ୪ ଜିଲ୍ଲାର ଅନେକ ସ୍ଥାନରେ ପ୍ରବଳ ବର୍ଷାର ସମ୍ଭାବନା ରହିଛି। ଏହାପରେ ୩ ଓ ୪ ତାରିଖରେ ରାଜ୍ୟରେ ପାଗ ସମ୍ପୂର୍ଣ୍ଣ ଶୁଖିଲା ରହିବ। ୫ ତାରିଖ ଆଡ଼କୁ କିଛି ସ୍ଥାନରେ ପ୍ରବଳ ବର୍ଷା ସମ୍ଭାବନା ଥିବାରୁ ପାଣିପାଗ କେନ୍ଦ୍ର ପକ୍ଷରୁ ୟେଲୋୱାର୍ଣ୍ଣିଂ ଜାରି କରାଯାଇଛି। ଜିଲ୍ଲାଗୁଡ଼ିକ ହେଲା, ମାଲକାନଗିରି, କୋରାପୁଟ, ରାୟଗଡ଼ା, ଗଜପତି, ଗଞ୍ଜାମ, ନବରଙ୍ଗପୁର, କଳାହାଣ୍ଡି, ମୟୂରଭଞ୍ଜ ଓ ବାଲେଶ୍ବର।

ସୋମବାର ଦିନ ଭୁବନେଶ୍ବର ସମେତ ଆଖପାଖ ଅଞ୍ଚଳର ପାଗ ଆଂଶିକ ମେଘୁଆ ରହିଥିଲା। ଅପରାହ୍ଣ ଆଡ଼କୁ ବିଜୁଳି, ଘଡ଼ଘଡ଼ି ସହ ସ୍ବଳ୍ପ ବର୍ଷା ମଧ୍ୟ ହୋଇଯାଇଛି। ଆଜି (ମଙ୍ଗଳବାର) ଅପରାହ୍ନ ବା ସଂଧ୍ୟା ଆଡ଼କୁ ରାଜଧାନୀ ତଥା ସଂଲଗ୍ନ ଅଞ୍ଚଳଗୁଡ଼ିକରେ ବର୍ଷା ସମ୍ଭାବନା ରହିଛି। ଦିନର ସର୍ବୋଚ୍ଚ ତାପମାତ୍ରା ୩୫ ଡିଗ୍ରି ଓ ସର୍ବନିମ୍ନ ତାପମାତ୍ରା ୨୭ ଡିଗ୍ରି ମଧ୍ୟରେ ରହିପାରେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe