ଲୋୟର୍‌ ସୁକତେଲ୍‌କୁ ଭରସା ପାଉନି: ପାଣି ମାଡ଼ୁନି, ତଳମୁଣ୍ଡରେ ଜମି ବିକିଲେଣି ଆନ୍ଧ୍ର ଚାଷୀ

ଯେଉଁଠି ନୂଆ ଜଳଭଣ୍ଡାର ଏବଂ କେନାଲ ସୁବିଧା ହେଲା, ଆନ୍ଧ୍ର ଚାଷୀମାନେ ତାର ଭରପୂର ଫାଇଦା ଉଠାନ୍ତି। ପ୍ରକଳ୍ପ କାର୍ଯ୍ୟକାରୀ ହେବା ପୂର୍ବରୁ କେନାଲ, ଜଳଭଣ୍ଡାର ପାର୍ଶ୍ବବର୍ତ୍ତୀ ଜମିଗୁଡ଼ିକୁ ଆଖିବୁଜା କିଣିନିଅନ୍ତି।

csxcf

ବଲାଙ୍ଗୀର: ଯେଉଁଠି ନୂଆ ଜଳଭଣ୍ଡାର ଏବଂ କେନାଲ ସୁବିଧା ହେଲା, ଆନ୍ଧ୍ର ଚାଷୀମାନେ ତାର ଭରପୂର ଫାଇଦା ଉଠାନ୍ତି। ପ୍ରକଳ୍ପ କାର୍ଯ୍ୟକାରୀ ହେବା ପୂର୍ବରୁ କେନାଲ, ଜଳଭଣ୍ଡାର ପାର୍ଶ୍ବବର୍ତ୍ତୀ ଜମିଗୁଡ଼ିକୁ ଆଖିବୁଜା କିଣିନିଅନ୍ତି। ହୀରାକୁଦ ଜଳଭଣ୍ଡାର କ୍ଷେତ୍ରରେ ଠିକ ସେମିତି ଦେଖିବାକୁ ମିଳିଥିଲା। ବଲାଙ୍ଗୀରର ଜୀବନରେଖା କୁହାଯାଉଥିବା ଲୋୟର୍‌ ସୁକତେଲ୍‌ ପ୍ରକଳ୍ପରେ ବି ସମାନ ଦୃଶ୍ୟ ଦେଖିବାକୁ ମିଳିଛି। ୨୦୨୪ ମସିହା ଜାନୁଆରି ମାସରେ ଉଦ୍‌ଘାଟିତ ହୋଇଥିଲା ବହୁ ପ୍ରତୀକ୍ଷିତ ଲୋୟର୍‌ ସୁକତେଲ୍‌ ପ୍ରକଳ୍ପ। ଏହାର ଢେର ପୂର୍ବରୁ ଆନ୍ଧ୍ର ଚାଷୀମାନେ ନଦୀବନ୍ଧର ତଳମୁଣ୍ଡାରେ ଚାଷ ଜମିଗୁଡ଼ିକ କିଣି ନେଇଥିଲେ। ହୀରାକୁଦ ସେଚାଞ୍ଚଳରେ ମାତ୍ରାଧିକ କୀଟନାଶକ ପ୍ରୟୋଗ ଓ ବାରମ୍ବାର ଧାନଚାଷ ଯୋଗୁଁ ଜମିର ଉର୍ବରତା କମୁଥିବା ଦେଖି ବହୁ ଆନ୍ଧ୍ର ଚାଷୀ ଲୋୟର୍‌ ସୁକତେଲ୍‌ ପ୍ରକଳ୍ପ ଉପରେ ନଜର ପକାଇଥିଲେ। କିନ୍ତୁ ଏହି ପ୍ରକଳ୍ପ କେବେ ପୂର୍ଣ୍ଣ କାର୍ଯ୍ୟକ୍ଷମ ହେବ ତାହା ଆଜି ପର୍ଯ୍ୟନ୍ତ ସ୍ପଷ୍ଟ ହୋଇ ପାରିନାହିଁ। ତେଣୁ ଆନ୍ଧ୍ର ଚାଷୀମାନେ ମୁଣ୍ଡରେ ହାତ ଦେଲେଣି। ଲୋୟର୍‌ ସୁକତେଲ୍‌ ତଳମୁଣ୍ଡରେ ରହିଛି ଲୋଇସିଂହା ବ୍ଲକ୍‌ର ମନହୀରା ଗାଁ। ୨୦୨୦ ମସିହାରୁ ଏଠାରେ ଆନ୍ଧ୍ର ଚାଷୀମାନେ ଏକର ପିଛା ୨୫ରୁ ୩୦ ହଜାର ଟଙ୍କାରେ ଜମି କିଣିଥିଲେ। ମାଷ୍ଟର୍‌ପ୍ଲାନ୍‌ ଅନୁସାରେ ଏ ଅଞ୍ଚଳର ଜମିକୁ ପାଣି ମାଡ଼ିବା କଥା। ହେଲେ ପ୍ରକଳ୍ପ ଉଦ୍‌ଘାଟନ ହୋଇଥିଲେ ହେଁ ନିର୍ଦ୍ଧାରିତ ସମୟରେ ପାଣି ମାଡ଼ିନାହିଁ। ତେଣୁ ଆନ୍ଧ୍ର ଚାଷୀ ଜମିଗୁଡ଼ିକୁ ସ୍ବଳ୍ପ ମୂଲ୍ୟରେ ବିକ୍ରି କରିବା ଆରମ୍ଭ କଲେଣି। ଏକର ପିଛା ୪୦ରୁ ୪୫ ହଜାର ଟଙ୍କାରେ ଜମି ବିକି ସେମାନେ ଅନ୍ୟତ୍ର ଜମି ଖୋଜୁଛନ୍ତି। 

ଲୋଇସିଂହା ବ୍ଲକ୍‌ର କନ୍ଦାଜୁରୀ, ଝାରମୁଣ୍ଡା ଅଞ୍ଚଳରେ ମଧ୍ୟ ଆନ୍ଧ୍ର ଚାଷୀମାନେ ପ୍ରଚୁର ଜମି କିଣିଥିଲେ। ଖରିଦ୍‌ ପାଇଁ ଜମି ନ ମିଳିଲେ ସେମାନେ ଲିଜ୍‌ ଆକାରରେ ଜମି ନେଇଛନ୍ତି। ଲୋୟର୍‌ ସୁକତେଲ୍‌ ପ୍ରକଳ୍ପରୁ ପାଣି ଆସୁନଥିବାରୁ ସେମାନେ କପାଚାଷ କରୁଛନ୍ତି ବୋଲି ଆନ୍ଧ୍ର ଚାଷୀ ଶୁକଦେବ ରାଓ ଆଲୋଚନା ବେଳେ କହିଛନ୍ତି। ପ୍ରକଳ୍ପ ଲୋକାର୍ପଣ ହୋଇଥିଲେ ସୁଦ୍ଧା ଚାଷୀ ଜଳସେଚନ ପାଇଁ ପାଣି ପାଇ ପାରୁନାହାନ୍ତି। ୨୦୨୪ ଖରିଫ୍‌ ବେଳକୁ ଜଳଭଣ୍ଡାରରୁ ପାଖାପାଖି ୫୦ ହଜାର ଏକର ଜମିକୁ ପାଣି ମାଡ଼ିବ ବୋଲି ତତ୍କାଳୀନ ବିଜେଡି ସରକାର ଘୋଷଣା କରିଥିଲେ। କିନ୍ତୁ ଜଳଭଣ୍ଡାର ପ୍ରୋଟୋକଲ୍‌ ଦେଖିଲେ ୨୦୨୬ ବେଳକୁ ଯାଇ ଜଳଭଣ୍ଡାରରୁ ଜଳସେଚନ ସୁବିଧା ମିଳିବ। ତେବେ ଏ ସଂକ୍ରାନ୍ତରେ କାହା ପାଖରେ ବିଧିବଦ୍ଧ ସୂଚନା ନାହିଁ। ବର୍ଷାଭାବ ଯୋଗୁ ସୁକ୍‌ତେଲ୍‌ରେ ପାଣି ରହୁନଥିବାରୁ ଜଳଭଣ୍ଡାରରୁ ପୂର୍ବ ନିର୍ଦ୍ଧାରିତ ଯୋଜନା ଅନୁସାରେ ତଳମୁଣ୍ଡକୁ ପାଣି ଯିବ ନା ନାହିଁ, ସେଥିରେ ବି ଗ୍ୟାରେଣ୍ଟି ନାହିଁ। ଜଳଭଣ୍ଡାର ପୂର୍ଣ୍ଣଗର୍ଭା ହେବା ସହ ଟ୍ରାଏଲ୍‌ରନ୍‌ ନହେବା ଯାଏଁ କିଛି କହିହେବନି ବୋଲି ଅଧିକାରୀମାନେ କହୁଛନ୍ତି। ତେଣୁ ଏହି ଆଶଙ୍କା ଭିତରେ ଆନ୍ଧ୍ର ଚାଷୀମାନେ ପୂର୍ବରୁ କିଣିଥିବା ଜମି ବିକି ଅନ୍ୟତ୍ର ଯିବାକୁ ଯୋଜନା କରୁଥିବା ‘ସମ୍ବାଦ’ର ଗ୍ରାଉଣ୍ଡ ଜିରୋ ରିପୋର୍ଟରୁ ଜଣାପଡ଼ିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe